ଶ୍ରୀମନ୍ଦିର ଛାଡ଼ି ଆସିବେନି ମହାପ୍ରଭୁ : ନରେନ୍ଦ୍ର ଜଳରେ ଖେଳିବେନି ଚାପ, ଅଧା ରହିଲା ପ୍ରସ୍ତୁତି

191

କନକ ବ୍ୟୁରୋ : ପ୍ରତିବର୍ଷ ଭଳି ଚଳିତବର୍ଷ ଆଉ ଶ୍ରୀମନ୍ଦିର ଛାଡ଼ି ଆସିବେନି ମହାପ୍ରଭୁ । ନରେନ୍ଦ୍ର ଜଳରେ ଖେଳିବେନି ଚାପ। କରୋନା କଟକଣା ମହାପ୍ରଭୁ ଓ ନରେନ୍ଦ୍ର ପୁଷ୍କରିଣୀ ଭିତରେ ଏପରି କିଛି ଅନ୍ତରାୟ ସୃଷ୍ଟି କରିଛି  । ଯେଉଁଥି ପାଇଁ ଶହ ଶହ ବର୍ଷ ଧରି ପବିତ୍ର ଅକ୍ଷୟ ତୃତୀୟାରେ ପାଳିତ ହୋଇ ଆସୁଥିବା ବଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା ତଥା ନରେନ୍ଦ୍ରରେ ଚାପ ଖେଳକୁ ବନ୍ଦ କରି ଦିଆଯାଇଛି । ଶ୍ରୀମନ୍ଦିର ଭିତରେ ଏହାକୁ ସୀମିତ ରଖାଯାଇଛି। ଯାହାକୁ ଝୁରି ହେଉଛି ନରେନ୍ଦ୍ର ପୁଷ୍କରିଣୀ। ସେପଟେ ନନ୍ଦା-ଭଦ୍ରା ଓ ବୈଜୟନ୍ତୀଙ୍କ ଚଳିତ ବର୍ଷର ସ୍ବପ୍ନ ବି ଅଧାରେ ରହିଯାଇଛି । ପ୍ରତିବର୍ଷ ଭଳି ତିନି ଡଙ୍ଗା ଚଳିତବର୍ଷ ମହାପ୍ରଭୁଙ୍କ ଚରଣ ସ୍ପର୍ଶରୁ ବଞ୍ଚିତ ହୋଇଛନ୍ତି ।

ପ୍ରତିବର୍ଷ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ସହ ମହାପ୍ରଭୁ ୨୧ ଦିନିଆ ବାହାର ଚନ୍ଦନଯାତ୍ରାରେ ବାହାରିଥାନ୍ତି । ଶ୍ରୀମନ୍ଦିରରୁ ସୁସଜ୍ଜିତ ବିମାନରେ ମହାପ୍ରଭୁଙ୍କ ଚଳନ୍ତୀ ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣ, ପଞ୍ଚ ମହାଦେବ ଶ୍ରୀ ଜମ୍ବେଶ୍ୱର, ଶ୍ରୀ ଲୋକନାଥ, ଶ୍ରୀ ମାର୍କଣ୍ଡେଶ୍ବର, ଶ୍ରୀ ନୀଳକଣ୍ଠ ଓ ଶ୍ରୀ କପାଳମୋଚନ ଏକତ୍ର ବିମାନ ବିଜେ କରି ନରେନ୍ଦ୍ରକୁ ଜଳକ୍ରୀଡ଼ା ପାଇଁ ଯାଇଥାନ୍ତି   । ଜଳସ୍ନାନ ପାଇଁ ସ୍ୱତନ୍ତ୍ର କୁଣ୍ଡ ରହିଥାଏ । ଏହି କୁଣ୍ଡରେ ମହାପ୍ରଭୁ ସୁବାସିତ ଜଳ ଭିତରେ ଆକଣ୍ଠ ବୁଡ଼ି ରହିବା ପରେ ଶୀତଳତା ଉପଭୋଗ କରନ୍ତି । ନରେନ୍ଦ୍ରରେ ମାଣ୍ଡୁଅ ଭୋଗ ସହ ଅନ୍ୟାନ୍ୟ ନୀତି ସଂପନ୍ନ ପରେ ପୂର୍ବ ପ୍ରସ୍ତୁତ ନନ୍ଦା-ଭଦ୍ରା ଓ ବୈଜୟନ୍ତୀ ଡଙ୍ଗାରେ ନୌକା ବିହାର କରିଥାନ୍ତି । ବୈଜୟନ୍ତୀ ଆଗରେ ରହିଥାଏ ଓ ପଛରେ ନନ୍ଦା-ଭଦ୍ରାରେ ବିଜେ ହୋଇ ମହାପ୍ରଭୁ ନୌକା ବିହାର କରିଥାନ୍ତି ।

ପରମ୍ପରା ମୁତାବକ ଚଳିତବର୍ଷ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ନରେନ୍ଦ୍ର ପୁଷ୍କରିଣୀର ଚତୁଃପାର୍ଶ୍ୱକୁ ରଙ୍ଗ ଦିଆଯାଇ ସୁସଜ୍ଜିତ କରାଯାଇଥିଲା । ପାର୍ଶ୍ୱ ଦେବାଦେବୀଙ୍କ ଚିତ୍ର ଅଙ୍କା ସରିଥିଲା। ନନ୍ଦା-ଭଦ୍ରା ଓ ବୈଜୟନ୍ତୀ ବି ପ୍ରସ୍ତୁତ ସରିଥିଲେ। କେବଳ ମହାପ୍ରଭୁ ପହଞ୍ଚିଥିଲେ ଜଳସ୍ନାନ ଓ ନୌକାବିହାର ଆଦି ନୀତି ସଂପନ୍ନ ହୋଇଥାନ୍ତା । କିନ୍ତୁ କରୋନା କଟକଣା ପରେ ସବୁକିଛି ବନ୍ଦ ହୋଇଯାଇଛି । ଶ୍ରୀମନ୍ଦିର ଭିତରେ ସମସ୍ତ କାର୍ଯ୍ୟ ସଂପନ୍ନ ହେଉ ଥିବାରୁ ନରେନ୍ଦ୍ରର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଟକି ଯାଇଛି । ଆସନ୍ତାବର୍ଷକୁ ପୁଣି ଅପେକ୍ଷା ।

Comments are closed.