ସମସ୍ତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ : ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ନବୀନଙ୍କ ନିର୍ଦ୍ଦେଶ

242

କନକ ବ୍ୟୁରୋ : ବିଜେଡ଼ି ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ । ନବୀନ ନିବାସରେ ପଞ୍ଚମ ପାଳିରେ ନିର୍ବାଚିତ ହୋଇଥିବା ବିଧାୟକଙ୍କ ସହ ଆଲୋଚନା କରିଛନ୍ତି ବିଜେଡ଼ି ସୁପ୍ରିମୋ । ବୈଠକରେ ସାମିଲ ହୋଇଛନ୍ତି ସମସ୍ତ ୧୧୧ ବିଧାୟକଙ୍କୁ ନବୀନ ଦିଗଦର୍ଶନ ଦେଇଛନ୍ତି । ଜନତାଙ୍କ ସୁଖ ସୁବିଧାରେ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ନିର୍ବାଚନ ସମୟରେ ଲୋକଙ୍କ ନିକଟତର ହେବା ପାଇଁ ରାଜନେତାମାନେ ପାଇଁ ବିଭିନ୍ନ ରଣନୀତି ଆପଣାଇ ଥାଆନ୍ତି । ଭୋଟ ପାଇଁ ଦୁଆର ଦୁଆର ବୁଲନ୍ତି ନେତା । ହେଲେ ଜନତାଙ୍କ ସାର୍ଟିଫିକେଟ ପାଇ ବିଧାନସଭା ଆସିବା ପରେ ଜନତା ନଜାର୍ଦ୍ଦନଙ୍କୁ ଭୁଲିନଯିବାକୁ ବିଧାୟକଙ୍କୁ ତାଗିଦା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନବୀନ ନିବାସରେ ବିଜେଡିର ସମସ୍ତ ନୂଆ ଓ ପୁରୁଣା ବିଧାୟକଙ୍କୁ ବିଜେଡି ସୁପ୍ରିମୋଙ୍କ ଟିପ୍ସ । ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ପାଇଁ ବିଧାୟକଙ୍କୁ ପରାମର୍ଶ ଦେଲେ ନବୀନ । ବିପଦ ଆପଦ ସମୟରେ ପାଖରେ ବନ୍ଧୁ ହୋଇ ଛିଡ଼ା ହୋଇ ଲୋକଙ୍କ ମନ ଜିଣିବା ପାଇଁ ପରାମର୍ଶ ଦେଇଛନ୍ତି । ଜନତାଙ୍କୁ ସାଙ୍ଗରେ ନେଇ ସମସ୍ୟା ସମାଧାନ ଦିଗରେ ଯତ୍ନବାନ ହେବା ଉଚିତ । କାର୍ଯ୍ୟଧାରାକୁ ସୂଚାରୁରୂପେ ତୁଳାଇବା ପାଇଁ ନିଜ ନିର୍ବାଚନ ମଣ୍ଡଳୀ ସହ ସମ୍ପର୍କରେ ରହିବା ଆବଶ୍ୟକ । ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଯୋଜନା ଗୁଡ଼ିକ ଗୁଡ଼ିକର ସଫଳ ରୂପାୟନ ଉପରେ ଜୋର ଦେଇଛନ୍ତି ନବୀନ । ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁଛି କି ନାହିଁ ପଚାରି ବୁଝିବାକୁ ପଡ଼ିବ । ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦିଅ, ଲୋକଙ୍କୁ ଗୁରୁତ୍ୱ ଦିଅ, ଆଉ ଲୋକଙ୍କ ପାଇଁ କାମ କର । ଭତ୍ତାଠାରୁ ଆରମ୍ଭ କରି ସର୍ବନିମ୍ନ ଆବଶ୍ୟକତା ପୂରଣ ଦିଗରେ ସଚେତନ ରୁହ । ବଡ଼ ଗାଡ଼ି ନଚଢ଼ିବାକୁ ବିଧାୟକଙ୍କ ପରାମର୍ଶ ଦେଇଛନ୍ତି ନବୀନ।

ରାଜ୍ୟରେ ବିଜୁ ଜନତା ଦଳର ସଂଗଠନ ମଜଭୁତ ରହିଛି । ତଥାପି ତୃଣମୂଳ ସ୍ତରରେ ବିକାଶକୁ ମୁଦ୍ଦା ପରି ଲୋକଙ୍କ ହିତରେ କାମ କରିବା ପାଇଁ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି । ଲୋକଙ୍କ ସହ ଜଡିତ ରହିବା ସହ ଭଦ୍ର, ନମ୍ର ଓ ସରଳ ଜୀବନ ଯାପନ କରିବାକୁ ବିଧାୟକଙ୍କୁ କହିଛନ୍ତି ନବୀନ ପଟ୍ଟନାୟକ । ଆଗକୁ ରହିଛି ପୌର ନିର୍ବାଚନ । ତେଣୁ ଦଳୀୟ ସଙ୍ଗଠନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସବୁ ବିଧାୟକଙ୍କ ସହ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ପାଟକୁରା ନିର୍ବାଚନ ନେଇ ବି ଆଲୋଚନା ହୋଇଛି । ବୈଠକ ପରେ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରତିକ୍ରିୟା ରଖିଛନ୍ତି ।