ହାରିଥିବା ବିଜେଡି ନେତାଙ୍କୁ ନବୀନ ନିବାସ ଡାକରା : କାହିଁକି ହାରିଲେ ବିଧାୟକ, ଆରମ୍ଭ ହେଲା କାରଣ ଖୋଜା

725

କନକ ବ୍ୟୁରୋ : ବିଜେଡିରେ ହାରିଥିବା ସ୍ଥାନଗୁଡିକରେ ଚାଲିଛି କାରଣ ଖୋଜା । ଦଳ ୧୪୬ ଆସନରୁ ୧୧୨ ଆସନ ପାଇଥିଲେ ବି ଅନେକ ସ୍ଥାନରେ ବିଜେଡି ଜିତୁ ଜିତୁ ହାରିଛି । ପଞ୍ଚମ ପାଳିରେ ବିଜେଡି ୧୧୨ ଆସନରେ ବିଜୟ ଲାଭ କରିଛି। ଯେଉଁ ବିଧାନସଭା କ୍ଷେତ୍ରରେ ବିଜେଡ଼ି ପରାଜିତ ହୋଇଛି , ସେଥିପାଇଁ ତତପର ବିଜେଡ଼ି ସୁପ୍ରିମୋ । କାହିଁକି ଓ କେଉଁ ପରିସ୍ଥିତିରେ ଭୋଟ କମିଲା, ଦଳର ଶୀର୍ଷସ୍ତରରେ ମାନସ ମନ୍ଥନ ଆରମ୍ଭ ହୋଇଛି। ଠିକ୍ ଏହି ସମୟରେ ପରାଜିତ କିଛି ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ପ୍ରମାଣ ସହିତ ସେମାନଙ୍କ ବିରୋଇଧରେ ହୋଇଥିବା ଦଳୀୟ ଷଡ୍ୟନ୍ତ୍ର ସଂପର୍କରେ ନବୀନଙ୍କୁ ଜଣାଇଛନ୍ତି ।

ହାରିଥିବା ନେତାଙ୍କୁ ନବୀନ ନିବାସକୁ ଡକାଯାଇ ଚାଲିଛି କାରଣ ଖୋଜା  । ଏହାରି ଭିତରେ କଂଟାବାଞ୍ଚିର ପୂର୍ବତନ ବିଧାୟକ ଆୟୁବ ଖାଁ ଏ ନେଇ ଆଜି ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି, ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ସିଂହଦେଓ ଆଶା ଦେଇଥିଲେ ଟିକେଟ ଦେବେ ବୋଲି । କିନ୍ତୁ ଏହା ନ ହେବାରୁ ଦଳରେ ଅସନ୍ତୋଷ ରହିଥାଇପାରେ ଓ ଦଳ ହାରଥାଇପାରେ । ବିଧାନସଭା ନିର୍ବାଚନରେ ଆୟୁବ ଖାନକୁ କଂଟାବାଞ୍ଜିରେ ଟିକେଟ ମିଳିନଥିଲା । ଏଠାରେ ନୂଆ ମୁହଁ ଦେଇଥିଲା ବିଜେଡି । ଏହି ଆସନକୁ କଂଗ୍ରେସର ସନ୍ତୋଷ ସିଂ ସାଲୁଜା ମାତ୍ର ଅଳ୍ପ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେପଟେ କିଶୋର ମହାନ୍ତି କହିଛନ୍ତି, ବଲାଙ୍ଗୀର ଲୋକସଭାରେ ବିଜେଡି କଣ ପାଇଁ ହାରିଲା ତାର ପୋଷ୍ଟମର୍ଟମ ହେବା ଦରକାର । ଯୋଗେନ୍ଦ୍ର ବେହେରା ଲୋଇସିଂହାରେ ପ୍ରାର୍ଥୀ ଚୟନ ଠିକନ ଥିବା ଆଡକୁ ଇଙ୍ଗିତ କରିଛନ୍ତି । ଏଠାରୁ ତାଙ୍କ ପୁଅ ଅଶାୟୀ ଥିଲେ ।