ପରଲୋକରେ ଦାମଙ୍କ ପତ୍ନୀ ! ବିଜେପି ନେତାଙ୍କ ବାସବଭନରେ ପହଞ୍ଚି ସ୍ନେହଲତାଙ୍କ ଶେଷ ଦର୍ଶନ କଲେ ନବୀନ

1,490

କନକ ବ୍ୟୁରୋ : ଡକ୍ଟର ଦାମୋଦର ରାଉତଙ୍କ ପତ୍ନୀଙ୍କ ବିୟୋଗରେ ଆଜି ତାଙ୍କ ବାସଭବନରେ ପହଚିଂଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାମଙ୍କ ପତ୍ନୀ ସ୍ନେହଲତାଙ୍କୁ ଶେଷ ଶ୍ରଦ୍ଧାଂଜଳୀ ଦେଇଥିଲେ ନବୀନ । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ସକାଳ ୬ଟା ୪୫ରେ ଆଖିବୁଜିଥିଲେ ସ୍ନେହଲତା । ସ୍ନେହଲତାଙ୍କ ଶେଷ ଦର୍ଶନ ପାଇଁ ବିଭନ୍ନ ବର୍ଗର ଲୋକଙ୍କ ସହ ନେତାଙ୍କ ମଧ୍ୟ ଭିଡ ଜମିଥିଲା । ବିଜେଡିର ତୁଙ୍ଗ ନେତାଙ୍କ ସହ ପାଖାପାଖି ୧୨ଟା ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାମଙ୍କ ବାସଭବନରେ ପହଚିଂଥିଲେ । ନବୀନ ପହଚିଂବା ପରେ ଦାମ ରାଉତ ଓ ନବୀନ ପରସ୍ପରକୁ ହାତଯୋଡି ନମସ୍କାର ଜଣାଇଥିଲେ ।

ନବୀନ ଦାମଙ୍କୁ କିଛି ପଚାରିଥିବାର ଦେଖିବାକୁ ମିଳିଥିଲା । ଦାମ ବି ଏହାର ଉତର ରଖିଥିଲେ । ଏହି ସମୟରେ ପୁଅ ସମ୍ବିତ ଦାମଙ୍କ ହାତ ଧରି ନବୀନଙ୍କ ପାଖକୁ ନେଇ ଆସିଥିଲେ । ନବୀନ ଓ ଦାମଙ୍କ ସେହି ଦୃଶ୍ୟକୁ ସମସ୍ତେ ଦେଖୁଥିଲେ, କାରଣ ଗତ ସେପେଟମ୍ବର ୧୨ରେ ବିଜେଡିରୁ ଦାମଙ୍କୁ ବହିଷ୍କାର କରାଯାଇଥିଲା । ଏହା ପରେ ପ୍ରାୟ ଏକ ସପ୍ତାହ ପୂର୍ବରୁ ଦାମ ଦିଲ୍ଲୀ ଯାଇ ବିଜେପିରେ ସାମିଲ ହୋଇଥିଲେ । ଏହି ରାଜନୈତିକ ପୃଷ୍ଠଭୂମିରେ ନବୀନ ଦାମଙ୍କ ବାସଭବଦନକୁ ଯାଇ ଶ୍ରଦ୍ଧାଂଜଳୀ ଜଣାଇଥିଲେ । ଯାହା ଚର୍ଚ୍ଚାର ଘେରକୁ ଆସିଥିଲା ।

ସେପଟେ ଦାମ ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରଙ୍କ ଶେଷ ଦର୍ଶନ ପାଇଁ ବିଜେପିର ତୁଙ୍ଗ ନେତା ମାନେ ମଧ୍ୟ ଦାମଙ୍କ ବାସଭବନରେ ପହିଚିଂଥିଲେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦାମଙ୍କ ବାସଭବନରେ ପହଚିଂ ଶେଷ ଦର୍ଶନ କରିଛନ୍ତି । ଏହା ସହ ଦାମଙ୍କୁ ଆଶ୍ୱସନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ସହ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଦନ ସିଂଦେଓ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଦାମ ରାଉତଙ୍କ ଘରେ ପହଂଚି ଶ୍ରଦ୍ଧାଂଜଳି ଦେଇଛନ୍ତି । ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ମଧ୍ୟ ଦାମଙ୍କ ବାସଭବନରେ ପହଚିଂଥିଲେ । ସ୍ନେହଲତାଙ୍କ ମରଶରୀର ତିର୍ତୋଲ ନିଆଯାଆଇଛି । ଏହା ପରେ ସେଠାରୁ ପୁରୀ ନିଆଯାଇ ଅନ୍ତିମ ସଂସ୍କାର କରାଯିବ ।