କୋମନା ନିର୍ବାଚନୀ ସଭାରୁ ମହିଳାଙ୍କ ପାଇଁ ନବୀନଙ୍କ ବଡ ଘୋଷଣା ! କ୍ଷମତାକୁ ଆସିଲେ ୭ ଲକ୍ଷରୁ ୧୦ ଲକ୍ଷକୁ ବଢିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଶି, ମାଗଣାରେ ପାଠ ପଢ଼ିବେ ସବୁ ଝିଅ

324

କନକ ବ୍ୟୁରୋ : ନୂଆପଡ଼ା କୋମନା ନିର୍ବାଚନୀ ସଭାରେ ବିଜେଡ଼ି ସୁପ୍ରିମୋଙ୍କ ନିର୍ବାଚନ ପ୍ରଚାର । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ଚଳାଇଛନ୍ତି ନବୀନ । ନିର୍ବାଚନୀ ଇସ୍ତାହାରରେ ମହିଳା ଓ ଝିଅଙ୍କୁ ଗୁରୁତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ । ନିର୍ବାଚନୀ ସଭାରେ ମା’ଙ୍କ ଉଦ୍ଦେଶ୍ୟରେ ନବୀନ କହିଛନ୍ତି ମା’ମାନେ ବିକାଶର ପ୍ରକୃତ ଡବଲ ଇଞ୍ଜିନ୍ । ବିଜେଡ଼ି କ୍ଷମତାକୁ ଆସିଲେ ମହିଳାଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସହାୟତା ରାଶି ବୃଦ୍ଧି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମା’ମାନଙ୍କୁ ୭ ଲକ୍ଷ ବଦଳରେ ୧୦ ଲକ୍ଷ ପ୍ରଦାନ କରାଯିବ । ଏହାବ୍ୟତୀତ ମିଶନ ଶକ୍ତିର ମା’ମାନଙ୍କୁ ୫ ହଜାର କୋଟି ପର୍ଯ୍ୟନ୍ତ ସରକାରୀ କାମ ଯେଗ।ଇ ଦିଆଯିବ ।

ନବୀନଙ୍କ ଫୋକସରେ ମହିଳା । ଗରିବ ଝିଅ ମାନଙ୍କୁ ବିବାହ ସମୟରେ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ । ସବୁ ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନଙ୍କ ପାଇଁ ବିନା ସୁଧରେ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ । ରାଜ୍ୟର ସମସ୍ତ ଝିଅଙ୍କୁ ମାଗଣାରେ ଶିକ୍ଷା ସୁବିଧା ଉପଲବ୍ଧ କରାଯିବ । କେଜିରୁ କଲେଜ, ମେଡ଼ିକାଲ, ଇଞ୍ଜିନିୟରିଂ ସବୁ ପାଠ୍ୟକ୍ରମ ପାଇଁ ମାଗଣାରେ ପଢ଼ିପାରିବେ ଝିଅମାନେ । ଦଳ ସରକାର ଗଢ଼ିଲେ ଆଶ୍ରମ ସ୍କୁଲ ପରିଚାଳନା, ଡାକ୍ତରଖାନା ପରିଚାଳନା, ସ୍କୁଲ ୟୁନିଫର୍ମ ଯୋଗାଣ ଅନେକ ସରକାରୀ କାମ ପାଇଁ ମିଶନ ଶକ୍ତିର ମା’ମାନଙ୍କୁ ନିୟୋଜିତ କରାଯିବ । ଯଦ୍ୱାରା ମିଶନ ଶକ୍ତିର ମା’ମାନେ ୫ ଶହ କୋଟି ଟଙ୍କାର ଲାଭ ପାଇବେ ।

ଚଳିତ ନିର୍ବାଚନରେ ପ୍ରାୟ ୫୦ ପ୍ରତିଶତ ମହିଳା ଭୋଟର ରହିଛନ୍ତି । ଆଉ ଏହି ମହିଳାମାନେ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଓ କଳାହାଣ୍ଡି ଗସ୍ତରେ ଥିବା ବେଳେ ଏହି ଘୋଷଣା କରିଛନ୍ତି । ନୂଆପଡା ତରବୋଡ ପ୍ରଚାର ସଭାରେ ଜନସଧାରଣଙ୍କୁ ଉଦବୋଧନ ଦେଇ ବିଜେଡି ଇସ୍ତାହାରରେ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଏହି ନିର୍ବାଚନ ସଭାରେ କେନ୍ଦ୍ର ଉପରେ ପୁଣି ବର୍ଷିଛନ୍ତି ବିଜେଡ଼ି ସଭାପତି । ନିର୍ବାଚନ ଆସିଲେ କେନ୍ଦ୍ରର ବଡ଼ ବଡ଼ ନେତାଙ୍କ କଥା ମନେ ପଡ଼େ । ଭବାନୀ ପାଟଣାର ରେଳ ୱାଗନ, ଦୁଇଗୁଣା ଏମଏସପି, ସବୁ ଜମିକୁ ଜଳସେଚନ, ଏସସି/ଏସଟି ପିଲାଙ୍କ ବୃତ୍ତିକାହିଁକି ବନ୍ଦ କରାଗଲା ପ୍ରଶ୍ନ କରିବା ନେଇ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ଆଜି ବି ବୀମା କରି ଚାଷୀ ହଇରାଣ ହେଉଛନ୍ତି ।