ଓଡିଶାକୁ ନାହିଁ କରୋନା ଭୟ : ଭୁବନେଶ୍ୱର ଓ ଝାରସୁଗୁଡା ବିମାନ ବନ୍ଦରରେ କଡା ନଜର, ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

347

କନକ ବ୍ୟୁରୋ : ଓଡିଶାକୁ ନାହିଁ କରୋନା ଭୟ । ଭାରତରେ କରୋନା ରୋଗୀ ଚିହ୍ନଟ ହେବାପରେ ଓଡ଼ିଶାରେ ଭାଇରସ୍ ସଂକ୍ରମଣକୁ ନେଇ ହଇଚଇ ସୃଷ୍ଟି ହୋଇଯାଇଛି । କରୋନା ଭାଇରସ୍ ନେଇ ସତର୍କ ରାଜ୍ୟ ସରକାର । ଓଡିଶାରେ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି । ଭୁବନେଶ୍ୱର ଓ ଝାରସୁଗୁଡା ବିମାନ ବନ୍ଦରରେ କଡା ନଜର ରଖାଯାଇଛି । ଓଡ଼ିଶା ସରକାର ଓ ସ୍ୱାସ୍ଥ୍ୟ ବିଭାଗ କରୋନା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ସ୍ୱାସ୍ଥ୍ରମନ୍ତ୍ରୀ ନବ ଦାସ ।

ଟିକିଏ ସନ୍ଦେହ ହେଲେ ମେଡ଼ିକାଲ ଯାଇ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । କରୋନା  ଭାଇରସକୁ ନେଇ ଯେପରି ରାଜ୍ୟରେ କେହି ସଂକ୍ରମିତ ନହୁଅନ୍ତି, ସେନେଇ ସତର୍କ ରହିବାକୁ ବିମାନ ବନ୍ଦର, ରେଳବାଇ କର୍ତୃପକ୍ଷ ଏବଂ ପାରାଦୀପ ବନ୍ଦରକୁ ନିର୍ଦ୍ଦେଶ ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏବେ ସୁଦ୍ଧା କୌଣସି ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟିଭ୍ ଆସିନାହିଁ । ଯେକୌଣସି ପରିସ୍ଥିତି ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ପୂର୍ବରୁ କରୋନା ପାଇଁ ଟୋଲ ଫ୍ରି ନମ୍ବର ଜାରି କରିଥିଲେ ସରକାର । କରୋନା ଭୂତାଣୁ ସଂକ୍ରମଣ ଜନିତ ସୂଚନା ପାଇଲେ ଟୋଲ ଫ୍ରି ନମ୍ବର -୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ ରାଜ୍ୟ ସରକାର ।

ସୂଚନା ଅନୁସାରେ ଗତକାଲି ଭାରତରେ ଦୁଇ ଜଣଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଇଟାଲୀରୁ ଦିଲ୍ଲୀ ଆସିଥିଲେ ଏବଂ ଆଉ ଜଣେ ଦୁବାଇରୁ ତେଲେଙ୍ଗାନା ଆସିଥିଲେ । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଏଥିସହ ବାହାରୁ ଆସୁଥିବା ଲୋକଙ୍କୁ ଥର୍ମାଲ ସ୍କ୍ରିନିଂ କରାଯିବା ସହ ଏହାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିବା ସେ କହିଥିଲେ ।