କନକ ବ୍ୟୁରୋ : ସମାଜ ଆତଙ୍କମୁକ୍ତ ହେବା ଆବଶ୍ୟକ । ବିଶ୍ୱର ସାମଗ୍ରିକ ବିକାଶ ପାଇଁ ଆତଙ୍କର ମୂଳୋତ୍ପାଟନ ଜରୁରୀ । କିର୍ଗିସ୍ଥାନ ବିସକେକରେ ଚାଲିଥିବା ଏସିସିଓ ବୈଠକରେ ପାକିସ୍ତାନ ପ୍ରତି କଡା ଆଭିମୁଖ୍ୟ ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦି । ପାକିସ୍ତାନର ନାଁ ନନେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମ୍ମୁଖରେ ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ଟାର୍ଗେଟ କରିଛନ୍ତି । ଶ୍ରୀଲଙ୍କା ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣର ଉଦାହରଣ ଦେଇ କହିଛନ୍ତି ଆତଙ୍କବାଦ ଯୋଗୁଁ ପ୍ରତିଦିନ ହଜାର ହଜାର ନୀରିହ ଲୋକଙ୍କ ଜୀବନ ଯାଉଛି । ତେଣୁ ଆତଙ୍କବାଦକୁ ପ୍ରଶୟ ଦେଉଥିବା ରାଷ୍ଟ୍ରକୁ ଏଥିପାଇଁ ଦାୟୀ କରାଯିବାର ଆବଶ୍ୟକତା ରହିଛି । ଆତଙ୍କର ମୁକାବିଲା ପାଇଁ ସମସ୍ତେ ଏକଜୁଟ ହୋଇ ସାମ୍ନା କରିବା ଉଚିତ । ଏସସିଓ ଦେଶଗୁଡ଼ିକ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢେଇ଼ କରିବା କଥା । ଆତଙ୍କବାଦ ବିରୋଧରେ ଅନ୍ତରାଷ୍ଟ୍ରିୟ ସମ୍ମିଳନୀ ହେବା ଉଚିତ ।
ସିଧାସଳଖ ନହେଲେ ମଧ୍ୟ ଇସାରା ଇସାରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ନା ନନେଇ ଏସସିଓ ସମ୍ମିଳନୀରେ ପାକିସ୍ତାନ ଉଦ୍ଦେଶ୍ୟରେ ତେରଛା ବାଣ ମାରିଛନ୍ତି ମୋଦି । ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ଦେଶ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସମ୍ମିଳନୀରେ ମୋଦି କହିଛନ୍ତି । ଭାରତ ଆତଙ୍କୀଙ୍କ ସାମ୍ନା କରିବା ପାଇଁ ଅନ୍ତରାଷ୍ଟ୍ରିୟ ସ୍ତରରେ ସମ୍ମିଳନୀର ଆହ୍ୱାନ କରୁଛି ।
ଏହା ବ୍ୟତୀତ ବିସକେକ୍ ବୈଠକରେ ଇମ୍ରାନ ଖାନଙ୍କୁ ଅଣଦେଖା କଲେ ମୋଦି । ସମ୍ମିଳନୀର ଉଦଘାଟନି ସମାରୋହ ପାଇଁ ଗୋଟିଏ ଛାତ ତଳେ ଦୁଇ ନେତା ଉପସ୍ଥିତ ଥିଲେ ମଧ୍ୟ ହାତ ମିଳାଇନଥିଲେ କି କଥା ହୋଇ ନଥିଲେ ମୋଦି । ଏପରିକି ମୋଦି ଅନ୍ୟ ନେତାମାନଙ୍କ ସହ ହାତ ମିଳାଇଥିଲେ ମଧ୍ୟ ଇମ୍ରାନଙ୍କ ଆଡକୁ ଚାହିଁ ନଥିଲେ । କିଛି ସମୟ ପରେ ଇମ୍ରାନ ଆସନ ଛାଡି ଚାଲିଯାଇଥିଲେ । ପୂର୍ବରୁ ଯେକୌଣସି ସମସ୍ୟା ସମ୍ପର୍କରେ ପାକିସ୍ତାନ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ଇମ୍ରାନ ମୋଦିଙ୍କୁ ଚିଠି ଲେଖିଥିଲେ । ତେବେ ଆତଙ୍କବାଦ ଓ ଆଲୋଚନା ଏକସଙ୍ଗେ ସମ୍ଭବ ନୁହଁ ବୋଲି ଭାରତ ଦର୍ଶାଇଥିଲା ।
ମୋଦି ଏସସିଓ ବୈଠକରେ ଯୋଗ ଦେବା ପାଇଁ ପାକିସ୍ତାନର ବାୟୁସୀମା ବ୍ୟବହାର କରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ପାକ୍ ବାୟୁସୀମା ବଦଳରେ ମୋଦି ତୁର୍କିମେନସ୍ଥାନ ଓ ତାଜକିସ୍ତାନ ରୁଟ୍ ଦେଇ କିର୍ଗିସ୍ତାନର ବିଶକେକ୍ ଯାଇଛନ୍ତି ।