ହିଞ୍ଜିଳିରେ ନବୀନଙ୍କ ବିପକ୍ଷରେ ଲଢ଼ିବେ ପୀତାମ୍ବର ! ବିଜେଡ଼ି ଗଡ଼ରେ ମୁଖ୍ୟମନ୍ତ୍ରୀଙ୍କୁ ସାମ୍ନା କରିବା ପାଇଁ ବିଜେପି ଦେଲା ପ୍ରାର୍ଥୀ

361

କନକ ବ୍ୟୁରୋ : ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମ୍ନା କରିବେ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ । ଚତୁର୍ଥ ପର୍ଯ୍ୟାୟ ତାଲିକାରେ ହିଞ୍ଜିଳି ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ପୀତାମ୍ବର ଆଚାର୍ଯ୍ୟଙ୍କୁ ନବୀନଙ୍କ ବିରୋଧରେ ଛିଡ଼ା କରିଛି ବିଜେପି । ନବୀନଙ୍କ ଗଡ଼ରେ ପୀତାମ୍ବର ଆଚାର୍ଯ୍ୟଙ୍କ ଉପରେ ଭରସା କରିଛି ବିଜେପି ।  ବିଜେଡିର ଗଡ଼ କୁହାଯାଉଥିବା ହିଞ୍ଜିଳିରେ ପୀତାମ୍ବରଙ୍କ ଭଳି ପ୍ରାର୍ଥୀ ଦେଇ ବିଜେପି କଡା ଟକ୍କର ଲାଗି ଯୋଜନା କରିଛି ।  ଅନେକ ଆଲୋଚନା ପରେ ଏହି ନାଁ ଘୋଷଣା ହୋଇଥିବା କଥା ସ୍ପଷ୍ଟ ହେଉଛି । ଏଇଠି ପ୍ରଶ୍ନ ଉଠୁଛି ହିଞ୍ଜିଳିରେ ନବୀନଙ୍କ ଲୋକପ୍ରିୟତା ଆଗରେ ଛିଡ଼ା ହୋଇପାରିବେ ତ ପୀତାମ୍ବର ।

ହିଜିଂଳି ବିଧାନସଭା ଆସନରୁ ବିଜେପିର ପ୍ରାର୍ଥୀ ହେବେ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ । ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ହିଂଜିଳି ନିର୍ବାଚନରେ ବିଜେଡିର ପ୍ରାର୍ଥୀ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ପୀତାମ୍ବର ବିଜେପିରୁ ଲଢିବାକୁ ଯାଉଛନ୍ତି । ପ୍ରଥମ ଥର ପାଇଁ ନିର୍ବାଚନ ଲଢେଇରେ ଅବତୀର୍ଣ୍ଣ ହୋଇଛନ୍ତି ପୀତାମ୍ବର ଆଚାର୍ଯ୍ୟ । ପୂର୍ବରୁ ସେ କଟକରୁ ଲଢିବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଶେଷରେ ତାଙ୍କୁ ହିଂଜିଳିରୁ ପ୍ରାର୍ଥୀ କରିଛି ବିଜେପି । ଗତ ନିର୍ବାଚନରେ ଏହି ବିଧାନସଭା ଆସନରୁ ନବୀନ ୮୯ ହଜାର ୨୬୭ ଭୋଟ ପାଇଥିବା ବେଳେ ତାଙ୍କ ବିପକ୍ଷରେ ଛିଡା ହୋଇଥିବା କଂଗ୍ରେସ ପ୍ରାର୍ଥୀ ଶିବରାମ ପାତ୍ର ୧୨ ହଜାର ୬୮୧ ଭୋଟ ପାଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ୧୨ ହଜାର ୨୮୩ ଭୋଟ ପାଇଥିଲେ ।

ନିର୍ବାଚନ ଲଢ଼ିବାର ଅଭିଜ୍ଞତା ନଥିବା ପୀତାମ୍ବର ନବୀନଙ୍କ ଗଡ଼ରେ କେଉଁ ରଣନୀତି ନେଇ ହିଞ୍ଜିଳିବାସୀଙ୍କ ସାମ୍ନାକୁ ଯିବେ ? ହିଞ୍ଜିଳି ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦବଦବା ସ୍ପଷ୍ଟ ବାରି ହୋଇପଡ଼େ । ଚଳିତ ଥର ମିଶାଇ ହିଞ୍ଜିଳିରୁ ପାଂଚ ଥର ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ନବୀନ ।  ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଥର ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି ଏବଂ ଓଡ଼ିଶାର ଶାସନ ଭାର ସମ୍ଭାଳିଛନ୍ତି । ହିଞ୍ଜିଳି ଆସନରେ ନବୀନଙ୍କ ଲୋକପ୍ରିିୟତା ବଢ଼ିବାରେ ଲାଗିଛି । ଏପରିସ୍ଥଳେ ବିଜେପି ପୀତାମ୍ବର ଆଚାର୍ଯ୍ୟଙ୍କ ସାମ୍ନାକୁ ଆଣିଛି । ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଆଗରେ ତିଷ୍ଠିପାରିବେ ତ ପୀତାମ୍ବର ?