ବର୍ଷା ଆରମ୍ଭରୁ ବେହାଲ ବଗପାଟିଆ : ପାଣି କାଦୁଅ ଭିତରେ ଜୀବନ ବିତାଉଛନ୍ତି ଗ୍ରାମବାସୀ, ବିପଦ ବେଳେ ପ୍ରଶାସନର ଦେଖାନାହିଁ

94

କନକ ବ୍ୟୁରୋ : ଜିଲ୍ଲାପାଳ ବଦଳିଲେ ହେଲେ ବଦଳିଲା ନାହିଁ ବିସ୍ଥାପିତଙ୍କ ଜୀବନଚର୍ଯ୍ୟା । ବର୍ଷା ଆରମ୍ଭରୁ ଜଳବନ୍ଦୀ ଜୀବନ । ପାଣି କାଦୁଅ ଭିତରେ ଜୀବନ ବିତାଉଛନ୍ତି ସାତଭାୟାବାସୀ । ସମୁଦ୍ର ଗର୍ଭରେ ଗାଁ ଲୀନ ହେବାକୁ ଥିବା କେନ୍ଦ୍ରାପଡା ସାତଭାୟାବାସୀଙ୍କୁ ରାଜନଗର ବଗପାଟିଆ ଗାଁରେ ଥଇଥାନ କରାଯାଇଛି । ହେଲେ ଏଠାରେ କିନ୍ତୁ ସେମାନଙ୍କ ଦୁଃଖ ସାତଭାୟା ଠାରୁ ବଳି ଯାଇଛି ।

ବଦଳୁଛନ୍ତି ଜିଲ୍ଲାପାଳ ହେଲେ ବଦଳୁନି କେନ୍ଦ୍ରାପଡା ବଗପାଟିଆର ଚିତ୍ର । ଆକାଶରେ କଳାହାଣ୍ଡିଆ ମେଘ ଦେଖିଲେ ଛାନିଆ ବଗପାଟିଆ ବାସିନ୍ଦା । ସାତଭାୟା ଅଂଚଳରେ ବଙ୍ଗୋପସାଗରରେ ଲୀନ ହୋଇଯିବାର ଆଶଙ୍କା ଥିବାରୁ ସେଠାରେ ରହୁଥିବା ଲୋକଙ୍କୁ ରାଜନଗର ବଗପାଟିଆ ଠାରେ ଥଇଥାନ କରିଛନ୍ତି ପ୍ରଶାସନ । ୫ ଶହ ପରିବାର ରହୁଥିବା ଏହି ଅଂଚଳର ସ୍ଥିତି ବିଗାଡି ଦେଇଛି ବର୍ଷା । ଜନବସତିଟି ରାସ୍ତା ଠାରୁ ୮ ଫୁଟ ତଳେ ଥିବାରୁ ବର୍ଷା ଯୋଗୁଁ ରାସ୍ତାଘାଟ କାଦୁଅ ପଚପଚ ହୋଇଛି । ପାଣିରେ ପଶି ଲୋକେ ଯିବା ଆସିବା କରୁଛନ୍ତି ।

ବର୍ଷେ ତଳେ ବଗପାଟିଆରେ ଡେରା ପକାଉଥିଲେ ଜିଲ୍ଲାପାଳ, ବିଡିଓ । ହେଲେ ଏବେ ଆଉ କାହାରି କାହାରି ଦେଖା ନାହିଁ । ସରକାରୀ ବାବୁ ତ ପାଣି କାଦୁଅକୁ ଆସୁନାହାନ୍ତି, ସାତଭାୟାବାସୀଙ୍କ ଥଇଥାନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ମଧ୍ୟ ମିଳିନାହିଁ । ବଗପାଟିଆର ଖାଲୁଆ ସ୍ଥାନକୁ ମାଟି ପକାଇ ପୋତିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କାର ଅନୁଦାନ ମିଳିଛି । ଦେଢ ବର୍ଷ ହେବ ମାଟି ପକା କାମ ଚାଲିଛି । ଠାକିଦାର ଓ ଅଧିକାରୀ ମାତ୍ର ୨୦ ପ୍ରତିଶତ କାମ କରି ଛୁ ମାରିବା ପରେ ଲୋକଙ୍କ ଦୁର୍ଦଶା ବଢିଯାଇଛି । ଛାତ୍ରଛାତ୍ରୀ କାଦୁଅ ରାସ୍ତାରେ ପଶି ସ୍କୁଲ ଯାଉଛନ୍ତି ।

ରାସନ ପାଇଁ ନିକଟସ୍ଥ ଗୁପ୍ତି, ଓକିଲପାଳ ଓ ରାଜନଗର ଉପରେ ନିର୍ଭର କରୁଥିବା ଲୋକ ବହୁ ଅସୁବିଧା ଭୋଗୁଛନ୍ତି । ସେପଟେ ଖୁବ୍ଶୀଘ୍ର ବଗପାଟିଆର ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ସମୁଦ୍ର ଗାଁକୁ ଗିଳି ଦେବାର ଭୟ ଥିବାରୁ ବିସ୍ଥାପିତ ହେଲେ । ହେଲେ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଥିବା ବଗପାଟିଆ ଗାଁର ଦୁଃଖ ବଳିଗଲା ସାତଭାୟା ଦୁଃଖକୁ ।