ବିଶ୍ୱ ପାଇଁ ନବୀନ ପଥପ୍ରଦର୍ଶକ ! କରୋନା ମୁକାବିଲା ନେଇ ସାରା ଦେଶରେ ନବୀନଙ୍କ ପ୍ରଶଂସା : ତାମିଲ ପତ୍ରିକାର ପ୍ରଚ୍ଛଦରେ ଶୋଭାପାଇଲା ମୁଖ୍ୟମନ୍ତ୍ରୀଙ୍କ ଫଟୋ
କନକ ବ୍ୟୁରୋ : କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସା । ଏନେଇ ନିରନ୍ତର ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାମିଲ ପତ୍ରିକାରେ ଭୂୟସୀ ପ୍ରଶଂସା କରାଯାଇଛି । ଚେନ୍ନାଇରୁ ପ୍ରକାଶିତ ହେଉଥିବା ଜୁନିଅର ଭିକାତନ ତାମିଲ ପତ୍ରିକାରେ ନବୀନଙ୍କର ଶଙ୍ଖ ପୁଙ୍କୁଥିବା ଏକ ଚିତ୍ର ଦିଆଯାଇଛି ଏବଂ ଏଥିରେ ଲେଖାଯାଇଛି, କରୋନା ମୁକାବିଲା କ୍ଷେତ୍ରରେ ସାରା ବିଶ୍ୱ ପାଇଁ ନବୀନ ହେଉଛନ୍ତି ମାର୍ଗଦର୍ଶକ । ଏଥିରେ ପ୍ରକାଶିତ ଲେଖା ଅନୁସାରେ ୨୦୧୯ ଡିସେମ୍ବରରେ ଚୀନରେ ଦେଖାଦେଇଥିବା କରୋନା ସଂକ୍ରମଣ ବିଶ୍ୱର ବହୁ ଅଂଶକୁ ଗ୍ରାସ କରିଥିବା ବେଳେ ଭାରତକୁ ମଧ୍ୟ ପ୍ରଭାବିତ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭାରତରେ କରୋନା ସଂକ୍ରମଣ ଆରମ୍ଭ ହେବା ବେଳକୁ ଅଧିକାଂଶ ରାଜ୍ୟ କଣ କରିବେ ଚିନ୍ତା କରୁଥିବା ବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ବିନା ଦ୍ୱିଧାରେ ଏହି ମହାମାରୀ ମୁକାବିଲା ପାଇଁ ଅଂଟା ଭିଡିଥିଲେ ଏବଂ ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଦେଇଥିଲେ । ଓଡିଶାକୁ ଦେଖି ଅନ୍ୟ ରାଜ୍ୟଗୁଡିକ କିପରି ବିପର୍ଯ୍ୟୟ ମୁକାବିଲା କରିବେ ତାହା ଶିଖିବା ଆବଶ୍ୟକ ବୋଲି ଏହି ଲେଖାରେ କୁହାଯାଇଛି । ଏହା ପୂର୍ବରୁ ମଧ୍ୟ କେତେକ ହିନ୍ଦୀ ଖବର କାଗଜରେ ବିପର୍ଯ୍ୟୟ ମୁକାବିଲାର ଚାଣକ୍ୟ ବୋଲି ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି କୁହାଯାଇଥିଲା । ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା କରୋନା ଭଳି ମହାମାରୀ ହେଉ ସେଥିରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଅନୁକରଣୀୟ ବୋଲି ଉଲ୍ଲେଖ କରାଯାଇଥିଲା ।
କେବଳ ତାମିଲ୍ ଗଣମାଧ୍ୟମ ନୁହେଁ, ମୁଖ୍ୟମନ୍ତ୍ରୀ ନବୀନଙ୍କର କାର୍ଯ୍ୟଶୈଳୀକୁ ବହୁ ଜାତୀୟ ଗଣମାଧ୍ୟମ ବି ପ୍ରଶଂସା କରୁଛନ୍ତି । ଅପରପକ୍ଷେ କେନ୍ଦ୍ର ସରକାର ସାରା ଦେଶରେ ଲକ୍ଡାଉନ୍ ଅବଧି ଏପ୍ରିଲ ୩୦ତାରିଖ ପର୍ଯ୍ୟନ୍ତ ବଢ଼ାଇବାକୁ ବିଭିନ୍ନ ରାଜନୈତିକ ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଲକ୍ଡାଉନ୍ ଅବଧି ଏପ୍ରିଲ ୩୦ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ଏହାସହ ରାଜ୍ୟକୁ ବିମାନ ଓ ରେଳ ସେବା ଏପ୍ରିଲ ୩୦ ପର୍ଯ୍ୟନ୍ତ ବନ୍ଦ କରିବାକୁ ଅନୁରୋଧ କରିଛ ନ୍ତି। ମୁଖ୍ୟମନ୍ତ୍ରୀଙ୍କର ଏହିଭଳି ପଦକ୍ଷେପକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି କହିଛନ୍ତି , କରୋନା ମହାମାରୀର ସାମ୍ନା କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଲକ୍ଡାଉନ୍ ସମୟକୁ ଏପ୍ରିଲ ୩୦ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ । କରୋନାର ମୁକାବିଲା କରିବା ପାଇଁ ଲକ୍ ଡାଉନ୍କୁ ଶତପ୍ରତିଶତ ପାଳନ କରିବା ଏବଂ ସରକାରଙ୍କ କଥା ମାନିବ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀବି ନବୀନଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ।