ଦେଶବାସୀଙ୍କୁୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ! କହିଲେ ମହାକାଶରେ ଇତିହାସ ରଚିଲା ଭାରତ,୩ ମିନିଟରେ ଲିଓ ସାଟେଲାଇଟକୁ ଖସାଇ ସଫଳ ହେଲା ମିଶନ ଶକ୍ତି ଅପରେସନ

706

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି କିଛି ସମୟ ପୂର୍ବରୁ ବଡ଼ ସଫଳତା ହାସଲ କରିଛି ଭାରତ । ଭାରତ ମହାକାଶରେ ମହାଶକ୍ତି ରୂପେ ଉଭା ହୋଇଛି । ଏହା ସମସ୍ତ ଭାରତୀୟ ପାଇଁ ଗର୍ବର ବିଷୟ । ଆଜି ଡିଆରଡିଓ ପକ୍ଷରୁ ବିକଶିତ ଆଣ୍ଟି ସାଟେଲାଇଟ୍ ମିସାଇଲ୍(ଏ-ସ୍ୟାଟ୍ ମିସାଇଲ୍)ର ସଫଳତା ପୂର୍ବକ ପରୀକ୍ଷଣ ପରେ ନୂତନ ଇତିହାସ ରଚନା ହୋଇଛି । ପୃଥିବୀଠାରୁ ୩୦୦ କିଲୋମିଟର ଦୂରରେ ଥିବା ଲୋ ଆର୍ଥ ଅରବିଟରେ ସ୍ଥାପିତ ଏକ କୃତିମ ଉପଗ୍ରହକୁ ଏ-ସ୍ୟାଟ ମିସାଇଲ ଜରିଆରେ ଧ୍ୱଂସ କରାଯାଇଛି । ଏପରି ବିରଳ ସଫଳତା ହାସଲ କରିବାରେ ଭାରତ ହେଉଛି ବିଶ୍ୱର ଚତୁର୍ଥ ଦେଶ । ପୂର୍ବରୁ କେବଳ ଆମେରିକା, ଋଷ ଓ ଚୀନ ପାଖରେ ଏହି ଆଣ୍ଟି ସାଟେଲାଇଟ୍ ମିସାଇଲ୍ ଥିଲା ।

ମିଶନ ଶକ୍ତି ଅତି କଷ୍ଟକର ମିଶନ୍ ଥିଲା । ଭାରତ ମିଶନ ଶକ୍ତି ଅପରେସନକୁ ମାତ୍ର ୩ ମିନିଟରେ ପୁରା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସୂଚନା ଦେଇ କହିଛନ୍ତି ଲିଓ ସାଟେଲାଇଟକୁ ମାରି ଖସାଇବା ଏକ ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ଥିଲା । ଯାହାକୁ ଭାରତୀୟ ବୈଜ୍ଞାନିକ ମାନେ ସଫଳତାର ସହ ହାସଲ କରିଛନ୍ତି । ଏଥିପାଇଁ ଭାରତ ନିର୍ମିତ ସାଟେଲାଇଟକୁ ବ୍ୟବହାର କରାଯାଇଥିଲା । ଭାରତର ଏହି ମିଶନକୁ ମିଶନ ଶକ୍ତି ନାମ ଦିଆଯାଇଛି ।

ମୋଦି କହିଛନ୍ତି ଆଜି ଆମ ନିକଟରେ ପର୍ଯ୍ୟାପ୍ତ ସଂଖ୍ୟାରେ ସାଟେଲାଇଟ୍ ରହିଛି । ରକ୍ଷା, ସୁରକ୍ଷା, ଯୋଗାଯୋଗ ସମେତ ଅନେକ କ୍ଷେତ୍ରର ସହାୟତା ମିଳୁଛି । ତେବେ ଭାରତର ଏହି ଅଭିଯାନ କୌଣସି ଦେଶକୁ କ୍ଷତି ପହଁଚାଇବା ପାଇଁ ନୁହେଁ । ବରଂ ଆତ୍ମରକ୍ଷା ସେବା ଆପଣାଇବା ପାଇଁ ଉଦ୍ୟମ । ଏହି ଅପରେସନ କୌଣସି ପ୍ରକାର ସନ୍ଧିର ଉପଯୋଗ କରୁନାହିଁ । ଭାରତ ବିଶ୍ୱର ଚତୁର୍ଥ ରାଷ୍ଟ ଭାବେ ଏହି ସଫଳତା ହାସଲ କରିଛି । ଆଂଟି ସାଟେଲାଇଟ୍ ଏ ସେଟ୍ ମିଶାଇର ଭାରତର ବିକାଶ କ୍ଷେତ୍ର ଦେଶକୁ ନୂଆ ଦିଗ ଦେଖାଇବ ।