କୂଳ ଖାଉଛି ନାଗାବଳୀ : ଆତଙ୍କରେ ସ୍ଥାନୀୟ ବାସିନ୍ଦା, ବିପନ୍ନ ହେଉଛି ଜୀବନ ଜୀବିକା

181

କନକ ବ୍ୟୁରୋ : କୂଳ ଖାଉଛି ନାଗାବଳୀ । ପ୍ରତି ବର୍ଷ ବଦଳୁଛି ନଦୀର ଗତିପଥ । ଲଗାଣ ବର୍ଷାରେ ନଦୀ ଫୁଲିଲେ ୧୦ ଖଣ୍ଡ ଗ୍ରାମବାସୀଙ୍କ ଆଖିରୁ ହଜିଯାଉଛି ନିଦ । ଦୀର୍ଘ ୧୫ ବର୍ଷ ଧରି ବର୍ଷା ଋତୁରେ ନାଗାବଳୀ କୂଳ ଲଂଘି ଚାଲିଛି । ଯାହାଫଳରେ ବନ୍ୟା ଜଳରେ ଉବୁଟୁବୁ ହେଉଛନ୍ତି ରାୟଗଡା, କୋଲନରା, କଲ୍ୟାଣସିଂହପୁର ବ୍ଲକର ନଈକୂଳିଆ ଗ୍ରାମବାସୀ । ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରତିକାର ବ୍ୟବସ୍ଥା ନଥିବାରୁ ସମୟକ୍ରମେ ନଦୀଗର୍ଭରେ ଲୀନ ହେବା ଗାଁ ସଂଖ୍ୟା ବଢ଼ିବାରେ ଲାଗିଛି ।

କୋଲନରା ବ୍ଲକର ରେବତୀଗୁଡା ଗାଁ । ହାଲ୍‌କା ବର୍ଷାରେ ବି ଗାଁ ନିକଟ ଦେଇ ବହି ଯାଇଥିବା ନାଗାବଳୀ ଦାଉ ସାଧୁଛି । ଦିନ ଥିଲା ଗ୍ରାମଠୁ ୩ ଶହ ମିଟର ଦୂରରେ ବହି ଯାଉଥିଲା ନଦୀ । କିନ୍ତୁ ନଦୀ କୂଳ ଲଂଘିବା ଯୋଗୁ ଏବେ ଗାଁ ଠାରୁ ୫୦ ମିଟର ଦୂରରେ ରହିଛି । ଗତ ୧୯ବର୍ଷରେ ନଦୀ ୨୫୦ ମିଟର କୂଳ ଖାଇ ସାରିଲାଣି । ବର୍ତମାନ ଗ୍ରାମର ତିନି ପାର୍ଶ୍ବ ଦେଇ ବହି ଯାଉଛି ନଦୀ । ବର୍ଷା ଋତୁରେ ନଦୀ ଜଳପତ୍ତନ ବଢ଼ିଲେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି । ବାରମ୍ବାର ନଦୀର ଗତିପଥ ପରିବର୍ତନ ଯୋଗୁ ଗାଁର କିଛି ଘର କାନ୍ଥରେ ଫାଟ ସୃଷ୍ଟି ହେବା ସହ କିଛି ଘର ଭୁଶୁଡିଲାଣି । ସୁରକ୍ଷା ପ୍ରାଚୀର ସହ ଆଡିବନ୍ଧ ନିର୍ମାଣ ପାଇଁ ଗ୍ରାମବାସୀ ପ୍ରଶାସନଠୁ ଆରମ୍ଭ କରି ନେତା, ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ହାରି ଗୁହାରି କରିବା ସତ୍ତ୍ବେ କିଛି ସୁଫଳ ମିଳିପାରୁନି । ଫଳରେ ନାଗାବଳୀ ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି ଏହି ଗାଁ ।

