ଜିରୋ ଟଲରେନ୍ସ ନବୀନ । ଦୁର୍ନୀତିଗ୍ରସ୍ତଙ୍କୁ ନିସ୍ତାର ନାହିଁ । ଯେତେବେଳେ ଦୁର୍ନୀତିର ଅଭିଯୋଗ ଆସିଛି, ସେତେବେଳେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ

917

କନକ ବ୍ୟୁରୋ : ୨୦୧୯ ମେ’ ୨୯ ତାରିଖ । ପୁଣି ଥରେ ଓଡ଼ିଶା ରାଜନୀତି ଇତିହାସର ପୁନରାବୃତି ହେଲା । ପଂଚମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ ପଟ୍ଟନାୟକ । ଯେତେବେଳେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କୁ ପୁଣିଥରେ ସ୍ୱାଗତ କରିବା ପାଇଁ ଦେଶବାସୀ ପ୍ରସ୍ତୁତ ହେଉଥିଲେ, ସେତେବେଳେ ରାଜ୍ୟରେ କିନ୍ତୁ କ୍ଷମତାକୁ ଫେରିଥିଲେ ନବୀନ । ଆଉ ୫ବର୍ଷ ପାଇଁ ରାଜ୍ୟବାସୀ ଅଜାଡ଼ି ଦେଇଥିଲେ ବିପୁଳ ସମର୍ଥନ । କ୍ରମାଗତ ଭାବେ ପଂଚମ ଥର ରାଜ୍ୟ ଶାସନର ଡୋର ଧରିଥିଲେ ନବୀନ । ଆଉ ଏହାରି ଭିତରେ ସରିଛି ନବୀନଙ୍କ ପଂଚମ ପାଳିର ପ୍ରଥମ ବର୍ଷ ।

ଦୁର୍ନୀତିଗ୍ରସ୍ତଙ୍କୁ ବରଦାସ୍ତ କରାଯିବ ନାହିଁ । ପ୍ରଶାସନିକ ବ୍ୟବସ୍ଥାକୁ ଦୁର୍ନୀତି ମୁକ୍ତ କରିବା ପାଇଁ ଶୂନ୍ୟ ସହନଶୀଳ ନୀତି ଆପଣାଇ ଥିଲେ ନବୀନ ସରକାର । ଯେତେବେଳେ କୌଣସି ସରକାରୀ ଅଧିକାରୀଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଆସିଛି, ସେତେବେଳେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷକ ମଧ୍ୟରେ ନବୀନ ଏହିପରି କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ଯାହା ଆଜି ଉଦାହରଣ ପାଲଟିଛି ।

ନବୀନ ସରକାରର ସବୁଠୁ ବଡ ପଦକ୍ଷେପ ଥିଲା ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଶାସ୍ତି ଦେବା । କୌଣସି ବି ସରକାରୀ ଅଧିକାରୀଙ୍କ ଦୁର୍ନୀତିକୁ ବରଦାସ୍ତ କରିନାହାନ୍ତି ନବୀନ ସରକାର । ଗତ ଏକ ବର୍ଷ ମଧ୍ୟରେ କିଛି ଏପରି କାର୍ଯ୍ୟାନୁଷ୍ଠାନ ନବୀନ ସରକାର ଗ୍ରହଣ କରିଛନ୍ତି, ଯାହା ସୁଚାଉଛି ରାଜ୍ୟରେ କିପରି ଚାଲିଛି ଏକ ଦାୟିତ୍ୱବାନ ସ୍ୱଚ୍ଛ ସରକାର । ଗତ ୧ ବର୍ଷ ମଧ୍ୟରେ ପ୍ରାୟ ୧୫୦ ସରକାରୀ ଅଧିକାରୀଙ୍କୁ ମିଳିଛି ଦଣ୍ଡ ।ଏମାନଙ୍କ ମଧ୍ୟରେ ଅଛନ୍ତି ଆଇଏଏସ ଅଫିସର, ଡିଏଫଓ, ବିଡିଓ, ଏକଜିକ୍ୟୁଟିଭ ଇଞ୍ଜିନିୟର ।

ଦୁର୍ନୀତି ଅଭିଯୋଗରେ ଜେଲ ଗଲେ ଆଇଏଏସ ଅଫିସର । ଭିଜିଲାନ୍ସର ଅଭିଯୋଗ, ପ୍ରଧାନମନ୍ତ୍ରୀ କୃଷି ସିଂଚନ ଯୋଜନାରେ ବଡ଼ ଧରଣର ଦୁର୍ନୀତିର କାର୍ପୋଟଦାର ହେଉଛନ୍ତି ଉଦ୍ୟାନକୃଷିର ତକ୍ରାଳୀନ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ । ଚାଷୀମାନଙ୍କୁ ଜଳ ସିଂଚନ ଉପକରଣ ଯୋଗାଉଥିବା ଅଧିକୃତ ସପ୍ଲାୟରଙ୍କ ଠାରୁ ବିଲ୍ ଟଙ୍କା ପଇଠ ପାଇଁ ନେଇଥାନ୍ତି ଲାଂଚ । ତାଙ୍କ ପାଇଁ ଲାଂଚ ଟଙ୍କା ଆଦାୟ କରିଥାନ୍ତି ୟେସ ବ୍ୟାଙ୍କର ରିଲେସନସିପ ମ୍ୟାନେଜର ସନ୍ତୋଷ ପଟ୍ଟନାୟକ । ସନ୍ତୋଷଙ୍କ ଅଭିଯୋଗ, ବଡ଼ ବଡ଼ିଆଙ୍କ ଷଡଯନ୍ତ୍ରର ସେ ଶିକାର ହୋଇଛନ୍ତି । ତାଙ୍କ ପକେଟରେ ଜବରଦସ୍ତ ଟଙ୍କା ରଖି ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

