କଳାହାଣ୍ଡିରେ ପ୍ରତିଷ୍ଠା ହେବ ଏମଏସଇ ପାର୍କ : ଶିକ୍ଷିତ ବେକାରଙ୍କୁ ଛୋଟ ଛୋଟ ଉଦ୍ୟୋଗ କରିବାକୁ ସୁଯୋଗ ମିଳିବ

227

କନକ ବ୍ୟୁରୋ : କଳାହାଣ୍ଡିରେ ସରକାର ଏକ ଏମଏସଏମଇ ପାର୍କ ପ୍ରତିଷ୍ଠା କରି‌ବେ । ଶିକ୍ଷିତ ବେକାର ଯୁବକମାନଙ୍କୁ ସେଠାରେ ଛୋଟ ଛୋଟ ଉଦ୍ୟୋଗ କରିବା ପାଇଁ ସୁଯୋଗ ମିଳିବ । ରାସ୍ତା, ବିଜୁଳି, ପାଣି ପରି ସମସ୍ତ ଭିତ୍ତିଭୂମି ସରକାର ଯୋଗାଇ ଦେବେ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଗତକାଲି ବିଧାନସଭାରେ ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ୍‌ର ବଗାଡ଼ ଓ କୁଲିପଡ଼ା ଗ୍ରାମ ମଧ୍ୟରେ କାଗଜକଳ ନିର୍ମା‌ଣ ପାଇଁ ଚିହ୍ନଟ ହୋଇଥିବା ଜମିରେ ଆଜି ସୁଦ୍ଧା କାଗଜ କଳ ନିର୍ମାଣ ହୋଇ ନ ପାରିବାର କାରଣ କ’ଣ ବୋଲି ବିଧାୟକ ଭୂପିନ୍ଦର ସିଂହ ମୂଳ ପ୍ରଶ୍ନ କରିଥିଲେ । ଉତ୍ତରରେ ମନ୍ତ୍ରୀ କହିଥିଲେ, କାଗଜ କଳ ପ୍ରତିଷ୍ଠା ପାଇଁ କେସିଙ୍ଗା ପେପର୍ ମିଲକୁ ୧୯୯୫ ମସିହାରେ ୧୧୬.୭୨ ଏକର ଜମି ଇଡ୍‌କୋ ମାଧ୍ୟମରେ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ କମ୍ପାନି କର୍ତ୍ତୃପକ୍ଷ ଜମି ଅଧିଗ୍ରହଣ ବାବଦକୁ ବର୍ଦ୍ଧିତ କ୍ଷତିପୂରଣ ନ ଦେବା ଓ ପ୍ରକଳ୍ପ ପ୍ରତିଷ୍ଠାରେ ବିଳମ୍ବ କାରଣରୁ ଜମି ଆବଣ୍ଟନ ଆଦେଶ ୨୦୦୧ ମସିହା ମାର୍ଚ୍ଚ ମାସରେ ରଦ୍ଦ କରାଯାଇଥିଲା । ସେହି ଜମି ଏବେ ସରକାରଙ୍କ ଅଧୀନରେ ଅଛି ।

କଳାହାଣ୍ଡିରେ ଶିଳ୍ପ ପ୍ରତିଷ୍ଠା ହେଉ ନ ଥିବାରୁ ଉଦ୍‌ବେଗ ପ୍ରକାଶ କରି ଶ୍ରୀ ସିଂହ କହିଥିଲେ, କାଗଜ କଳ ପ୍ରତିଷ୍ଠା ହେଉ ନ ଥିବାରୁ ଲୋକମାନେ ଜମି ଫେରାଇ ନେବାକୁ କହିଲେଣି । କାଗଜ କଳ ପାଇଁ କଳାହାଣ୍ଡିରେ ପ୍ରଚୁର କଞ୍ଚାମାଲ୍‌ ଥିଲେ ବି ସେଗୁଡ଼ିକ ଏବେ ବାହାରକୁ ଚାଲିଯାଉଛି । କାଗଜ କଳ ଜାଗାରେ ସରକାର ଶିଳ୍ପାଞ୍ଚଳ ପ୍ରତିଷ୍ଠା କରିଛନ୍ତି । କିନ୍ତୁ ସେଠାରେ ଗୋଟିଏ ବି ଶିଳ୍ପ ନାହିଁ। ମନ୍ତ୍ରୀ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଅନ୍ତୁ । ମନ୍ତ୍ରୀ କାଗଜ କଳ ପ୍ରତିଷ୍ଠା ନେଇ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେଇ ନ ଥିଲେ । ତେବେ ଏମ୍‌ଏସ୍‌ଏମ୍‌ଇ ପାର୍କ ମାଧ୍ୟମରେ କଳାହାଣ୍ଡିରେ ଶିଳ୍ପ ପ୍ରତିଷ୍ଠା ହେବ ବୋଲି ଜୋର୍‌ ଦେଇଥିଲେ ।