ଝିଅକୁ ମିଳିଲା ମା’ର କଙ୍କାଳ : ଦୀର୍ଘ ୮ ବର୍ଷ ପରେ ମାଟି ତଳୁ ନିଖୋଜ ମା’ଙ୍କ କଙ୍କାଳ ପାଇଲେ ସମ୍ବଲପୁୁର ନନ୍ଦପଡାର ବିଜୟନୀ ମିଶ୍ର

391

କନକ ବ୍ୟୁରୋ : ଝିଅକୁ ମିଳିଲା ମାଆର କଙ୍କାଳ । ଦୀର୍ଘ ୮ ବର୍ଷ ପରେ ନିଖୋଜ ମାଆର କଙ୍କାଳ ପାଇଛି ଝିଅ । ୨୦୧୧ ମସିହାରେ ପୋତା ଯାଇଥିବା ଶବକୁ ଖୋଳି ବାହାର କରିଛି ପୁଲିସ । ଜେସିବି ଲଗାଇ ମାଟି ଖୋଳିବା ପରେ କଙ୍କାଳ ମିଳିଛି । ମାଟି ଖଣ୍ଡକୁ ଭାଙ୍ଗି ମୃତ ମାଆଙ୍କ ଦେହାବଶେଷ ଖୋଜିଛନ୍ତି ସମ୍ବଲପୁର ନନ୍ଦପଡାର ବିଜୟନୀ ମିଶ୍ର । କୋହକୁ ସମ୍ଭାଳି ପାରୁନଥିଲେ ସୁଦ୍ଧା ମାଆଙ୍କ କଙ୍କାଳ ଖୋଜିବା ପାଇଁ ପୁଲିସକୁ ସହଯୋଗ କରିଛନ୍ତି ମୃତ ଜୟଶ୍ରୀ ମିଶ୍ରଙ୍କ ଝିଅ ବିଜୟନୀ ।

୨୦୧୧ ମସିହାରେ ଜୟଶ୍ରୀ ମିଶ୍ର ବଡ ଝିଅ ବାହାଘର କାର୍ଡ ବାଣ୍ଟିବାକୁ ବଡସିଙ୍ଘାରି ଗ୍ରାମର ବସନ୍ତ ପଣ୍ଡାଙ୍କ ଘରକୁ ଯାଇ ନିଖୋଜ ହୋଇଯାଇଥିଲେ । ସେ ସମୟରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରିନଥିଲେ । ବରଂ ତୁମ ବସନ୍ତ ପଣ୍ଡାଙ୍କ ସହ କୁଆଡେ ପଳାଇ ଯାଇଛନ୍ତି ବୋଲି କହି ଦୁର୍ବ୍ୟବହାର କରିଥିଲେ । ଦୀର୍ଘ ୮ ବର୍ଷ ପରେ ଜୟଶ୍ରୀଙ୍କ ଝିଅ ଗୃହ ବିଭାଗକୁ ଚିଠି ଲେଖିବା ପରେ ପୁଲିସ ମାମଲାର ପୁନଃ ତଦନ୍ତ କରି ଅଭିଯୁକ୍ତ ବସନ୍ତ ପଣ୍ଡାଙ୍କୁ ଗିରଫ କରିଥିଲା ।

ଏହାପରେ ଆଜି ମୁଖ୍ୟ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ବଡସିଙ୍ଘାରୀରୁ କିଛି ଦୂର ମହୁଲ ପଦରଠାରେ ମହିଳାଙ୍କୁ ପୋତାଯାଇଥିବା ସ୍ଥାନ ଚିହ୍ନଟ କରିଥିଲା । ଅଭିଯୁକ୍ତ ଜାଗା ଚିହ୍ନଟ କରିବା ପରେ ମାଟି ଖୋଳି କଙ୍କାଳ ଉଦ୍ଧାର କରିଛି ପୋଲିସ । କଙ୍କାଳକୁ ଫରେନ୍ସିକ ଲ୍ୟାବକୁ ପଠାଇବାର ବନ୍ଦୋବସ୍ତ କରିଛି ସମ୍ବଲପୁର ପୁଲିସ । ସେତେବେଳେ ଅଜାଣତରେ ଗାତ ଖୋଳିଥିବା ବ୍ୟକ୍ତିଙ୍କୁ ମଧ୍ୟ ଠାବ କରି ସେମାନଙ୍କ ବୟାନ ରେକର୍ଡ କରିଛି ପୁଲିସ ।