ସେପଟେ ଭିଜିଲାନ୍ସର ଯୁକ୍ତି ଥିଲା, ଏସଆରଏମ ପ୍ଲାଷ୍ଟୋକେମ ପ୍ରାଇଭେଟ ଲିିମିଟେଡର ୫୦ ଲକ୍ଷ ଟଙ୍କାର ବିଲ୍ ରିଲିଜ କରିବା ପାଇଁ ୧ ଲକ୍ଷ ଟଙ୍କା ଦାବି କରିଥିଲେ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ । ତାଙ୍କ ପାଇଁ ସନ୍ତୋଷ ପଟ୍ଟନାୟକ ଟଙ୍କା ନେଲା ବେଳେ ଧରା ପଡିଥିଲେ । ତେବେ ସନ୍ତୋଷଙ୍କ ଭଳି ପୂର୍ବରୁ ବିଜୟ କେତନ ମଧ୍ୟ ଏହାକୁ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି କହିଥିଲେ ।

ସେହିପରି ଅପରେସନ୍ ବ୍ଲାକ୍ଆଉଟ୍ ପରେ ନିଲମ୍ବିତ ହୋଇଥିଲେ ବିଦ୍ୟୁତ ବିଭାଗର ୬ ଜଣ ଅଧିକାରୀ । ପଇସା ପାଇଁ ପାୱାର କଟ୍ କରିବାକୁ ପ୍ରସ୍ତୁତ ଥିବା ଖୋର୍ଦ୍ଧା ଇଲେକ୍ଟ୍ରିକାଲ୍ ଡିଭିଜନର ଜୁନିୟର ଇଂଜିନିୟର ଅଭିମନ୍ୟୁ ଜେନା, ଭୁବନେଶ୍ୱର ଭିଏସଏସ ନଗର ସବଡିଭିଜନର ଜେଇ ସୁବ୍ରତ ଦାସ, ବରମୁଣ୍ଡା ଜେଇ ସୁବ୍ରତ ମିଶ୍ର, ଜଟଣୀ ଇଲେକ୍ଟ୍ରିକାଲ ଜୁନିୟର ଇଂଜିନିୟର ସୁବ୍ରତ ତ୍ରିପାଠୀ, ନବରଙ୍ଗପୁର ନିର୍ବାହୀ ଯନ୍ତ୍ରୀ ଭଗବାନ ପ୍ରଧାନ, ରାୟଗଡ଼ା ଗୁଣପୁର ସବଡିଭିଜନର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥପ୍ରସାଦ ନନ୍ଦ ନିଲମ୍ବିତ ହୋଇଥିଲେ ।

ଥାନା ଭିତରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ, କେନ୍ଦୁଝର ଜିଲ୍ଲା ପାଟଣା ଥାନାର ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ମହଙ୍ଗା ପଡ଼ିଥିଲା । ପାଟଣା ଆଇଆଇସିଙ୍କ ଆଚରଣ ପାଇଁ ତାଙ୍କୁ ନିଲମ୍ବନ କରାଯାଇଥିଲା । ସଂଧ୍ୟାରାଣୀ ଜେନା ଯୁବକଙ୍କୁ ନିସ୍ତୁକ ପିଟିବା ଭିଡିଓ ଭାରରାଲ ହେବା ପରେ ଜବାବ ତଲବ କରିଥିଲେ ରାଜ୍ୟ ମାନବାଧିକାର କମିଶନ । ଜମିଜମା ବିବାଦକୁ କେନ୍ଦ୍ର କରି ମାର୍ଚ୍ଚ ୨୫ ତାରିଖରେ ୩ ଜଣ ଯୁବକଙ୍କୁ ଉଠାଇ ନେଇଥିଲା ପାଟଣା ପୁଲିସ୍ । ଆଉ ଏହି ସମୟରେ ସଂପୃକ୍ତ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଲେଡି ଆଇଆଇସି ।

୨୦୨୦ ଜାନୁଆରୀ ୧୦ ତାରିଖରେ ଦୁର୍ନୀତି ଅଭିଯୋଗରେ ୬ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର । ୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୁଳକ ଅବସର ଦିଆଯାଇଥିବା ବେଳେ ୪ ଅଧିକାରୀଙ୍କୁ ଚାକିରିରୁ ବହିସ୍କାର କରିଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ୧୨ ଜଣଙ୍କୁୁ ବାଧ୍ୟତାମୁଳକ ଅବସର ଦିଆଯାଇଥିବା ବେଳେ ୧୧ଜଣ ସରକାରୀ କର୍ମଚାରୀଙ୍କ ପେନସନକୁ ବନ୍ଦ କରାଯାଇଥିଲା । ଏହିପରି ଭାବରେ ସରକାରୀ ଅଧିକାରୀଙ୍କ କାର୍ଯ୍ୟଧାରାକୁ ନଜରରେ ରଖିଛନ୍ତି ସରକାର । ଯେଉଁଠି ଦୁର୍ନୀତିର ଗନ୍ଧ ବାରିଛନ୍ତି ସେଇଠି ହୋଇଛି କାର୍ଯ୍ୟାନୁଷ୍ଠାନ ।