ପାଟକୁରାରେ ପହଞ୍ଚିଲେ ବିଜେଡ଼ି ସୁପ୍ରିମୋ : ଦଳୀୟ ପ୍ରାର୍ଥୀଙ୍କ ପାଇଁ ହାଇଟେକ ବସରେ ପ୍ରଚାର କରୁଛନ୍ତି ନବୀନ

157

କନକ ବ୍ୟୁରୋ : ପାଟକୁରାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ପାଟକୁରାରେ ବିଜୟ ବାନା ଉଡ଼଼ାଇବା ପାଇଁ ଖୋଦ୍ ମୁଖିଆ ଆଜି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ପ୍ରଚାର ଆରମ୍ଭ କରିଦେଇଛନ୍ତି । ହାଇଟେକ୍ ବସରେ ରୋଡ଼ସୋ’ ଆରମ୍ଭ କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନବୀନ ପାଟକୁରାରେ ବିଜେଡି ପ୍ରଚାର ଉପରେ ଶେଷ ମୋହର ଲଗାଇବେ ବୋଲି ଦଳୀୟ ନେତା ଓ କର୍ମୀ ଦୃଢ଼ ବିଶ୍ୱାସ ରଖିଛନ୍ତି । ନବୀନଙ୍କ ଲୋକପ୍ରିୟତା ଆଧାରରେ ପୁଣି ଥରେ ପାଟକୁରା ଲୋକଙ୍କ ମନ ଜିଣିବା ପାଇଁ ଚେଷ୍ଟା କରୁଛି ବିଜେଡ଼ି । ପଞ୍ଚମଥର ପାଇଁ ସରକାର ଗଢ଼ିବା ପରେ ପାଟକୁରା ନିର୍ବାଚନ ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ ।

୧୮ ସନ୍ଧ୍ୟା ପର୍ଯ୍ୟନ୍ତ ପଂଚାୟତ ଆଉ ୱାର୍ଡ ନଛାଡିବାକୁ ଦଳୀୟ ବିଧାୟକ ଓ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦଳରେ ରହିଥିବା ଗୋଷ୍ଠୀ କନ୍ଦଳକୁ ଯଥା ସମ୍ଭବ ସମାଧାନ କରିବାକୁ ଉଦ୍ୟମ କରାଯାଇଛି । ବିଶେଷ କରି ଡେରାବିଶ୍ ଅଂଚଳରେ ଉଭୟ ପଟକୁ ଏକାଠି କରିବାର ଉଦ୍ୟମ କରିଛନ୍ତି ଦଳର ବରିଷ୍ଠ ନେତା ।

ବିଜେଡ଼ିର ଗଡ଼ ହୋଇଥିଲେ ମଧ୍ୟ ପାଟକୁରାକୁ ସାଧାରଣ ଭାବେ ନେବାକୁ ଚାହୁଁନାହାନ୍ତି ସୁପ୍ରିମୋ । ନେତା,ମନ୍ତ୍ରୀ ଡେରା ପକାଇଥିଲେ ମଧ୍ୟ ନିଜେ ପ୍ରଚାରରେ  ବାହାରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ପାଟୁକରାରୁ ବିଜେଡ଼ି ବିଜୟ ବାନା ଉଡ଼ାଇ ଆସୁଛନ୍ତି । ୨୦୧୪ ପରେ ପୁଣି ଥରେ ୨୦୧୯ରେ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ପାଟକୁରା ମଙ୍ଗ ଧରାଇଥିଲେ ନବୀନ । ହେଲେ ବିଜେଡ଼ି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ସ୍ଥଗିତ ହୋଇଥିଲା ନିର୍ବାଚନ । ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ତାଙ୍କ ସ୍ତ୍ରୀଙ୍କୁ ପ୍ରାର୍ଥୀ କରିଥିଲା ବିଜେଡ଼ି । ପୂର୍ବତନ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ବିଜେଡିରୁ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ପ୍ରତି ସାଧାରଣରେ ରହିଛି ଅନୁକମ୍ପା ।