୨୦୧୯ ପାଇଁ ଖାଲି ନାହିଁ ପ୍ରଧାନମନ୍ତ୍ରୀ ପଦ ! କେନ୍ଦ୍ରମନ୍ତ୍ରୀଙ୍କ ଦୃଢ଼ୋକ୍ତି, ଜନତା ସ୍ପଷ୍ଟ କରି ସାରିଛନ୍ତି କାହାକୁ ଦେବେ ଶାସନ ମଙ୍ଗ ?

165

କନକ ବ୍ୟୁରୋ : ୨୩ରେ ଆସିବ ୨୦୧୯ର ମହାଯୁଦ୍ଧର ଫଳାଫଳ । କିଏ ଜିତିବ କିଏ ହାରିବ, କାହା ମୁଣ୍ଡରେ ହାତୀ ସୁନାକଳସ ଢ଼ାଳିବ ତାହା ନିର୍ଦ୍ଧାରଣ କରିବେ ଜନତା । ରଥୀ-ମହାରଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ହେଲେ ତା’ପୂର୍ବରୁ ସବୁ ଜାତୀୟ ରାଜନୈତିକ ଦଳ ଗୁଡ଼ିକ ପୂର୍ବାନୁମାନ କରିସାରିଲେଣି । ସମସ୍ତ ଦଳ ଗୁଡ଼ିକ ଭୋଟର ନିଜ ସପକ୍ଷରେ ଥିବା ନେଇ ଯୁକ୍ତି ବାଢ଼ୁଛନ୍ତି । କିଏ କହୁଛି ମୋଦି ସରକାର ପୁଣି ସରକାର ଗଢ଼଼ିବେ ତ ଆଉ କିଏ କହୁଛି ଏଥର ମହାମେଂଟ ସରକାର ଆସିବ, ଆଉ କିଏ କହୁଛି କଂଗ୍ରେସ ଶାସନକୁ ଫେରିବ । ତେବେ ଏସବୁ ବାହାସ୍ପଟ ମେ ୨୩ରେ ବନ୍ଦ ହୋଇଯିବ । ଜନତାଙ୍କ ହାତରେ ଅସଲ ଚାବିକାଠି । ଭୋଟର ଯାହାକୁ ଚାହିଁବେ ସେ ଅକ୍ତିଆର କରିବ ଦିଲ୍ଲୀ ଗାଦି । ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ଆଜି କେନ୍ଦ୍ରମନ୍ତ୍ରୀ ମୁଖତାର ଆବାସ ନକଭି, ବିଜେପି ସରକାର ପୁଣି ଶାସନ ମଙ୍ଗ ଧରିବ ବୋଲି ଦୃଢ଼ୋକ୍ତି କରିଛନ୍ତି ।

ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଶାୟୀ ଅଧିକ । ହେଲେ ପଦ ତ ଗୋଟିଏ । ପ୍ରଧାନମନ୍ତ୍ରୀ ପଦ ପାଇଁ ବାଚାଳାମି କରିବା ଆରମ୍ଭ କରିଦେଇଛନ୍ତି ବିରୋଧୀ । ସେମାନଙ୍କୁ ଭଲ ଭାବରେ ଜଣା ପ୍ରଧାନମନ୍ତ୍ରୀ ପଦ ପାଇଁ ୨୦୧୯ରେ କୌଣସି ଭେକେନ୍ସି ନାହିଁ । ସେମାନଙ୍କୁ କେବଳ ପ୍ରଧାନମନ୍ତ୍ରୀ ଆଶାୟୀ ଭାବେ ସନ୍ତୁଷ୍ଟ ହେବାକୁ ପଡ଼ିବ । ତଥାପି ତାଙ୍କର ଅପଚେଷ୍ଟା ଜାରି ରହିଛି । ଜନତା କାହାକୁ ପ୍ରଧାନମନ୍ତୀ ଚୟନ କରିବେ ତାହା ସ୍ପଷ୍ଟ ହୋଇସାରିଛି । ମୋଦିଙ୍କ ପରିଶ୍ରମ ଓ ପ୍ରଦର୍ଶନ ଉପରେ ଲୋକଙ୍କ ଭରସା ରହିଛି ।

କଂଗ୍ରେସକୁ ସମାଲୋଚନା କରି ସେ କହିଛନ୍ତି, ଜାତି ଧର୍ମ ରାଜନୀତି ଏବେ ବନ୍ଦ । ଜାତିକୁ ନେଇ ରାଜନୀତି କରୁଥିବା ଲୋକଙ୍କ ଦୋକାନ ବନ୍ଦ ଏବେ ବନ୍ଦ ହେବା ଉପରେ । ଜନତାଙ୍କ ଆଖିରେ ଆଉ କଳାପଟି ନାହିଁ । ସବୁ ସ୍ପଷ୍ଟ ହୋଇ ଜଳ ଜଳ ଦେଖାଯାଉଛି । ଜାତିକୁ ନେଇ ରାଜନୀତି ଏବେ ଆଉ ଚଳୁନାହିଁ । ତେଣୁ ଯେଉଁମାନେ ଜାନି ଧର୍ମକୁ ଆୟୁଧ କରିଥିଲେ, ଭଲ ହେବ ସେମାନେ ବର୍ତ୍ତମାନ ଜାତି ପ୍ରମାଣପତ୍ର କାଉଣ୍ଟର ଖୋଲିବା ଉଚିତ୍ । କିଛି ନହେଲେ ତାଙ୍କର ଖର୍ଚ୍ଚ ତ ସେଥିରୁ ବାହାରିଯିବ । ଜାତି, ଅଂଚଳ, ଧର୍ମ ସଂପ୍ରଦାୟ ରାଜନୀତି କରୁଥିବା ଲୋକଙ୍କ ଅସଲ ଚେହେରା ଜନତାଙ୍କ ସାମ୍ନାରେ ।

ଏହାସହ ନକଭି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ବିକାଶର ଏକ ରାସ୍ତା ତିଆରି କରିଛନ୍ତି । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ସେମାନେ ହିଟ ଆଣ୍ଡ ରନର ଖେଳ ଖେଳୁଛନ୍ତି । ପାର୍ଟ ଟାଇମ ରାଜନୀତି କରୁଛନ୍ତି ଭାଇଭଉଣୀ । ସେମାନଙ୍କ କଥାରେ ନା ଗମ୍ଭୀରତା ଅଛି ନା କୌଣସି ଅଭିଯୋଗରେ ସତ୍ୟତା ଅଛି । ପ୍ରତିଦିନ ମିଛର ମାୟାଜାଲ ବୁଣୁଛନ୍ତି । ମିଛ କାହାଣୀ ତିଆରି କରି ଲୋକଙ୍କୁ ଭ୍ରମିତ କରିବା ପାଇଁ ଅପଚେଷ୍ଟା କରାଯାଉଛି । ନିର୍ବାଚନୀ ବୈତରଣୀ ପାର ପାଇଁ ଯେଉଁ କାମ କରୁଛନ୍ତି, ସେଥିରେ କଂଗ୍ରେସକୁ କୌଣସି ଲାଭ ମିଳୁନାହିଁ । ବରଂ ଅଧିକ କ୍ଷତିଗ୍ରସ୍ତ ହେଉଛି କଂଗ୍ରେସ । ରସାତଳକୁ ଯିବାକୁ ବସିଲାଣି କଂଗ୍ରେସ ।