ସରୁନି ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ : ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ

98

କନକ ବ୍ୟୁରୋ : ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଖୋର୍ଧା ଜିଲ୍ଲାର କୁହୁଡି, ଚଣ୍ଡେଶ୍ବର, ନାଚୁଣୀ, ସୁନାଖଳା, କହ୍ନେଇପୁର, ହରିକୁଣ୍ଡ ବରଡିହ ଅଞ୍ଚଳରେ ରାସ୍ତାର ଉଭୟ ପାର୍ଶ୍ବ ସଂପ୍ରସାରଣ ଉଦ୍ଦେଶ୍ୟରେ ଖୋଳି ଦିଆଯାଇଛି । କିନ୍ତୁ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ଖୋଳାଯାଇଥିବା ଅଂଶ ଲୋକଙ୍କ ପାଇଁ ଏବେ ବିପଜ୍ଜନକ ହୋଇଛି । ଚଣ୍ଡେଶ୍ବର ବଜାର ଅଧିକାଂଶ ସମୟ ଜନଗହଳିପୂର୍ଣ୍ଣ ରହିଥାଏ । ଏହାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ କର୍ତୃପକ୍ଷ ସେଠାରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ସେହିପରି କୁହୁଡ଼ି ବଜାର ଅଂଚଳ ରାସ୍ତାର ଉଭୟପାର୍ଶ୍ବ ସଂପ୍ରସାରିତ ହେବାକୁ ରହିଛି । ଏଥିପାଇଁ ଅଧିକୃତ ଜମିରେ ମାଟି ଓ ମୋରମ ବିଛାଇବା କାର୍ଯ୍ୟ ୮ ମାସ ହେଲା ଚାଲିଛି । ସବୁଠାରୁ ଅବ୍ୟବସ୍ଥାରେ ରହିଛି ସୁନାଖଳା ବଜାର ଅଂଚଳ। ଏଠାରେ ରାସ୍ତା ସଂପ୍ରସାରଣ ପାଇଁ ରାସ୍ତାର ଉଭୟ ପାର୍ଶ୍ବ ଖୋଳି ଦିଆଯାଇଛି । କିନ୍ତୁ କାର୍ଯ୍ୟ ଆଗଉ ନାହିଁ । ଏଭଳି ସ୍ଥିତିରେ ଏଠାରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବ ଖାଲଖମା ହୋଇ ପଡିଛି ।

ସୁନାଖଳା ବଜାର ଅଞ୍ଚଳ ମଧ୍ୟରେ ବସ ଷ୍ଟପ୍‌, ସ୍ଥାୟୀ ଦୋକାନ ଆଦି ଭାଙ୍ଗି ଦିଆଯାଇଛି । ଦୋକାନବଜାରଠାରୁ ଆରମ୍ଭ କରି ଫାଣ୍ଡି, ଡାକ୍ତରଖାନା, ମନ୍ଦିର ଆଦିକୁ ଗ୍ରାମବାସୀ ଜାତୀୟ ରାଜପଥ କଡ଼ରେ ଯିବା ଆସିବା କରିଥାନ୍ତି । କିନ୍ତୁ ଏବେ ସଂପ୍ରସାରଣ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ିଥିବାରୁ ଲୋକଙ୍କ ଯିବା ଆସିବାରେ ବ୍ୟାଘାତ ସୃଷ୍ଟି ହେଉଛି । ଉଭୟପାର୍ଶ୍ବ ସଂଲଗ୍ନ ରାସ୍ତା ଖୋଳି ନିର୍ମାଣକାର୍ଯ୍ୟ ମାସମାସ ଧରି ଆଗେଇ ପାରୁନଥିବାରୁ ଏହି ଅଂଚଳ ଖାଲଖମା ସହ ଦୁର୍ଘଟଣା ପ୍ରବଣ ହୋଇ ରହୁଛି ।
ଏ ସଂପର୍କରେ ନାଚୁଣୀ ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ଦାଶଙ୍କ କହିଛନ୍ତି ଯେ ୧୬ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ହରିକୁଣ୍ଡ ବରଡିହଠାରୁ ନାଚୁଣୀ ବାଇପାସ୍‌ ମଧ୍ୟରେ ମାତ୍ର ୫କିମି ବ୍ୟବଧାନ ମଧ୍ୟରେ ସବୁଦିନ ଏକାଧିକ ଛୋଟବଡ ଦୁର୍ଘଟଣା ଘଟିଚାଲିଛି । ସବୁ ଘଟଣା ପୁଲିସ ଦୃଷ୍ଟିକୁ ଆସୁନାହିଁ । ଜାତୀୟ ରାଜପଥ ସଂପ୍ରସାରଣ ମନ୍ଥର ଗତିରେ ଚାଲିଥିବାରୁ ଯାତାୟତ ଅବ୍ୟବସ୍ଥା ଉପୁଜୁଛି ।

 

ଏ ବାବଦରେ ଚିଲିକା ବିଧାନସଭା ମଣ୍ଡଳିର ୩ ଥର ବିଧାୟକ ରହି ନିକଟରେ ଅବ୍ୟାହତି ନେଇଥିବା ପୂର୍ବତନ ଚିଲିକା ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ନିଜ ମତ ରଖି ଏନ୍‌ଏଚ୍‌ଏଆଇ ତୁରନ୍ତ ଏହି ସଂପ୍ରସାରଣ କାର୍ଯ୍ୟକୁ ଶେଷ କରୁ ବୋଲି ଦାବି କରିଛନ୍ତି ।