କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା : ଫୋନ୍ କରି ମୋଦିଙ୍କ ସହ କଥା ହେଲେ ନବୀନ,ରଥଯାତ୍ରା ସମ୍ପର୍କରେ ବି ହେଲା ଆଲୋଚନା

754

କନକ ବ୍ୟୁରୋ : କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇଛି । ଫୋନ୍ ମାଧ୍ୟମରେ ଉଭୟେ କଥାବାର୍ତ୍ତା ହୋଇଛନ୍ତି । କରୋନା ମୁକାବିଲା ସଙ୍ଗେ ସଙ୍ଗେ ଉଭୟଙ୍କ ମଧ୍ୟରେ ରଥଯାତ୍ରା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।  ଆଜି ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସମ୍ପର୍କରେ ବି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆଲୋଚନାରେ କ’ଣ ନିଷ୍କର୍ଷ ବାହାରିଛି, ତାହା ସମ୍ପର୍କରେ ସ୍ପଷ୍ଟ ସୂଚନା ନାହିଁ ।

ସେପଟେ ଆଜି ରଥଯାତ୍ରାର ଆୟୋଜନ ସମ୍ପର୍କରେ ଆସିପାରେ ଏକ ବଡ଼ ନିଷ୍ପତ୍ତି । ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସୁଥିବା ବେଳେ ଗତକାଲି ପୁରୀ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜଙ୍କୁ ଭେଟି ଆଲୋଚାନା କରିଛନ୍ତି ମୁଖ୍ୟ ପ୍ରଶାସକ । ଗତକାଲି ସନ୍ଧ୍ୟାରେ ପୁରୀ ଗଜପତିଙ୍କୁ ଭେଟିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏହା ପୂର୍ବରୁ ଦିନରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ମଧ୍ୟ ସେ ଆଲୋଚନା କରିଥିଲେ । ଆଉ ଏହାରି ଭିତରେ ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । କରୋନା କଟକଣା ଭିତରେ କେମିତି ହେବ ମହାପ୍ରଭୁଙ୍କ ରଥଯାତ୍ରା ଏବଂ ଚନ୍ଦନଯାତ୍ରା ନେଇ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି । ପ୍ରଥମଥର ପାଇଁ ଭିଡିଓ କନଫରେନ୍ସିଂରେ ପରିଚାଳନା କମିଟି ବୈଠକ ହେବ ।