ସେହିପରି ନଦୀ କୂଳରେ ଥିବା ବିରିବାଡି ଗ୍ରାମର ଅବସ୍ଥା ମଧ୍ୟ ସମାନ୍ । ବନ୍ୟା ପାଣି ଗାଁ ଭିତରକୁ ମାଡ଼ୁଥିବାରୁ ଜୀବନ ଜୀବିକା ଛାଡି ଗ୍ରାମବାସୀ ବର୍ଷା ଦିନେ ଘରଦ୍ବାରକୁ ଜଗି ରହୁଛନ୍ତି । ୨୦୧୭ ବନ୍ୟାରେ ନଦୀଗର୍ଭରେ ଲୀନ ହୋଇଥିବା କଲ୍ୟାଣସିଂହପୁର ବ୍ଲକର କୁମ୍ଭାରୀଗୁଡା ଗାଁ । ୩୬ ପରିବାର ସର୍ବସ୍ବାନ୍ତ ହୋଇ ପଡିଥିବା ବେଳେ ଆଜି ପର‌୍ୟ୍ୟନ୍ତ ଅଣ୍ଟା ସଳଖି ପାରିନାହାନ୍ତି। ଏବେ ବି ଏହି ପରିବାର ପଲିଥିନ୍ ତଳେ ମୁଣ୍ଡ ଗୁଞ୍ଜିଛନ୍ତି । ତାହା ପୁଣି ନାଗାବଳୀ ନଦୀ କୂଳରେ । ଭିଟାମାଟିକୁ ଛାଡି ଗ୍ରାମବାସୀ ଯାଇପାରୁ ନଥିବାରୁ ବନ୍ୟା ଭୟ ସତ୍ତ୍ବେ ଉକ୍ତ ଗ୍ରାମରେ ହିଁ ରହୁଛନ୍ତି। ସେହିପରି ବ୍ଲକର ଜିଲୁଣ୍ଡା, କୋତାଗୁଡା, ଭେଜା ଗାଁ ସମେତ ବୁଡାଗୁଡା, କଲ୍ୟାଣସିଂହପୁର, ମାଝୀଗୁଡା ପଂଚାୟତ ନାଗାବଳୀ ନଦୀ ଦ୍ବାରା ପ୍ରଭାବିତ ହେଉଛି ।

 

୨୦୧୭ ବନ୍ୟା ବିତ୍ପାତକୁ ବ୍ଲକବାସୀ ଏଯାବତ୍ ଭୁଲିନଥିବା ବେଳେ ନଦୀରେ ବନ୍ୟା ପାଣିକୁ ଦେଖିଲେ ଛାତି ଥରି ଉଠୁଥିବା ପ୍ରକାଶ କରିଛନ୍ତି । ବ୍ଲକର ସିଙ୍ଗାରୀଠୁ ଆରମ୍ଭ କରି ଭେଜା ପର୍ଯ୍ୟନ୍ତ ବହି ଯାଇଥିବା ନାଗାବଳୀ ନଦୀ ଏବେ ୩ ପଞ୍ଚାୟତବାସୀଙ୍କ ପାଇଁ ଦୁଃଖର କାରଣ ପାଲଟିଛି । ରାୟଗଡା ବ୍ଲକର ଜଗନ୍ନାଥପୁର, ବେହେରାଗୁଡା, ବେଡେଲି, ଗୋସାଇଁକଣ୍ଟୁଆ, ଉମୁରାବାଲି ପ୍ରଭୃତି ଗାଁ ନାଗାବଳୀ ବନ୍ୟାରେ ପ୍ରଭାବିତ ହେଉଛି । ୨୦୧୭ ବନ୍ୟାରେ ଜଗନ୍ନାଥପୁର ଓ ଗୋସାଇଁକଣ୍ଟୁଆ ଗ୍ରାମରେ ବନ୍ୟା ପାଣି ପଶୁଥିଲା । ଜଗନ୍ନାଥପୁର ଠାରେ ନାଗାବଳୀ କୂଳ ଲଂଘି ଚାଲି ଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଦିନ କାଟୁଥିବା ବେଣୁ ମେଲେକା କହିଛନ୍ତି। ସେହିପରି ସାନଚାନ୍ଦିଲି, କୋତପେଟା, କୁମୁଟିପେଣ୍ଠ, ଦେବଦୋଳା ଗ୍ରାମ ମଧ୍ୟ ବର୍ଷା ଋତୁରେ ନାଗାବଳୀ ଦ୍ବାରା ପ୍ରଭାବିତ ହେଉଛନ୍ତି । ବର୍ଷା ଦିନ ଯୋଗୁଁ ପ୍ରଶାସନ ତୁରନ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି । ନଚେତ୍ ନାଗାବଳୀ ନଦୀ ଗର୍ଭରେ ୩ ବ୍ଲକର ୧୦ଖଣ୍ଡା ଗାଁ ଲୀନ ହେବ ଏଥିରେ ସଂଦେହ ନାହିଁ।