ନାସାର ସୌର ଅଭିଯାନ ପାର୍କର ସୋଲାର ପ୍ରୋବରେ ସାମିଲ ହେବେ ସାଧାରଣ ଲୋକ ! ପଂଜୀକୃତ କରିଥିବା ବ୍ୟକ୍ତିଙ୍କୁ ମିଳିବ ସୋଲାଟ ମିଶନ ହଟ୍ ଟିକେଟ

33

କନକ ବ୍ୟୁରୋ : ନାସାର ସୌର ଅଭିଯାନ ପାର୍କର ସୋଲାର ପ୍ରୋବରେ ସାଧାରଣ ଲୋକଙ୍କୁ ମଧ୍ୟ ସାମିଲ କରିବା ପାଇଁ ଚାଲିଛି ଅଭିନବ ଉଦ୍ୟମ । ଏଥି ପାଇଁ ପଂଜୀକୃତ କରିଥିବା ବ୍ୟକ୍ତିଙ୍କୁ ମିଳିବ ସୋଲାଟ ମିଶନ ହଟ୍ ଟିକେଟ । କେମିତି ମିଳିବ ଏବଂ କଣ ଏହି ଟିକେଟ ।

ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଏହା ହେଉଛି ଏକ ଅଭିନବ ପ୍ରୟାସ । ଆସନ୍ତା ଜୁଲାଇ ୩୧ ତାରିଖରେ ନାସାର ସୌର ଅଭିଯାନରେ ବାହାରିବ ‘ପାର୍କର ସୋଲାର ପ୍ରୋବ’ । ଲୋକଙ୍କୁ ଏହି ଅଭିଯାନରେ ସାମିଲ କରିବା ନାସା ଲୋକଙ୍କ ନାଁ ପଂଜୀକୃତ କରାଉଛି । ଏହି ଅଭିଯାନ ପାଇଁ ନାମ ପଂଜୀକରଣ କଲେ ଆପଣଙ୍କୁ ମିଳିବ ଏଭଳି ଏକ ହଟ୍ ଟିକେଟ ପ୍ରମାଣ ପତ୍ର । ଏହା ସହ ‘ପାର୍କର ସୋଲାର ପ୍ରୋବ’ ଯାନ ସହ ମହାକାଶକୁ ପଠାଯିବ ଏକ ମାଇକ୍ରୋଚିପ୍ ଏଥିରେ ରହିବ ସମସ୍ତ ପଂଜୀକୃତ ବ୍ୟକ୍ତିଙ୍କ ନାମ ।

ନାସାର ଏହି ଅଭିଯାନରେ ସାମିଲ ହେବାର ଶେଷ ତାରିଖ ହେଉଛି ଆସନ୍ତା ଏପ୍ରିଲ ୨୭ ତାରିଖ । ନାମ ପଂଜୀକରଣ କରିବା ପାଇଁ ନାସାର ୱେବସାଇଟର ଗୋ ଡଟ୍ ନାସା ଡଟ୍ ଜିଓଭି ସ୍ଲାସ୍ ହଟ୍ ଟିକେଟରେ କ୍ଲିକ୍ କରିବାକୁ ପଡିବ । ଏହା ସହ ଆପଣଙ୍କ ନାମ ଓ ଇ-ମେଲ୍ ପ୍ରଦାନ କଲେ, ଦିଆଯାଇଥିବା ଇ-ମେଲରେ ନାସା ପକ୍ଷରୁ ଏକ ସମ୍ମତି ସୂଚକ ମେଲ୍ ଆସିବ । ଏହାକୁ କ୍ଲିକ୍ କଲା ପରେ ଆପଣଙ୍କ ପାଖରେ ପହଂଚିବ ପାର୍କର ସୋଲାର ପ୍ରୋବର ହଟ୍ ଟିକେଟ ।

ସୂର୍ଯ୍ୟ ନିକଟକୁ ପଠାଯାଉଥିବା ମାନବ ସଭ୍ୟତାର ପ୍ରଥମ ମହାକାଶଯାନର ଆପଣ ବି ହୋଇପାରିବେ ଜଣେ ସଦସ୍ୟ । ଏହି ପାର୍କର ପ୍ରୋବ୍ ପ୍ରାୟ ୧୫ କୋଟି କିଲୋମିଟର ବାଟ ଅତିକ୍ରମ କରି ସୂର୍ଯ୍ୟ ପାଖରେ ପହଂଚିବ । ବିଶିଷ୍ଟ ମହାକାଶ ପଦାର୍ଥ ବିଜ୍ଞାନୀ ଇୟୁଜିନ ପାର୍କରଙ୍କ ନାଁ ଅନୁସାରେ ଏହି ଯାନର ନାଁ ପାର୍କର ସୋଲାର ପ୍ରୋବ୍ ରହିଛି । ଇତିହାସରେ ନାସା ପ୍ରଥମ ଥର ପାଇଁ ଜଣେ ଜୀବିତ ବିଜ୍ଞାନୀଙ୍କ ନାମରେ କୌଣସି ମହାକାଶଯାନର ନାଁ ରଖିଛି ।

ଅଭିନେତ୍ରୀ