କାହାକୁ ସୁଯୋଗ ଦେବେ ନମୋ ? ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୬ ଜଣ ପ୍ରଭାବଶାଳୀ ନେତାଙ୍କ ପ୍ରମୋସନ୍ ନେଇ ଚର୍ଚ୍ଚା, ପଢ଼ନ୍ତୁ ପୁରା ତାଲିକା . . . .

1,464

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ପ୍ରଚଣ୍ଡ ବହୁମତ ସହ ପୁଣି କେନ୍ଦ୍ରରେ ସରକାର ଗଢିବାକୁ ଯାଉଛି । ୩୦ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନମୋ । ତେବେ ଏଥର ମୋଦି କ୍ୟାବିନେଟରେ କାହାକୁ ମିଳିବ ପ୍ରମୋସନ ଆଉ କାହାକୁ ମିଳିବ ଛୁଟି ସେନେଇ ଆରମ୍ଭ ହୋଇ ଯାଇଛି ଅଙ୍କକଷା । ଏହାରି ଭିତରେ ଏଭଳି ୬ଜଣ ଚେହେରା ଅଛନ୍ତି, ଯେଉଁମାନଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା ।

ପୀୟୁଷ ଗୋଏଲ- ମୋଦିଙ୍କ କ୍ୟାବିନେଟର ଟାଣୁଆ ମନ୍ତ୍ରୀ । ନୂଆ କ୍ୟାବିନେଟରେ ପୀୟୂଷ ଗୋଏଲଙ୍କୁ ପୁଣି ଥରେ ସ୍ଥାନ ମିଳିବାର ବେଶ୍ ସମ୍ଭାବନା ରହିଛି । ୨୦୧୪ରେ ମୋଦି ସରକାର ଆସିବା ପରେ ପୀୟୁଷ ଗୋଏଲଙ୍କୁ କୋଇଲା-ଶକ୍ତି ବିଭାଗର ଦାୟିତ୍ୱ ମିଳିଥିଲା । ଏବଂ କ୍ୟାବିନେଟ୍ ସମ୍ପ୍ରସାରଣ ବେଳେ ରେଳ ଚଳାଚଳ ମନ୍ତ୍ରାଳୟର ଦାୟିତ୍ୱ ତାଙ୍କ ହାତରେ ନ୍ୟସ୍ତ କରାଯାଇଥିଲା । ଏହାପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନିଜର ଚିକିତ୍ସା ପାଇଁ ଯେତେବେଳେ ବିଦେଶ ଯାଇଥିଲେ ସେତେବେଳେ ଅର୍ଥମନ୍ତ୍ରାଳୟର ଦାୟିତ୍ୱ ତୁଲାଇଥିଲେ ପୀୟୁଷ ଗୋଏଲ । ଚଳିତ ବର୍ଷ ବଜେଟ ଉପସ୍ଥାପନ ମଧ୍ୟ କରିଥିଲେ । ତେଣୁ ତାଙ୍କ ଉପରେ ରହିଛି ସମସ୍ତଙ୍କ ନଜର ।

ଜେନେରାଲ ଭିକେ ସିଂହ- ଦ୍ୱିତୀୟ ଥର ପାଇଁ ୟୁପି ଗାଜିଆବାଦ ଆସନରୁ ବିଜୟଲାଭ କରି ଲୋକସଭା ଯାଇଛନ୍ତି ଜେନେରାଲ ଭିକେ ସିଂହ । ସେନାର ଜେନେରାଲ ପଦରୁ ଅବସର ଗ୍ରହଣ ପରେ ୨୦୧୪ରେ ବିଜେପିରେ ସାମିଲ ହୋଇଥିଲେ ବିକେ ସିଂହ । ତାପରେ ଗାଜିଆବାଦରୁ ରେକର୍ଡ ସଂଖ୍ୟକ ଭୋଟ୍ ପାଇ ବିଜୟୀ ହୋଇଥିଲେ । ମୋଦି ସରକାରଙ୍କ ପ୍ରଥମ ଇନିଂସରେ ସଫଳତାର ସହ ତୁଲାଇଥିଲେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ । କୁହାଯାଉଛି ତାଙ୍କୁ ପୁଣି ଥରେ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ସହ ପ୍ରମୋସନ ଦେଇପାରନ୍ତି ମୋଦି ।

