ନନ୍ଦନକାନନରେ ଉଦଘାଟିତ ହେଲା ହେଟାବାଘ ଘର ଓ ବ୍ୟାଟେରି ଚାଳିତ ଗାଡ଼ିର ଟିକେଟ୍ ଘର !

72

କନକ ବ୍ୟୁରୋ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନବ ନିର୍ମିତ ହେଟାବାଘ ଘର ଓ ବ୍ୟାଟେରି ଚାଳିତ ଗାଡ଼ିର ଟିକେଟ୍‌ ଘର ଆଜି ଉଦ୍‌ଘାଟିତ ହୋଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହାକୁ ଉଦ୍‌ଘାଟିତ କରିଥିଲେ । ମନ୍ତ୍ରୀ ୨୫ ଓ ୨୬ ନମ୍ବର ଖୁଆଡ଼ରେ ନିର୍ମିତ ହେଟାବାଘ ଘର ଦୁଇଟିର  ଫଳକ ଉଦ୍‌ଘାଟନ କରିବା ପରେ ହଳେ ହେଟାବାଘଙ୍କୁ ଖୁଆଡ଼ ମଧ୍ୟକୁ ଛଡ଼ା ଯାଇଥିଲା । ଏହି ଅବସରରେ ମନ୍ତ୍ରୀଙ୍କ ସହ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ନନ୍ଦନକାନନ ନିର୍ଦ୍ଦେଶକ ଶିଶିର ଆଚାର୍ଯ୍ୟ, ଉପ-ନିର୍ଦ୍ଦେଶକ ଜୟନ୍ତ କୁାର ଦାସ, ବରିଷ୍ଠ ପ୍ରଣୀ ଚିକିତ୍ସକ ଅନିଲ କୁମାର ଦାସ, ଜନ୍ତୁ ବିଭାଗ ଏସିଏଫ୍‌ ଅଞ୍ଜନ କୁମାର ମହାନ୍ତି, ପର୍ଯ୍ୟଟକ ପରିଚାଳନା ବିଭାଗ ଏସିଏଫ୍‌ ଅମୂଲ୍ୟ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

୧୮୧୦ ବର୍ଗମିଟର ପରିମିତ ଜାଗାରେ ୨ଟି ହେଟାବାଘ ଘର ନିର୍ମାଣ କରାଯାଇଛି। ଏଥିରେ ନନ୍ଦନକାନନର ନିଜସ୍ୱ ପାଣ୍ଠିରୁ ୩୫ ଲକ୍ଷ ଟଙ୍କା ଖର୍ଚ ହୋଇଛି। ଖୁଆଡ଼ ୨ଟିରେ ହେଟାବାଘଙ୍କ ପାଇଁ ୬ଟି ଖାଦ୍ୟ ଗ୍ରହଣ କକ୍ଷ ରହିଛି । ଏହା ପଛକୁ ଆଉ  ୪ଟି ଗୃହ ନିର୍ମାଣ କରାଯାଇଛି। ଏଥିରେ ଅସୁସ୍ଥ ହେଟାବାଘଙ୍କର ଚିକିତ୍ସା କରାଯିବ । ସେହିପରି ଜନ୍ତୁରକ୍ଷକଙ୍କ ଲାଗି ମଧ୍ୟ ଗୃହ ନିର୍ମାଣ କରାଯାଇଛି । ପର୍ଯ୍ୟଟକଙ୍କ ଲାଗି ଉଭୟ  ହେଟାବାଘ ଘର ସମ୍ମୁଖରେ ଗ୍ୟାଲେରି ନିର୍ମାଣ କରାଯାଇଛି । ପରେ ମନ୍ତ୍ରୀ ଶ୍ରୀ ରାଉତରାୟ ବ୍ୟାଟେରି ଚାଳିତ ଗାଡ଼ି ଟିକେଟ୍‌ ଘରକୁ ଉଦ୍‌ଘାଟନ କରିଥିଲେ  ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ରାଉତରାୟ ନନ୍ଦନକାନନ ପାଇଁ ଅନେକ ଯୋଜନା ରହିଛି ବୋଲି କହିଥିଲେ । ତେବେ ନନ୍ଦନକାନନ ପଛ ପାଖ ପାଚେରି କିଭଳି ସୁଦୃଢ଼ କରାଯାଇ ପାରିବ ସେଥିଲାଗି ଆମେ ଚିନ୍ତା କରୁଛୁ ବୋଲି ଗୁରୁତ୍ୱ ଦେଇଥିଲେ । ଅନ୍ୟପକ୍ଷରେ ଜେବ୍ରା ଆଣିବା ନେଇ ମନ୍ତ୍ରୀ କହିଥିଲେ ଯେ, ଆମ ପରିବେଶ ଜେବ୍ରାଙ୍କୁ ସୁହାଉ ନାହିଁ । ତେବେ ଏ ନେଇ ଅଧିକ ପରୀକ୍ଷା ନରୀକ୍ଷା ଜାରି ରହିଛି । କିପରି ଜେବ୍ରାମାନେ ଆମ ପରିବେଶରେ ରହି ପାରିବେ ତାହା ନିଶ୍ଚିତ ହବା ପରେ ଯାହା କିଛି ପଦକ୍ଷେପ ନିଆଯାଇ ପାରିବ ।  ନିର୍ଦ୍ଦେଶକ ଶ୍ରୀ ଆଚାର୍ଯ୍ୟ କହିଥିଲେ, ଆଜି ୪ଟି ହେଟାବାଘ ଛଡ଼ାଯାଇଛି ଆଗକୁ ଆଉ ଗୋଟିଏ ଛଡ଼ାଯିବ । ଆଗମୀ ବର୍ଷରେ ସଇସୁର ଚିଡ଼ିଆଖାନାରୁ ନନ୍ଦନକାନନକୁ ହଳେ ଜିରାଫ ଆଣିବାକୁ ସ୍ଥିର ହୋଇଥିବା ସେ କହିଥିଲେ ।