ଭାରତ ଛାଡ଼ ଆନ୍ଦୋଳନକୁ ୭୫ ବର୍ଷ ! ଲୋକସଭାରେ ମୋଦି କହିଲେ, ରାଜନୀତିର ଉର୍ଦ୍ଧ୍ୱରେ ରାଷ୍ଟ୍ରନୀତି
ଦେଶର ସ୍ୱାଧୀନତା ପାଇଁ ୧୯୪୨ ମସିହାରେ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନକୁ ୭୫ ବର୍ଷ ପୁରିଲା । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ କହିଛନ୍ତି, ବିଗତ ଦିନର ପ୍ରେରଣାଦାୟୀ ଘଟଣାକୁ ମନେପକାଇଲେ ମନ ଦୃଢ଼ ହେବା ସହ ସାହସ ମିଳେ । ଏହାଛଡ଼ା ମୋଦି କହିଛନ୍ତି, ଭାରତ ଛାଡ଼ ଆନ୍ଦୋଳନ ବିଷୟରେ ଯୁବପିଢ଼ୀଙ୍କୁ ଅବଗତ କରାଇବା ଆମର କର୍ତ୍ତବ୍ୟ । ପୀଢ଼ି ପରେ ପୀଢ଼ି ଆସୁଛନ୍ତି ଏବଂ ତାଙ୍କ ପାଖରେ ଏହି ସ୍ୱର୍ଣ୍ଣିମ ଅଧ୍ୟାୟକୁ ପହଞ୍ଚାଇବା ଆମର ଗୁରୁଦାୟିତ୍ୱ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି, ଦେଶର ସ୍ୱାଧୀନତା ପାଇଁ ଭାରତ ଛାଡ଼ ଆନ୍ଦୋଳନ ଏତେ ବ୍ୟାପକ ରୂପ ନେବ ବୋଲି ଇଂରେଜ ସରକାର କେବେ ଚିନ୍ତା କରିନଥିଲେ । ମହାତ୍ମା ଗାନ୍ଧୀଙ୍କ ସମେତ ଅନେକ ନେତା ଏଥିପାଇଁ ଜେଲ ଗଲେ । ଏବଂ ସେ ସମୟରେ ଅନେକ ନୂଆ ନେତା ଦେଶର ସ୍ୱାଧିନତାର ସଂଗ୍ରାମରେ ଝାସ ଦେଇଥିଲେ । ଗାନ୍ଧୀ ଜେଲ ଗଲା ପରେ ତାଙ୍କ ସ୍ଥାନ ପୁରଣ କଲେ ଲାଲ ବାହାଦୁର ଶାସ୍ତ୍ରୀ ଓ ରାମ ମନୋହୋର ଲୋହିୟାଙ୍କ ସମେତ ଅନେକ ନେତା ।
ପ୍ରଧାନମନ୍ତ୍ରୀ କହିଛନ୍ତି, ମହାତ୍ମା ଗାନ୍ଧୀ ମନ୍ତ୍ର ‘କର ବା ମର’ ଦେଶବାସୀଙ୍କୁ ଅଦମ୍ୟ ବଳ ଦେଇଥିଲା । ଗାନ୍ଧୀ କହିଥିଲେ ମୁଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଚାହେଁ, ଏହା ନମିଳିବା ପର୍ଯ୍ୟନ୍ତ ଅନ୍ୟ କୌ÷ଣସି ଚିଜରେ ମୁଁ ସନ୍ତୁଷ୍ଟ ହୋଇପାରିବି ନାହିଁ । ଗାନ୍ଧୀଙ୍କ ପ୍ରତିଟି ଶବ୍ଦରେ ଯୋଡ଼ି ହୋଇ ଯାଇଥିଲେ ଦେଶବାସୀ ।
