ମଧ୍ୟପ୍ରଦେଶରେ କଂଗ୍ରେସ ସରକାରର ଶକ୍ତିପରୀକ୍ଷଣ ନେଇ ସସପେନ୍ସ : ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ କମଳନାଥ, କହିଲେ ଫ୍ଲୋରଟେଷ୍ଟ ପାଇଁ ଆମେ ପ୍ରସ୍ତୁତ 

353

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ କମଳନାଥ ସରକାରର ଆଜି ହେବାକୁ ଥିବା ଶକ୍ତିପରୀକ୍ଷଣ ନେଇ ସସପେନ୍ସ ଜାରି ରହିଛି ।  ଗତକାଲି ରାତିରେ  ମୁଖ୍ୟମନ୍ତ୍ରୀ କମଳନାଥ  ରାଜ୍ୟପାଳଙ୍କୁ ଭେଟି ଯେକୌଣସି ସମୟରେ ଶକ୍ତିପରୀକ୍ଷଣ  ପାଇଁ ପ୍ରସ୍ତୁତ ଥିବା କଥା କହିଛନ୍ତି । ତେବେ ସେ ସର୍ତ୍ତ ରଖିଛନ୍ତି, ପ୍ରଥମେ ବେଙ୍ଗାଲୁରୁରେ ଥିବା ବିଧାୟକଙ୍କୁ ଭୋପାଳ ଅଣାଯାଉ ।

ଆଜିଠୁ ମଧ୍ୟପ୍ରଦେଶ ବିଧାନସଭାର ଅଧିବେଶନ ଆରମ୍ଭ ହେଉଛି । ରାଜ୍ୟପାଳ କମଳନାଥଙ୍କୁ ଶକ୍ତିପରୀକ୍ଷଣ ପାଇଁ  କହିଥିଲେ ବି  ବାଚସ୍ପତି ଏ ଯାଏଁ କିଛି ସ୍ପଷ୍ଟ କରିନାହାନ୍ତି । ଗତକାଲି ରାତି ପ୍ରାୟ ୧୨ଟା ୨୦ରେ ରାଜ୍ୟପାଳଙ୍କୁ ଭେଟିଥିଲେ କମଳନାଥ । ଏହାପରେ କମଳନାଥ କହିଥିଲେ, ବିଧାନସଭା ଶାନ୍ତିପୂର୍ବକ ଚାଲିବା ନେଇ  ସେ ରାଜ୍ୟପାଳଙ୍କ ସହ କଥାବାର୍ତ୍ତା କରିଛନ୍ତି । ରାଜ୍ୟରେ କଂଗ୍ରେସ ସରକାର ପ୍ରତି କୌଣସି ବିପଦ ନାହିଁ ବୋଲି କମଳନାଥ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଜିଠାରୁ ଆରମ୍ଭ ହେଉଥିବା ବିଧାନସଭାର କାର୍ଯ୍ୟସୂଚୀରେ ଶକ୍ତି ପରୀକ୍ଷଣର କୌଣସି ସୂଚନା ନାହିଁ ।

ରାଜ୍ୟପାଳଙ୍କ ଅଭିଭାଷଣ ପରେ ଏ ନେଇ କୌଣସି କାର୍ଯ୍ୟସୂଚୀ ରଖାଯାଇନାହିଁ । ବିଧାନସଭାରୁ ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ  ମଧ୍ୟପ୍ରଦେଶ ସରକାରରେ ଅସ୍ଥିରତା ଦେଖାଦେଇଛି । ସରକାର ଏକପ୍ରକାର ଅଳ୍ପମତକୁ ଆସିଯାଇଛି । ବିଜେପି ଆସ୍ଥାଭୋଟ ପାଇଁ ଦାବି କରିଥିବାବେଳେ କମଳନାଥ ସରକାର ପ୍ରତି କୌଣସି ବିପଦ ନାହିଁ ବୋଲି କହିଛନ୍ତି ।