କଶ୍ମୀରରେ ଆତଙ୍କବାଦ ପ୍ରସଙ୍ଗରେ ଏନଆଇଏର ବଡ ଖୁଲ୍ଲାସା : ପାକ୍ ଚ୍ୟାରିଟି ସଂଗଠନ ଚାନ୍ଦାରେ କଶ୍ମୀରରେ ଚାଲୁଛି ଆତଙ୍କବାଦ

38

କନକ ବ୍ୟୁରୋ : କଶ୍ମୀରରେ ଆତଙ୍କବାଦ ପ୍ରସଙ୍ଗରେ ଏନଆଇଏର ବଡ ଖୁଲ୍ଲାସା । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ନିଜ ଚ୍ୟାରିଟି ସଂଗଠନ ମାଧ୍ୟମରେ ଚାନ୍ଦା ଆଦାୟ କରି ଜମ୍ମୁ-କଶ୍ମୀରକୁ ପଠାଉଛି । ଜମାତ୍-ଉଦ୍-ଦାୱା ଓ ଲସ୍କର-ଏ-ତୋଏବା ଭଳି ଆତଙ୍କବାଦୀ ସଂଗଠନ ଏଭଳି କୋଟି କୋଟି ଟଙ୍କାର ଚାନ୍ଦା ପଠାଇ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଚଳାଇଥିବା କହିଛନ୍ତି ଏନଆଇଏ ଅଧିକାରୀ ଅତୁଲ ଗୋୟଲ ।

୧୯ ତମ ଏସିଆ ସୁରକ୍ଷା ସମ୍ମିଳନୀରେ ଏନଆଇଏ ଅଧିକାରୀଙ୍କ ଏପରି ବୟାନ ପରେ ପାକିସ୍ତାନର ମୁଖା ଖୋଲିଯାଇଛି । ଜେୟୁଡି, ଏଲଇଟି ଓ ଜେଇଏମ ଭଳି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଗୁଡିକ ନିଜ ଦେଶରୁ ଧର୍ମ ନାଁରେ ଚାନ୍ଦା ଆଦାୟ କରିଥାନ୍ତି । କିନ୍ତୁ ସେହି ଅର୍ଥକୁ କଶ୍ମୀରକୁ ପଠାଇ ଆତଙ୍କବାଦ ଚଳାଇଥାନ୍ତି ବୋଲି କହିଛନ୍ତି ଏନଆଇଏ ଅଧିକାରୀ ଅତୁଲ ଗୋୟଲ ।

ସେପଟେ ୨୬/୧୧ ମୁମ୍ବାଇ ଆକ୍ରମଣରେ ପାକିସ୍ତାନର ସଂପୃକ୍ତି ନେଇ ସ୍ୱୀକାର କରିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ମେହମୁଦ ଅଲ୍ଲୀ ଦୁରାନୀ । ୧୯ ତମ ଏସିଆ ସୁରକ୍ଷା ସମ୍ମିଳନୀରେ ଏପରି ସୂଚନା ଦେଇଛନ୍ତି ଦୁରାନୀ । ତେବେ ପାକିସ୍ତାନ ସରକାରଙ୍କ ଏଥିରେ କୌଣସି ଭୂମିକା ନଥିଲା, ବରଂ ପାକିସ୍ତାନର ଏକ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏହି ଆକ୍ରମଣ ହୋଇଥିବା କହିଛନ୍ତି ଦୁରାନୀ ।

ଏହା ସହ ବିଶ୍ୱରୁ ଆତଙ୍କବାଦ ମୁଳପୋଛ କରିବା ଆବଶ୍ୟକ ହୋଇପଡିଛି ବୋଲି ଗଣମାଧ୍ୟମ ସମ୍ମୁଖରେ ଦୁରାନୀ କହିଛନ୍ତି । ଜୈଶ-ଏ-ମହମ୍ମଦ ମୁଖିଆ ହାଫିଜ ସଇଦ ବିରୋଧରେ ମଧ୍ୟ କଠୋର ଆଭିମୁଖ୍ୟ ଦେଖାଇଛନ୍ତି ଦୁରାନୀ । ହାଫିଜ୍ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକିସ୍ତାନ ସରକାରଙ୍କୁ ସେ ଅପିଲ କରିଥିବା କହିଛନ୍ତି ।