ଜମ୍ମୁ-କଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ! ଏସିଆର ସବୁଠାରୁ ଦୀର୍ଘ ଜୋଜିଲା ସୁଡଙ୍ଗର ଉଦଘାଟନ କରିବେ ମୋଦି

61

କନକ ବ୍ୟୁରୋ : ଶ୍ରୀନଗରକୁ ସୁଡ଼ଙ୍ଗ ଉପହାର ଦେବେ ପ୍ରଧାନମନ୍ତ୍ରୀ ମୋଦି । ଦୁଇଦିନିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଏହି ଅବସରରେ ଜାମ୍ମୁ, କାଶ୍ମୀର ଓ ଲଦାଖରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ତେବେ ଜୋଜିଲା ସୁଡ଼ଙ୍ଗର ଶିଳାନ୍ୟାସକୁ ନେଇ ବର୍ତମାନ ସମୟରେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି । ୧୪ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଜୋଜିଲା ସୁଡ଼ଙ୍ଗକୁ ଏସିଆର ଦୀର୍ଘତମ ସୁଡ଼ଙ୍ଗ କୁହାଯାଉଛି । ୬ ହଜାର ୮୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ଏହି ସୁଡ଼ଙ୍ଗ ।

ଏହା ୱାଲତାଲ୍ ଓ ମୀନାମାର୍ଗ ମଧ୍ୟରେ ନିର୍ମାଣ ହେଉଥିବା ବେଳେ ଶ୍ରୀନଗର, ଲେହ୍ ଓ କାରଗିଲକୁ ଯୋଡ଼ିବାରେ ସହାୟକ ହେବ । କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ଏହାର ଆଧାରଶିଳା ରଖିବେ । ଅନ୍ୟପଟେ ସୁଡ଼ଙ୍ଗ ବ୍ୟତୀତ ଏକାଧିକ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବେ ମୋଦି । ୩୩୦ ମେଗାୱାଟ୍ ବିଶିଷ୍ଟ କିଶନଗଙ୍ଗା ଜଳବିଦ୍ୟୁତ ଯୋଜନା, ଶ୍ରୀନଗର ରିଙ୍ଗ୍ ରୋଡ୍, ପାକୁଲଦଲ୍ ଶକ୍ତିପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି ।