ମମତା ଆଗରେ ହାର ମାନିଲା କରୋନା କଟକଣା : ଦୁର୍ଘଟଣାଗ୍ରସ୍ତ ପୁଅକୁ ଦେଖିବାକୁ ୪୦୦ କିମି ଚାଲିଲା ମମତାମୟୀ ମା’

Advertisment
ମମତା ଆଗରେ ହାର ମାନିଲା କରୋନା କଟକଣା : ଦୁର୍ଘଟଣାଗ୍ରସ୍ତ ପୁଅକୁ ଦେଖିବାକୁ ୪୦୦ କିମି ଚାଲିଲା ମମତାମୟୀ ମା’

କନକ ବ୍ୟୁରୋ : ମା’ର ମମତା ଆଗରେ କରୋନା କଟକଣା ହାର ମାନିଲା। ଗାଡ଼ିମୋଟର ବନ୍ଦ ଥିବା ବେଳେ ପୁଅର ଦୁର୍ଘଟଣା ଖବର ପାଇ ଜଣେ ମା’ ଏକ କି ଦୁଇ କିଲୋମିଟର ନୁହେଁ, ଦୀର୍ଘ ୪ଶହ କିଲୋମିଟର ପାଦରେ ଚାଲିଛନ୍ତି। ତାଙ୍କ ସହିତ ସାତ ବର୍ଷର ଝିଅ ବି ଚାଲିଚାଲି ଆସିବା ଘଟଣା ଚକିତ କରିଛି । ମହିଳା ଜଣଙ୍କ ସୁନ୍ଦରଗଡ଼ରୁ କେନ୍ଦୁଝର ଏବଂ କେନ୍ଦୁଝରରୁ କଟକ ଅଭିମୁଖେ ଚାଲି ଚାଲି ବାହାରିଥିବାବେଳେ ସେମାନଙ୍କୁ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଯାଜପୁର ଜିଲ୍ଲାର ବାରବାଟୀରୁ ଉଦ୍ଧାର କରାଯାଇଛି ।

ମହିଳା ଜଣଙ୍କ ହେଉଛନ୍ତି ଅଞ୍ଜଳି କର। ବୟସ ୪୦ ପାଖାପାଖି ହେବ। ସ୍ବାମୀ ଆରପାରିରେ। ପରିବାର କହିଲେ ପୁଅ ସୁନୀଲ କର (୧୫) ଓ ସାତ ବର୍ଷର ଝିଅ l ମହିଳାଙ୍କ ବାପ ଘରେ ନିଜର ବୋଲି କେହିନାହାନ୍ତି l ନିଜ ସ୍ୱାମୀ ଓ ସୁନୀଲ ସର୍କସ ଦଳରେ କାମ କରୁଥିଲେ। ମହିଳା ଜଣକ ସୁନ୍ଦରଗଡରେ ଏକ ଚା ଦୋକାନ କରିଥିଲେ l ଲକ୍‌ଡାଉନ୍‌ ସମୟ ଠାରୁ ଚା ଦୋକାନ ବନ୍ଦ। କେନ୍ଦୁଝରରେ ଥିବା ପୁଅ ସୁନୀଲ ଦୁର୍ଘଟଣାରେ ଗୁରୁତର ହୋଇ ସରକାରୀ ଆମ୍ବୁଲାନ୍ସରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ ହେବା ଖବର ପାଇଥିଲେ ଅଞ୍ଜଳି। ମା’ ମନ ଆଉ ସମ୍ଭାଳି ହେଲାନି। ସୁନ୍ଦରଗଡ଼ରୁ ସାତ ବର୍ଷର ଝିଅକୁ ଧରି ଚାଲି ଚାଲି ବାହାରି ପଡ଼ିଲେ କେନ୍ଦୁଝର। କେନ୍ଦୁଝରରେ ପୁଅ ନଥିବା ଏବଂ କଟକ ସ୍ଥାନାନ୍ତର ହୋଇଥିବା ଖବର ପାଇ ସେଠାରୁ ଚାଲିଚାଲି କଟକ ଅଭିମୁଖେ ବାହାରିଥିଲେ।

ବାଟରେ ଚାରିପାଞ୍ଚଟି ଥାନାରେ ପହଞ୍ଚି ପୁଲିସ ସହାୟତା ଲୋଡ଼ିଥିଲେ ମଧ୍ୟ ସହାୟତା ମିଳି ନଥିବା ସେ ପ୍ରକାଶ କରିଛନ୍ତି। ସୋମବାର ଚାଲିଚାଲି ରସୁଲପୁର ବ୍ଲକ୍‌ର ବାରବାଟୀରେ ପହଞ୍ଚିବା ପରେ ସେଠାରେ ଥକ୍କା ମେଣ୍ଟାଉଥିଲେ। କି‌ଛି ଲୋକ ଏମାନଙ୍କୁ ଦେଖିବା ପରେ ଅଂଶୁମାନ ଟ୍ରଷ୍ଟର ସମ୍ପାଦକ ହିମାଂଶୁଶେଖର ସାହୁଙ୍କୁ ଖବର ଦେଇଥିଲେ। ହିମାଂଶୁ ଟ୍ରଷ୍ଟ ସଭ୍ୟଙ୍କ ଦ୍ୱାରା ମହିଳାଙ୍କୁ ଜାରକାସ୍ଥିତ ନିଜ କାର୍ଯ୍ୟାଳୟକୁ ନେବା ସହିତ ସେଠାରେ ସେମାନଙ୍କୁ ଖାଦ୍ୟପାନୀୟ ଯୋଗାଇଥିଲେ। ପରେ ପ୍ରଶାସନକୁ ଅବଗତ କରାଯାଇଥିଲା। ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ଅନୁମତି କ୍ରମେ ହିମାଂଶୁ ନିଜ ଗାଡ଼ିରେ ମା’,ଝିଅଙ୍କୁ କଟକ ପଠାଇଛନ୍ତି।

ଅନ୍ୟପକ୍ଷରେ, କଟକ ମଙ୍ଗଳାବାଗ ପୁଲିସ ସହାୟତାର ହାତ ବଢାଇଥିବା ବେଳେ ପୁଅକୁ ଖୋଜା ଚାଲିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ମହିଳା ନିଜ ପୁଅକୁ ଭେଟ କରିପାରି ନଥିବା ମଙ୍ଗଳାବାଗ ଥାନା ଅଧିକାରୀ ଅମିତାଭ ମହାପାତ୍ରଙ୍କ ସୂତ୍ରରୁ ଜଣାପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe