ରୂପା ଫରୁଆରେ ଭଣଜା ଭେଟି । ଭଗବାନଙ୍କ ପାଇଁ ଭକ୍ତର ବ୍ୟାକୁଳତା । ରାମ ମନ୍ଦିର ଭୂମି ପୂଜନରେ ଲାଗିବ ମାମୁଁଘର ମାଟି । ଫରୁଆରେ ମାଟି ଧରି ଛତିଶଗଡ଼ରୁ ଅଯୋଧ୍ୟା ୮୦୦ କିମି ଚାଲି ଚାଲି ଯାଉଛନ୍ତି ମହମ୍ମଦ ଫୈଜଲ୍ ଖାନ୍

362

କନକ ବ୍ୟୁରୋ : ଭଗବାନଙ୍କ ପାଇଁ ଭକ୍ତର ବ୍ୟାକୁଳତା । ରାମ ମନ୍ଦିର ଭୂମିପୂଜନରେ ପହଞ୍ଚିବାକୁ ଛତିଶଗଡ଼ରୁ ଅଯୋଧ୍ୟା ପଦଯାତ୍ରା । ଭାଇରସର କୋକୁଆ ଭୟ ପାଇଁ ମନ୍ଦିର ବନ୍ଦ, ରାସ୍ତାଘାଟ ଶୂନଶାନ୍, ହେଲେ ଶ୍ରଦ୍ଧାଳୁଙ୍କ ଆସ୍ଥା ମରିନି । ଭକ୍ତ ଓ ଭଗବାନ୍ ମଧ୍ୟରେ ବାଡ଼ ସୃଷ୍ଟି କରିପାରୁନି ଭାଇରସ୍ । ସଙ୍କଟ ଭିତରେ ବି ଭଗବାନ ରାମଙ୍କ ପ୍ରେମରେ ଭୋଳ ମୁସଲମାନ ଯୁବକ ମହମ୍ମଦ ଫୈଜଲ୍ । ଜନ୍ମ ସିନା ମୁସଲମାନ ପରିବାରରେ । ହେଲେ ମନ ପରା ପ୍ରଭୁ ଶ୍ରୀରାମଙ୍କ ପାଖରେ । ଭକ୍ତି ଜାଣେନା ହିନ୍ଦୁ, ମୁଲସିମ, ଇସାଇ, ଶିଖ୍ । ପୁରୁଷୋତ୍ତମ ଅପ୍ରତିମ  ଓ ଅଦୈତଙ୍କ ପ୍ରେମରେ ସେ ପୂରାପୁରି ଭୋଳ  ।

ଛତିଶଗଡ଼ର ମହମ୍ମଦ ଫୈଜଲ୍ ଖାନ୍ । ମୁହଁରେ ରାମନାମ । ଛତିଶଗଡ଼ ଚନ୍ଦଖୁରୀ ଗାଁରୁ ଚାଲି ଚାଲି ବାହାରିଛନ୍ତି ଅଯୋଧ୍ୟା । ଭଗବାନ ରାମଙ୍କ ମା କୌଶଲ୍ୟାଙ୍କ ଛତିଶଗଡର ଝିଅ । ଆଉ ସେହି ଦୃଷ୍ଟିରୁ ଭଗବାନ୍ ରାମଙ୍କ ପାଇଁ ନେଇକି ଯାଉଛନ୍ତି ଭଣଜା ଉପହାର । ମହମ୍ମଦଙ୍କ ପକେଟରେ ରୂପା ଫରୁଆ । ଆଉ ଫରୁଆ ଭିତରେ ଅଛି ମାମୁଁଘର ମାଟି । ଅଯୋଧ୍ୟାରେ ଭଗବାନ୍ ରାମ ମନ୍ଦିରର ଭୂମି ପୁଜନ ପାଇଁ ୫ ଅଗଷ୍ଟକୁ ପ୍ରସ୍ତାବିତ ହୋଇଛି । ଆଉ ସେଠରେ ପହଞ୍ଚି ଏହି ମାମୁଁଘର ଉପହାର ପ୍ରଦାନ କରିବେ ମହମ୍ମଦ । ଫୈଜଲ୍ ଖାନ୍ ଜଣେ ମୁସଲମାନ ହୋଇଥିଲେ ମଧ୍ୟ ଭଗବାନ୍ ରାମଙ୍କ ଜଣେ ପରମ ଭକ୍ତ । ଭଗବାନ୍ ଭକ୍ତଙ୍କର ଜାତି ଧର୍ମ ବର୍ଣ୍ଣ ଦେଖନ୍ତିନି । ଦେଖନ୍ତି ତ କେବଳ ଭକ୍ତର ଭକ୍ତି ଟିକକ ।

ମହମ୍ମଦ କୁହନ୍ତି ଭଗବାନ୍ ରାମ ସର୍ବତ୍ତ୍ର ବିଦ୍ୟମାନ । ସେ ସମସ୍ତଙ୍କର । ପ୍ରଭୁ ରାମ ଗୁଣ୍ଡୁଚୀ ମୂଷାର , ପ୍ରିୟ ଭକ୍ତ ହନୁମାନଙ୍କର, ଆଉ ଶବରରୀର ମଧ୍ୟ । ହିନ୍ଦୁ, ମୁସଲମାନ, ଖ୍ରିଷ୍ଟିଆନ୍ ସମସ୍ତଙ୍କ ପୂଜା ପଦ୍ଧତ୍ତି ସିନା ଭିନ୍ନ, କିନ୍ତୁ ଆମ ସମସ୍ତଙ୍କ ପୂର୍ବଜ ସମସ୍ତେ ସନାତନ ଧର୍ମର । ଗୁରୁଦ୍ୱାର, ମନ୍ଦିର, ଚର୍ଚ୍ଚ ଯେଉଁଠିାକୁ ଗଲେ ବି ସତ୍ୟକୁ କେହି ଅସ୍ୱୀକାର କରିପାରିବେନି । ଧର୍ମ ନାମରେ ଲଢ଼େଇ ନକରି ସତ୍ୟକୁ ସ୍ୱୀକାର କରିବା ଉଚିତ୍ । ଭିନ୍ନ ଭିନ୍ନ ଧର୍ମର ହୋଇଥିଲେ ହେଁ ଆମେ ସମସ୍ତେ ଭାରତୀୟ । ଆମେ ଏକ, ଭାରତର ଅଖଣ୍ଡତାକୁ କେହି ଭାଙ୍ଗିପାରିବେନି ।