ଧର୍ମେନ୍ଦ୍ର ପ୍ରଧାନ- ମୋଦି କ୍ୟାବିନେଟର ସଫଳ ମନ୍ତ୍ରୀଙ୍କ ତାଲିକାରେ ରହିଛି ଧର୍ମେନ୍ଦ୍ରଙ୍କ ନାଁ । ୨୦୧୪ରେ ହୋଇଥିବା ମୋଦି ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ରଙ୍କୁ ପେଟ୍ରୋଲିୟମ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଥିଲା । ଉଜ୍ଜଳା ଯୋଜନାରେ ଦେଶରେ ଗରିବ ପରିବାର ମହିଳାଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦେଇ ବେଶ ଲୋକପ୍ରିୟ ହୋଇଥିଲା ଏହି ମନ୍ତ୍ରାଳୟ । ତାପରେ ତାଙ୍କୁ କ୍ୟାବିନେଟ୍ ପାହ୍ୟାକୁ ପ୍ରମୋସନ ଦେବା ସହ ଦକ୍ଷତା ଓ ବିକାଶ ବିଭାଗର ଅତିରିକ୍ତ ଦାୟତ୍ୱ ଦେଇଥିଲେ ମୋଦି । ଦ୍ୱିତୀୟ ଇନିଂସରେ ମଧ୍ୟ ଧର୍ମେନ୍ଦ୍ରଙ୍କୁ ଭଲ ବିଭାଗ ମିଳିବା ନେଇ ଆକଳନ କରାଯାଉଛି ।

Energy Infra Post

ରାଜ୍ୟବର୍ଦ୍ଧନ ସିଂ ରାଠୋର- ଅଲମ୍ପିଆଡରୁ ରାଜନେତା ବନିଛନ୍ତି ରାଜ୍ୟବର୍ଦ୍ଧନ ସିଂହ ରାଠୋର । ମୋଦିଙ୍କ ପ୍ରଥମ ଇନିଂସରେ ଖେଳ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ ରାଜ୍ୟବର୍ଦ୍ଧନ । ସେ ସଫଳତାର ସହ ଏହି ଦାୟିତ୍ୱ ନିର୍ବାହ କରିବା ପରେ ତାଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଦେଇଥିଲେ ମୋଦି । ରାଠୋର ପୁଣି ଥରେ ବିଜୟୀ ହୋଇ ସାଂସଦ ହେବା ପରେ ତାଙ୍କୁ ପୁଣି ଥରେ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବା ନେଇ ଚାଲିଛି ଅଙ୍କକଷା ।

 


ବାବୁଲ ସୁପ୍ରିୟୋ- ଚଳିତ ନିର୍ବାଚନରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିବା ପଶ୍ଚିମବଙ୍ଗର ଆସନସୋଲ ଆସନରୁ ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଛନ୍ତି ବାବୁଲ ସୁପ୍ରିୟୋ । ଏହା ସହିତ ମମତାଙ୍କ କଡା ପ୍ରତିରୋଧ ସତ୍ୱେ ପଶ୍ଚିମବଙ୍ଗରେ ବିଜେପିକୁ ମିଳିଛି ଭଲ ସଫଳତା । ଏହି ନିର୍ବାଚନରେ ବାବୁଲ ସୁପ୍ରିୟୋ ବେଶ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । ତେଣୁ ମୋଦିଙ୍କ ପ୍ରଥମ ଇନିଂସରେ ରାଷ୍ଟ୍ରମନ୍ତ୍ରୀ ଥିବା ବାବୁଲ ସୁପ୍ରିୟୋଙ୍କୁ ଏଥର ପ୍ରମୋସନ ମିଳିବା ନେଇ ଚର୍ଚ୍ଚା ହେଉଛି ।

ଜୟନ୍ତ ସିହ୍ନା- ହଜାରୀବାଗ ସଂସଦୀୟ କ୍ଷେତ୍ରରୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି ଜୟନ୍ତ ସିହ୍ନା । ମୋଦିଙ୍କ ପ୍ରଥମ ଇନିଂସରେ ତାଙ୍କୁ ଅର୍ଥ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିଲା । ତେବେ ଜୟନ୍ତଙ୍କ ବାପା ଯଶୱନ୍ତ ମୋଦିଙ୍କୁ ବାରମ୍ବାର ବିରୋଧ କରିଆସୁଥିବାରୁ ତାଙ୍କର ଭାଗ୍ୟ କଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।