ଆଜି ଛତିଶଗଡରେ ପ୍ରଚାର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ : ବସ୍ତର ଜିଲ୍ଲାରେ ନରେନ୍ଦ୍ର ମୋଦିଙ୍କ ପ୍ରଚାର ସଭା ଓ ରାଲି

ସେପଟେ ରମଣସିଂହଙ୍କ ନିର୍ବାଚନ ମଣ୍ଡଳୀରୁ ପ୍ରଚାର କରିବେ ରାହୁଲ ଗାନ୍ଧି 

97

କନକ ବ୍ୟୁରୋ : ଛତିଶଗଡରେ ମୁହାଁମୁହିଁ ହେବେ ମୋଦି-ରାହୁଲ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଛତିଶଗଡ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ଛତିଶଗଡ ବସ୍ତର ଜିଲ୍ଲା ଜଗଦଲପୁରରୁ ମୋଦି ନିର୍ବାଚନୀ ପ୍ରଚାର କରିବେ । ତେବେ ମୋଦିଙ୍କ ଗସ୍ତ ପୂର୍ବରୁ ଏହି ଅଂଚଳରେ ମାଓବାଦୀମାନେ ହିଂସାକାଣ୍ଡ କରି ନିଜ ସ୍ଥିତି ଜାହିର କରିଛନ୍ତି । ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଆଜି ଛତିଶଗଡ ଗସ୍ତ କରିବେ । ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରିବେ ରାହୁଲ । ରମଣ ସିଂହଙ୍କ ବିଧାନସଭା କ୍ଷେତ୍ର ରାଜନନ୍ଦଗାଓଁରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ କଂଗ୍ରେସ ଅଧ୍ୟକ୍ଷ । ସେଠାରେ ସେ ରାଲି ସହ ରୋଡ୍ ଶୋ ମଧ୍ୟ କରିବେ ।

ରାଜନନ୍ଦଗାଓଁରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଭାଣିଜୀ କରୁଣା ଶୁକ୍ଳାଙ୍କୁ ମୈଦାନକୁ ଓହ୍ଲାଇଛି କଂଗ୍ରେସ । ରାହୁଲ ଗାନ୍ଧିଙ୍କ ରାଲି ଆଉ ରୋଡ୍ ଶୋ ମାଧ୍ୟମରେ ସିଧାସଳଖ ରମଣ ସିଂହଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ଦୁଇ ଦିନିଆ ଛତିଶଗଡ ଗସ୍ତ ଅବସରରେ ୫ଟି ଜନସମାବେଶକୁ ସମ୍ବୋଧିତ କରିବେ ରାହୁଲ ଗାନ୍ଧି । ଆଜି ପ୍ରଧାନମନ୍ତ୍ରୀ ମୋଦି ଛତିଶଗଡ ଜଗଦଲପୁରରୁ ନିର୍ବାଚନୀ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଥିବା ବେଳେ ଆସନ୍ତାକାଲି ରାହୁଲ ମଧ୍ୟ ଜଗଦଲପୁରରେ ରାଲି କରିବେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲଙ୍ଗାନା ଓ ମିଜୋରାମରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ସେମିଫାଇନାଲ ବୋଲି ବିଚାର କରାଯାଉଛି । ତେଣୁ ଏହି ସବୁ ରାଜ୍ୟରେ କ୍ଷମତା ହାସଲ କରିବାକୁ ଜୋର ଲଗାଇ ଦେଇଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।