ସେ ସମୟରେ ସ୍ୱାଧୀନତା ପାଇଁ ଲୋକ ବେଶ ଭାବ ପ୍ରବଣ ଥିଲେ । ଦେଶରେ ଥିଲା ଅଦ୍ଭୁତ ବାତାବାରଣ । ପ୍ରତ୍ୟେକ ବ୍ୟକ୍ତି ନେତା ହୋଇଯାଇଥିଲେ । ସବୁଠି ‘କର ବା ମର’ ମନ୍ତ୍ର ଗୁଞ୍ଜରି ଉଠୁଥିଲା । ଦେଶର ସମସ୍ତ ବ୍ୟକ୍ତି ଗାନ୍ଧୀ ମନ୍ତ୍ର ‘କର ବା ମର’କୁ ହୃଦୟ ଭିତରେ ରଖି ଆନ୍ଦୋଳନରେ ଭାଗ ନେଉଥିଲେ । ବ୍ରିଟିଶ ସାମ୍ରାଜ୍ୟ ଭାରତରେ ଆରମ୍ଭ ହେଲା ଓ ଭାରତ ହିଁ ଅନ୍ତ ହେଲା । କାରଣ ସେତେବେଳ ସମସ୍ତେ ଦେଶବାସୀ ଏକ ମନରେ ସଙ୍କଳ୍ପ କରି ଦେଶକୁ ଅତି ସହଜରେ ଗୋଲାମୀରୁ ବଞ୍ଚାଇଥିଲେ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜି ଆମ ପାଖରେ ଦେଶର ପିତା ମହାତ୍ମା ଗାନ୍ଧୀ ନାହାନ୍ତି କିନ୍ତୁ ଦେଶର କୋଟି କୋଟି ଜନତା ମିଳିମିଶି କାମ କଲେ ଗାନ୍ଧୀଙ୍କ ସ୍ୱପ୍ନ ସତ ହୋଇପାରିବ । ୧୯୪୨ରେ ସେ ସମୟରେ ଭାରତ ଅନେକ ଦେଶ ପାଇଁ ପ୍ରେରଣା ସାଜିଥିଲା । ଆଜି ବିି ସେପରି ସେପରି ଅବସ୍ଥାରେ ଭାରତ । ଆଜି ବି ଆମେ ଅନ୍ୟ ଦେଶ ପାଇଁ ପ୍ରେରଣା ହୋଇ ପାରିବା । ମୋଦି କହିଛନ୍ତି, ଦଳ ଆଗରେ ଦେଶ ବଡ, ରାଜନୀତି ଉପରେ ରାଷ୍ଟ୍ରନୀତି ବଡ଼ । ଯଦି ଆମେ ସମସ୍ତ ମିଳିମିଶି ଚାଲିବା ସମସ୍ତ ସମସ୍ୟାର ସମାଧାନ ଖୁବ୍ ସହଜରେ ହୋଇପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଏବେ ସମୟ ଆସିଛି ଯେତେବେଳେ ଭ୍ରଷ୍ଟାଚାର ରୂପୀ ରାକ୍ଷସ କବଳରୁ ଆମେ ଦେଶକୁ ରକ୍ଷା କରିବା ।
ଭାରତ ଛାଡ ଆନ୍ଦୋଳନର ୭୫ ବର୍ଷ ଅବସରରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ବି ସ୍ୱାଧୀନତା ସଂଗ୍ରାମୀକୁ ମନେପକାଇଥିଲେ । ସେ କହିଥିଲେ, ସମ୍ମାନ ସହ ସମସ୍ତ ଆନ୍ଦୋଳନକାରୀଙ୍କୁ ମନେ ପକାଯିବା ଉଚିତ । ଏହାସହ ପରୋକ୍ଷରେ ସେ ଆରଏସଏସକୁ ସମାଲୋଚନା କରିଥିଲେ । ସୋନିଆ କହିଥିଲେ , ଏହି ଆନ୍ଦୋଳନକୁ ସେହି ସମୟରେ କିଛି ଲୋକ ଓ ସଙ୍ଗଠନ ଏହାକୁ ବିରୋଧ କରିଥିଲେ ।