କନକ ବ୍ୟୁରୋ : ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ‘ମୋଦି ହେ ତୋ ମୁମକିନ ହେ ନାରା’ ସତ ହୋଇଛି । କେବଳ ଭାରତରେ ନୁହେଁ ବିଶ୍ୱ ଦରବାରରେ ମୋଦିଙ୍କ ପତିଆରା ବଢ଼ିବାରେ ଲାଗିଛି । ଗୋଟିଏ ପଟେ ବିଶ୍ୱ ଯୋଗ ଦିବସ ପାଳୁଛି. ଅନ୍ୟପଟେ ଭାରତ ପାଇଁ ଆସିଛି ଏକ ଖୁସି ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ରିଟିସ୍ ହେରାଲ୍ଡର ଏକ ପୋଲରେ ୨୦୧୯ର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ଚୟନ କରାଯାଇଛି । ବିଶ୍ୱର ବଛା ବଛା ଶକ୍ତିଶାଳୀ ନେତାମାନଙ୍କୁ ନେଇ ହୋଇଥିଲା ପୋଲ୍ । ଭ୍ଲାଦିମିର ପୁଟିନ, ଡୋନାଲ୍ଫ ଟ୍ରମ୍ପ ଓ ଜି ଜିନପିଙ୍ଗଙ୍କୁ ମାତ ଦେଇ ବାଜି ମାରିନେଇଛନ୍ତି ମୋଦି । ନୋମିନେସନ୍ ତାଲିକାରେ ଦୁନିଆର ୨୫ ଜଣ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ହେଲେ ସମସ୍ତଙ୍କୁ ପଛରେ ପକାଇ ପ୍ୟାନେଲ ଏକ୍ସପର୍ଟମାନେ ୪ ଜଣ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ଚୟନ କରିଥିଲେ । ବ୍ୟାପକ ତଥ୍ୟ ଓ ଅନୁସନ୍ଧାନ ଆଧାରରେ ଶକ୍ତିଶାଳୀ ବ୍ୟକ୍ତିଙ୍କ ଚୟନ କରାଯାଇଛି ।

Advertisment

୨୦୧୯ର ଶକ୍ତିଶାଳୀ ବ୍ୟକ୍ତି ମୋଦି । ଅନ୍ୟ ଶକ୍ତିଶାଳୀ ନେତାଙ୍କୁ ମାତ୍ ଦେଇ ମୋଦି ହେଲେ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି । ଶକ୍ତିଶାଳୀ ବ୍ୟକ୍ତିଙ୍କୁ ବାଛିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକ୍ରିୟାରେ ଭୋଟିଂ କରାଯାଇଥିଲା । ଭୋଟିଂରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବାଧିକ ୩୦.୯ ପ୍ରତିଶତ ଭୋଟ୍ ମିଳିଛି । ପ୍ରତିଦ୍ୱନ୍ଦି ଭ୍ଲାଦିମିର୍ ପୁଟିନ୍, ଡ଼ୋନାଲ୍ଡ ଟ୍ରମ୍ପ ଓ ଜି ଜିନପିଙ୍ଗଙ୍କୁ ଢ଼େର ପଛରେ ପକାଇ ବାଜି ମାରିନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ତାଲିକାରେ ଦ୍ୱିତୀୟରେ ଅଛନ୍ତି ଋଷ୍ ରାଷ୍ଟ୍ରମୁଖ୍ୟ ଭ୍ଲାଦିମିର୍ ପୁଟିନ୍ । ତାଙ୍କୁ ମୋଟ୍ ୨୯.୯ ପ୍ରତିଶତ ଭୋଟ୍ ମିଳିଛି । ଆଉ ତା’ପଛକୁ ଅଛନ୍ତି ଆରେମିକା ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କୁ ମିଳିଛି ୨୧.୯ ପ୍ରତିଶତ ଭୋଟ । ଅନ୍ୟପଟେ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ୧୮.୧ ପ୍ରତିଶତ ଭୋଟ୍ ମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭୋଟିଂ ସମୟରେ ସାଇଟ୍ କିଛି ସମୟ ପାଇଁ କାମ କରିନଥିଲା । କାରଣ ସମସ୍ତେ ନିଜ ନିଜ ପସନ୍ଦର ବ୍ୟକ୍ତିଙ୍କୁ ବାଛିବା ପାଇଁ ଚେଷ୍ଟା କରୁଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଫଟୋ ଏବେ ବ୍ରିଟିସ୍ ହେରାଲ୍ଡ ମାଗାଜିନର ଜୁଲାଇ ସଂସ୍କରଣର କଭର ପେଜରେ ପ୍ରକାଶ ପାଇବ । ୧୫ଜୁଲାଇରେ ବ୍ରିଟିସ୍ ହେରାଲ୍ଡର ଏହି ଏଡ଼ିସନ୍ ରିଲିଜ୍ ହେବ । ଏହା ବ୍ୟତୀତ ବ୍ରିଟିସ୍ ହେରାଲ୍ଡ ୱେବସାଇଟରେ ମୋଦିଙ୍କ ଉପରେ ଏକ ଆର୍ଟିକିଲ୍ ମଧ୍ୟ ଛପିଛି । ବର୍ତ୍ତମାନ ସମୟରେ ମୋଦିଙ୍କୁ ଭାରତୀୟଙ୍କ ପକ୍ଷରୁ ଖୁବ ଭଲ ରେଟିଂ ମିଳିଛି । ୨୦୧୯ ଲୋକସଭା ନିର୍ବାଚନରେ ଆତଙ୍କବାଦ ବିରୋଧରେ ତଥା ବାଲାକୋଟରେ ଏୟାରଷ୍ଟ୍ରାଇକ୍ ପରେ ତାଙ୍କ ସମର୍ଥକଙ୍କ ସଂଖ୍ୟା ବଢ଼ିଯାଇଛି । ଆୟୁଷ୍ମାନ ଭାରତ ଯୋଜନା, ଉଜ୍ଜଳା ଯୋଜନା ଓ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ମଧ୍ୟ ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ୁଛି ।