Image courtesy - www.ghanaweb.com
କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ଏବେ ଅସ୍ବାଭାବିକ ଭାବେ ଗାଁ ଗହଳିରେ ଲୋକଙ୍କ ମୃତ୍ୟୁ ଘଟୁଛି। କେତେକ ଘଟଣାରେ ପରିବାରର ଏକାଧିକ ଲୋକଙ୍କ ମୃତ୍ୟୁ ଘଟୁଛି । ହିଞ୍ଜିଳି ବ୍ଳକ୍ ଗୋଦରାପଲ୍ଲୀ ଗ୍ରାମରେ ଆଜି ପୂର୍ବାହ୍ନରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ପ୍ରଥମେ ପୁଅ ପରେ ପରେ ମାଆ, ଉଭୟଙ୍କର ମାତ୍ର ଏକ ଘଣ୍ଟା ବ୍ୟବଧାନରେ ମୃତ୍ୟୁ ହୋଇଛି। ପୁଅର ମୃତ୍ୟୁ ଖବର ଶୁଣି ମା’ ହୃଦ୍ଘାତରେ ପ୍ରାଣ ହରାଇଥିବା କୁହାଯାଉଛି। ତେବେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରି ମୃତକଙ୍କ ସମ୍ପର୍କୀୟ ଓ ସାହି ବାସିନ୍ଦା ଶବକୁ କାନ୍ଧ ଦେବାକୁ ନ ଆସିବାରୁ ଶେଷରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଉଭୟଙ୍କ ମୃତଦେହକୁ ଏକ ଗାଡ଼ିରେ ନିଆଯାଇ ଗ୍ରାମ ଶ୍ମଶାନରେ ପୋତି ଦିଆଯାଇଥିବା ଜଣାପଡ଼ିଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ହିଞ୍ଜିