ପ୍ରତିଶ୍ରୁତି ଭୁଲି ନାହାନ୍ତି ବିଜେଡ଼ି ସୁପ୍ରିମୋ : ନିର୍ବାଚନ ଜିତିବାର ଗୋଟିଏ ଦିନ ପରେ ହିଁ ପାଟକୁରା ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦେଲେ ନିର୍ଦ୍ଦେଶ

423

କନକ ବ୍ୟୁରୋ : ‘ପାଟକୁରାର ଦାୟିତ୍ୱ ମୋର’ ! ପାଟକୁରା ବିକାଶ ଦାୟିତ୍ୱ ମୁଁ ନିଜେ ବୁଝିବି । ପ୍ରଚାର ମୈଦାନରେ ସାବିତ୍ରୀ ଅଗ୍ରୱାଲଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିବା ସହ ପାଟକୁରାବାସୀଙ୍କୁ ଏପରି ପ୍ରତିଶ୍ରୁତି ଦେଇଥିଲେ ବିଜେଡ଼ି ସୁପ୍ରିମୋ । ଗତକାଲି ୧୭ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଧାୟିକା ହୋଇଛନ୍ତି ସାବିତ୍ରୀ ଅଗ୍ରୱାଲ । ବିଜେପିର ତୁଙ୍ଗ ନେତା ବିଜୟ ମହାପାତ୍ରଙ୍କୁ ହରାଇବାର ସମସ୍ତ ଶ୍ରେୟ ଯାଇଛି ନବୀନଙ୍କୁ । ନବୀନଙ୍କ ଲୋକପ୍ରିୟତା ଯୋଗୁଁ ହିଁ ବିଜେଡ଼ି ପାଟକୁରା ନିର୍ବାଚନ ବୈତରଣୀ ପାର କରିବାରେ ସମର୍ଥ ହୋଇଛି । ତେବେ ନିର୍ବାଚନ ଜିତିବା ପରେ ନିର୍ବାଚନୀ ପ୍ରତିଶ୍ରୁତି କଥା ଭୁଲିଯାଇ ନାହାନ୍ତି ନବୀନ । ପ୍ରତ୍ୟେକ୍ଷ ରୂପେ ପାଟକୁରା ବିକାଶ କଥା ବୁଝୁଛନ୍ତି ମୁଖ୍ୟମନ୍ତ୍ରୀ । ପାଟକୁରା ଅକ୍ତିଆର କରିବାର ଗୋଟିଏ ଦିନ ପରେ ହିଁ କାମ ଆରମ୍ଭ କରିଦେଇଛନ୍ତି ।

 

ଲୋକଙ୍କ ସମସ୍ୟା ବୁଝ, ଏବଂ ତୁରନ୍ତ ସମାଧାନ କର । ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିନଯାଉ । ପାଟକୁରା ବାସୀଙ୍କ କଥା ନିଜେ ବୁଝିବେ ନବୀନ । ପାଟକୁରାର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପ୍ରତାପ ଦେବ । ପାଟକୁରା ଦାୟିତ୍ୱରେ ଥିବା ନେତାମାନେ ଲୋକଙ୍କ ସୁବିଧା, ଅସୁବିଧା ଓ ଆବଶ୍ୟକତା କଥା ଭଲଭାବରେ ଅନୁଭବ କରିଥିବେ । ପ୍ରଚାର ସମୟରେ ଲୋକଙ୍କ ସହ ସେମାନେ ମିଶିଛନ୍ତି । ଲୋକେ କ’ଣ କହିଲେ ? କେଉଁ ଦିଗରେ କାମ ଆରମ୍ଭ କଲେ ପାଟକୁରାବାସୀ ଉପକୃତ ହୋଇପାରିବେ । ଏସବୁ ଦିଗକୁ ଜୋର ଦେଇ କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜି ନବୀନ ନିବାସରେ ପାଟକୁରା ନିର୍ବାଚନ ଫଳାଫଳ ନେଇ ମାନସ ମନ୍ଥନ ହୋଇଛି । ନିର୍ବାଚନ ସମୟରେ ଗତକାଲି ବିଜେଡି ବିପୁଳ ବିଜୟ ହାସଲ କରିବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପାଟକୁରା ଦାୟିତ୍ୱରେ ଥିବା ନେତା । ପାଟକୁରା ନିର୍ବାଚନ ଦାୟିତ୍ୱରେ ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଦେବ ,ଦେବୀ ମିଶ୍ର ଓ ପ୍ରଦୀପ ପାଣିଗ୍ରାହୀ ବିଜେଡି ସୁପ୍ରିମୋଙ୍କୁ ଭେଟି ପାଟକୁରା ଫଳାଫଳ ନେଇ ଆଲୋଚନା କରିଛନ୍ତି । ପାଟକୁରାର କେଉଁ ପଂଚାୟତରେ କେତେ ଭୋଟ କମିଲା ସେ ନେଇ ଆଲୋଚନା ହୋଇଛି । ସାଂଗଠନିକ ସ୍ଥିତି ଓ ପାଟକୁରରେ କମ ଭୋଟ ବ୍ୟବଧାନରେ ଜିତିବା ନେଇ ଆଲୋଚନା ହୋଇଥିବା କହିଛନ୍ତି ।