ନବରଙ୍ଗପୁର ଚାଷୀଙ୍କୁ କାଳ ହେଲା ଅଦିନିଆ ବର୍ଷା : ଲଗାଣ ବର୍ଷା ଯୋଗୁଁ ମଣ୍ଡିରେ ପଡିଥିବା ଶହ ଶହ କ୍ୱିଂଟାଲ ଧାନ ନଷ୍ଟ, ଟୋକନ ମିଳିନଥିବାରୁ ବଢୁଛି ଚାଷୀଙ୍କ ସମସ୍ୟା

160

କନକ ବ୍ୟୁରୋ : ନବରଙ୍ଗପୁର ଉମରକୋଟରେ ଚାଷୀଙ୍କୁ କାଳ ହୋଇଛି ଅଦିନିଆ ବର୍ଷା । ଅନଲାଇନ୍ ବ୍ୟବସ୍ଥାରେ ଧାନ ବିକ୍ରି ବ୍ୟବସ୍ଥା ଆସିବା ପରେ ମଣ୍ଡିରେ ପଡି ରହିଛି ଶହ ଶହ କୁଇଂଟାଲ ଧାନ । ଚାଷୀଙ୍କୁ ମିଳିନି ଟୋକନ । ଚାଷୀ ଟୋକନ ପାଇଁ ଲ୍ୟାମ୍ପସକୁ ଗଲେ ମଧ୍ୟ ମେସେଜ୍ ଆସିନି କହି ସେମାନଙ୍କୁ ଫେରାଇ ଦିଆଯାଉଛି । ସେପଟେ ଏପରି ସ୍ଥିତିରୁ ଫାଇଦା ନେଉଛନ୍ତି ଦଲାଲ ।

ଅଦିନିଆ ଲଗାଣ ବର୍ଷା ପରେ ଖୋଲା ଆକାଶ ତଳେ ପଡି ରହିଥିବା ଧାନ ସବୁ ନଷ୍ଟହୋଇ ଯାଇଛି । ଅମଳ ପରେ ଏପରି ଫସଲ ନଷ୍ଟକୁ ନେଇ ଚିନ୍ତାରେ ପଡିଛନ୍ତି ନବରଙ୍ଗପୁର ଉମରକୋଟ ଚାନ୍ଦିଆବେଡା ଓ ମୂର୍ତୁମା ଅଂଚଳର ଚାଷୀ । ସେପଟେ ଚାଷୀଙ୍କ ସମସ୍ୟାର ସମାଧାନ ନେଇ ମଣ୍ଡି ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ସେ ଦେଖା ଦେଉନାହାନ୍ତି ।

ସେପଟେ ଆଜି ଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ । ଆସନ୍ତା ୩ ଦିନ ଧରି ଥରାଇବ ଥଣ୍ଡା । ଆଜି ଠାରୁ ୫ ଦିନ ଯାଏଁ ନାହିଁ ବର୍ଷା ସଂଭାବନା । ଆକାଶ ରହିବ ମେଘମୁକ୍ତ । ବଢିବ ଥଣ୍ଡାର ପ୍ରକୋପ । ଏନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ । ଆସନ୍ତା ୩ ଦିନ ପାରଦ ୨ରୁ ୫ ଡିଗ୍ରୀ ଯାଏଁ ଖସିବ । ଫଳରେ ରାଜ୍ୟରେ ଅନୁଭୂତ ହେବ ପ୍ରବଳ ଜାଡ । ଆସନ୍ତାକାଲି ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ଅନୁଗୁଳରେ କୁହୁଡି ଦେଖାଦେବ । ସେହିପରି ସୁନ୍ଦରଗଡ, ବାଲେଶ୍ୱର, ଅନୁଗୁଳ, କଟକ, କଟକ, ସୋନପୁର ଓ ବଲାଙ୍ଗୀରରେ ଶୀତ ଲହରି ଅନୁଭୂତ ହେବ ।