ବରଗଡ ଅତାବିରାରେ ପୁଣି ବର୍ଷିଲେ ବିଜେଡ଼ି ସଭାପତି ! ନବୀନ କହିଲେ, ୨ ଓଡ଼ିଆ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି, ହେଲେ ଓଡିଶା ସ୍ୱାର୍ଥରେ କେହି ପାଟି ଫିଟାଇଲେ ନାହିଁ

306

କନକ ବ୍ୟୁରୋ : ବରଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅତାବିରା ସାଧାରଣ ସଭାରେ ଯୋଗଦେଲେ ବିଜେଡ଼ି ସୁପ୍ରିମୋ । ଜୟ ଜଗନ୍ନାଥ କହି ଅଭିଭାଷଣ କଲେ ମୁଖ୍ୟମନ୍ତ୍ରୀ । ଖରାରେ ସଭାରେ ଯୋଗଦେଇଥିବାରୁ ଜନତାଙ୍କୁ ଧନ୍ୟବାଦ ଜଣାଇଲେ ଦେଲେ ମୁଖ୍ୟମନ୍ତ୍ରୀ । ବରଗଡ ଅତାବିରାରେ ସାଧାରଣ ସଭାରେ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବୁଣାକାରଙ୍କ ଉପରେ ଜିଏସି ଲଗାଇଲେ କେନ୍ଦ୍ର ସରକାର । ଏମଏସପି ଦୁଇଗୁଣା ପାଇଁ କହିଥିଲେ, ଦୀର୍ଘ ଦିନର ଅପେକ୍ଷା ପରେ ବି ନିଷ୍ପତ୍ତି ନିଆଗଲା ନାହିଁ । ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ସରକାର ଦାବି କଲାପରେ ବି କିଛି ହେଲାନାହିଁ । ବିଧାସଭାରେ ହାଉସ କମିଟି କରି ଦିଲ୍ଲୀ ଗଲେ ତଥାପି କିଛି ମିଳିଲା ନାହିଁ । ୨ ବର୍ଷ ହୋଇଗଲା କିନ୍ତୁ ୨ ମିନିଟ ସମୟ ଦେଇପାରିଲେ ନାହିଁ । କୋଶଳି ଭାଷାକୁ ସ୍ୱୀକୃତି ଦେବା ପାଇଁ କେନ୍ଦ୍ର ନିକଟରେ ଦାବି ହୋଇଥିଲା । ସେଥିରେ ମଧ୍ୟ ସେ ଚୁପ୍ ରହିଲେ । ଦୁଇ ଜଣ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ସେମାନେ ବି ଓଡ଼ିଶା ପକ୍ଷ ନେଇ ମୁହଁ ଖୋଲିଲେ ନାହିଁ ।

ସେପେଟ ନବୀନ କହିଛନ୍ତି କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । କିନ୍ତୁ କେନ୍ଦ୍ରର ବିଜେପି ସରକାର କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ଚଳାଇଛି । ହେଲେ ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ଜନତା ଦଳ ସରକାର ଗଠନ କରିବାର ପ୍ରଥମ ଦିନରେ କାଳିଆ ଯୋଜନାର ୨ କିସ୍ତି ଟଙ୍କା ମିଳିବ । ନିର୍ବାଚନ ଆସିଲେ ଓଡ଼ିଶାରେ କେନ୍ଦ୍ରୀୟ ନେତାଙ୍କ ପାଦ ପଡ଼ୁଛି । ଓଡ଼ିଶାବାସୀଙ୍କ ଦୁଃଖସୁଖରେ କୁଆଡ଼େ ଥିଲେ ? ସାଢ଼େ ୪ କୋଟି ଓଡ଼ିଆଙ୍କ ସହ ମୁଁ ସବୁବେଳେ ରହିଛି । ଏହାସହ ସେଠାରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ବିଜେଡ଼ି ସୁପ୍ରିମୋ ।

ତେବେ ଅତାବିରା ପରେ ପଦ୍ମପୁର ସଭାରେ ପହଂଚିବେ ମୁଖ୍ୟମନ୍ତ୍ରୀ । ପଦ୍ମପୁରରେ ପ୍ରଚାର କରିବା ପରେ ବଲାଙ୍ଗିରରେ ପାଟଣାଗଡରେ ଆୟୋଜିତ ସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ବେଲପଡାରୁ ରୋଡ ସୋ କରିବେ ବିଜେଡି ସୁପ୍ରିମୋ । ବେଲପଡାରୁ କଂଟାବାଞ୍ଜି, ବଙ୍ଗୋମୁଣ୍ଡା, ହଲରଦି ଟିଟିଲାଗଡ, ବେଲଗାଁ, ବଲାଙ୍ଗିର, ଲୋଇସିଂହାରେ ରୋଡ ସୋ କରିବେ । ବରଗଡରେ ମୁଖ୍ୟମନ୍ତ୍ରୀ ରାତ୍ରି ଯାପନ କରିବା କାର୍ଯ୍ୟସୂଚୀ ରହିଛି ।