କନକ ବ୍ୟୁରୋ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରେ ନିର୍ବାଚନ ପ୍ରଚାର ଚଳାଇଛନ୍ତି । ପ୍ରଥମେ ବରଗଡ଼ ଜିଲ୍ଲା ଅତାବିରା ଓ ପଦ୍ମପୁରରେ ନିର୍ବାଚନୀ ସଭାରେ ଯୋଗ ଦେବା ପରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ହାଇଟେକ୍ ବସରେ ରୋଡ ସୋ’ କରିଛନ୍ତି । ୨୦୦ କିଲୋମିଟର ପର୍ଯ୍ୟନ୍ତ ବୁଲିବ ବିଜେଡି ସୁପ୍ରିମୋଙ୍କ ବସ । ମୁଖ୍ୟମନ୍ତ୍ରୀଙ୍କ ଝଲକ ପାଇବା ପାଇଁ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ବିଜେଡି କର୍ମୀଙ୍କ ଓ ସମର୍ଥକଙ୍କ ଭିଡ ଜମୁଛି । ପାଟଣାଗଡ଼ ବିଜେଡ଼ି ପ୍ରାର୍ଥୀ ସରୋଜ ମେହେରଙ୍କ ପାଇଁ ଭୋଟ୍ ମାଗିଛନ୍ତି ନବୀନ ପଟ୍ଟନାୟକ ।
ଓଲିଉଡ଼ର କଳାକାର ମଧ୍ୟ ବିଜେଡ଼ି ମୁଖିଆଙ୍କ ରୋଡ଼ ସୋ’ରେ ଯୋଗଦେଇଛନ୍ତି । କଳାକାରମାନେ ମାନେ ବିଜେଡ଼ ପ୍ରାର୍ଥୀଙ୍କୁୁ ଭୋଟ ଦେବା ପାଇଁ ଅପିଲ କରିଛନ୍ତି । ପାଟଣାଗଡ଼ ପରେ ବେଲପଡାରୁ ରୋଡ ସୋ କରିବେ ବିଜେଡି ସୁପ୍ରିମୋ । ବେଲପଡାରୁ କଂଟାବାଞ୍ଜି, ବଙ୍ଗୋମୁଣ୍ଡା, ହଲରଦି ଟିଟିଲାଗଡ, ବେଲଗାଁ, ବଲାଙ୍ଗିର, ଲୋଇସିଂହାରେ ରୋଡ ସୋ କରିବେ । ବରଗଡରେ ମୁଖ୍ୟମନ୍ତ୍ରୀ ରାତ୍ରି ଯାପନ କରିବା କାର୍ଯ୍ୟସୂଚୀ ରହିଛି ।
ସେପଟେ ଅତାବିରା ଓ ପଦ୍ମପୁରରେ ନବୀନ ନିଜ ସରକାରର ସଫଳତା ବଖାଣିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରର ବିଜେପି ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ଦଳ ସୁପ୍ରିମୋ ।
Follow Us