ନବୀନଙ୍କ ପଂଚମ ପାଳି : ରେକର୍ଡ଼ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ 

735
କନକ ବ୍ୟୁରୋ : ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ପଂଚମ ପାଳି । ରେକର୍ଡ଼ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ । ଲଗାତାର ପଚଂମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ । ବିଧାନସଭା ନିର୍ବାଚନରେ ବିଜେଡିର ବଡ ବିଜୟ ପରେ ଲଗାତର ପଂଚମ ଥର ଲାଗି ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଆଜି ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି । ସକାଳ ପ୍ରାୟ ୧୦.୪୫ ଟାରେ ଶପଥ ନେଲେ ନବୀନ । ରାଜଧାନୀସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଭବ୍ୟ ସମାରୋହରେ ନବୀନ ପଟ୍ଟନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏଥିସହ ନୂଆ ମନ୍ତ୍ରୀ ମଣ୍ଡଳ ବି ଶପଥ  ନେଉଛନ୍ତି । ନବୀନଙ୍କ ପଞ୍ଚମ ପାଳିର ଶପଥ ସମାରୋହରେ ଯୋଗଦେଇଛନ୍ତି ତାଙ୍କ ପରିବାର । ଭଉଣୀ ଗୀତା ମେହେଟ୍ଟା ଏବଂ ଭାଇ ପ୍ରେମ୍ ପଟ୍ଟନାୟକ ଶପଥ ସମାରୋହରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।
ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିବା ପରେ ୨୦ ଜଣିଆ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ରାଜ୍ୟପାଳ ଶପଥ ଗ୍ରହଣ କରାଉଛନ୍ତି । କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବେ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ, କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ନୟାଗଡ ବିଧାୟକ ଅରୁଣ କୁମାର ସାହୁ, ବାଙ୍ଗିରପୋଷି ବିଧାୟକ ସୁଦାମ ମାରାଣ୍ଡି, ଭଟଲି ବିଧାୟକ ସୁଶାନ୍ତ ସିଂହ, ଝାରସୁଗୁଡା ବିଧାୟକ ନବ କିଶୋର ଦାସ ଏବଂ ଟିଟିଲାଗଡ ବିଧାୟିକା ଟୁକୁନି ସାହୁ ଶପଥ ନେଇଛନ୍ତି ।