୨୦୨୦ରେ ଚନ୍ଦ୍ରଯାନ ୩ ଲଞ୍ଚ କରିବ ଇସ୍ରୋ : ପୂର୍ବ ମିଶନ୍ ତୁଳନାରେ କମ୍ ଖର୍ଚ୍ଚର ଆକଳନ କଲେ କେନ୍ଦ୍ରମନ୍ତ୍ରୀ

324

କନକ ବ୍ୟୁରୋ  : ୨୦୨୦ରେ ଭାରତର ଚନ୍ଦ୍ରଯାନ-୩ ମିସନ୍‌ । ଏହି ଅଭିଯାନରେ ଚନ୍ଦ୍ରଯାନ-୨ ମିଶନ ତୁଳନାରେ କମ ଖର୍ଚ୍ଚ ହେବ ।  ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଭାରତ ନୂଆବର୍ଷ ୨୦୨୦ରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି ।  ୨୦୧୯ ଜୁଲାଇରେ ଚନ୍ଦ୍ରଯାନ ୨ର ଉତକ୍ଷେପଣ ପରେ ୨୦୨୦ରେ ଚନ୍ଦ୍ରଯାନ-୩ର ଉତକ୍ଷେପଣ କରିବ ଭାରତ । ଅର୍ବିଟର ଏବେ ବି ଚନ୍ଦ୍ରରେ ଅଛି ଓ କେବଳ ଲ୍ୟାଣ୍ଡର ସେଠାକୁ ପଠାଯିବାର ବ୍ୟବସ୍ଥା କରାଯିବ।  ଚନ୍ଦ୍ରଯାନ-୨ ଭଳି ଚନ୍ଦ୍ରଯାନ-୩ର ମଧ୍ୟ ସୂକ୍ଷ୍ମ ଅବତରଣ ଉଦ୍ୟମ କରାଯିବ ବୋଲି କେନ୍ଦ୍ର ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ।

 

ଜିତେନ୍ଦ୍ର ସିଂହ କହିଛନ୍ତି, ଚନ୍ଦ୍ରଯାନ-୨ ଅଭିଯାନକୁ ବିଫଳ କୁହାଯାଇ ପାରିବ ନାହିଁ । ଏଥିରୁ ଆମେ ଅନେକ କିଛି ଶିକ୍ଷା କରିଛୁ । ବିଶ୍ବରେ କୌଣସି ଗୋଟିଏ ଦେଶ ନାହିଁ ଯିଏ ପ୍ରଥମ ଉଦ୍ୟମରେ ଚନ୍ଦ୍ରରେ ଅବତରଣ କରିଛି । ଯୁକ୍ତରାଷ୍ଟ୍ର ଆମେରିକା ଏଥିପାଇଁ ଏକାଧିକ ଥର ଉଦ୍ୟମ କରିଛି । କିନ୍ତୁ ଆମକୁ ଏତେଥର ଉଦ୍ୟମ କରିବାକୁ ପଡ଼ିବ ନାହିଁ ବୋଲି ମନ୍ତ୍ରୀ  କହିଛନ୍ତି ।

ଚନ୍ଦ୍ରପୃଷ୍ଠରୁ ମାତ୍ର ୨.୧ କିମି ଦୂରରୁ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ସେପ୍ଟେମ୍ବର ୭ ତାରିଖରେ ବିକ୍ରମ ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରିବା ପରିବର୍ତ୍ତେ ଖୁବ ଜୋରରେ ଅବତରଣ କରିଥିଲା । ଚନ୍ଦ୍ରଯାନ-୨ର ସୂକ୍ଷ୍ମ ଅବତରଣ ହୋଇଥିଲେ ଭାରତକୁ ଏକ ବିରଳ ସଫଳତା ମିଳିଥାନ୍ତା । ଏହି ମାଇଲଖୁଣ୍ଟ ହାସଲରେ ଆମେରିକା, ରୁଷିଆ ଏବଂ ଚୀନ ପରେ ଭାରତ ବିଶ୍ବର ଚତୁର୍ଥ ଦେଶ ହୋଇଥାନ୍ତା ।