ନବରଙ୍ଗପୁର ଗୁରୁସିଙ୍ଗାରେ ଚାଉଳ ହଡପ ଅଭିଯୋଗ ! ଯୋଗାଣ ବିଭାଗ ଅଧିକାରୀଙ୍କୁ ଅଟକ ରଖିଲେ ହିତାଧିକାରୀ

39

କନକ ବ୍ୟୁରୋ : ଚାଉଳ ହଡପକୁ କେନ୍ଦ୍ର କରି ପଂଚାୟତ କାର୍ଯ୍ୟାଳୟ ଘେରିଲେ ହିତାଧିକାରୀ । ନବରଙ୍ଗପୁର ଗୁରୁସିଙ୍ଗା ପଂଚାୟତ କାର୍ଯ୍ୟାଳୟରେ ଯୋଗାଣ ଅଧିକାରୀଙ୍କୁ ଅଟକ ରଖିବା ସହ ଶତାଧିକ ହିତାଧିକାରୀ ବିକ୍ଷୋଭ କରିଛନ୍ତି । ପାଖାପାଖି ୪ ଘଂଟା ଧରି କର୍ମଚାରୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ନବରଙ୍ଗପୁର ଝରି ଗାଁ ବ୍ଲକ ଗୁରୁସିଙ୍ଗା ପଂଚାୟତ କାର୍ଯ୍ୟାଳୟରେ ଏଭଳି ଉତ୍ତେଜନା ଦେଖିବାକୁ ମିଳିଛି । ଡିସେମ୍ବର ମାସରେ କୌଣସି ହିତାଧିକାରୀଙ୍କୁ ଚାଉଳ ନମିଳିଥିବା ବେଳେ ଅଧିକ ହିତାଧିକାରୀଙ୍କ ଖାତାରେ ଚାଉଳ ଦିଆଯାଇଥିବା ଉଲ୍ଲେଖ କରାଯାଇଥିଲା ।

ଏହାକୁ ନେଇ ହିତାଧିକାରୀମାନେ କର୍ମଚାରୀଙ୍କ ଅଟକ ରଖିବା ସହ ପଂଚାୟତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନ୍ୟପଟେ ପଂଚାୟତ ନିର୍ବାଚନରେ ବ୍ୟସ୍ତ ଥିବାରୁ ଓ ପଂଚାୟତରେ ନୂଆକରି ଯୋଗ ଦେଇଥିବାରୁ ଚାଉଳ ବଂଟନ ଦାୟିତ୍ୱ ଗ୍ରହଣ କରିନଥିବା କହିଛନ୍ତି ପଂଚାୟତ ସଂପ୍ରସାରଣ ଅଧିକାରୀ । ସେପଟେ ଚାଉଳ ହଡପ ଘଟଣାକୁ ଅସ୍ୱୀକାର କରିଛନ୍ତି ବିଡିଓ । ତେବେ ଏତେ ଚାଉଳ କୁଆଡେ ଗଲା ସେ ନେଇ ହିତାଧିକାରୀ ମାନେ ପ୍ରଶ୍ନ ଉଠାଇବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି ।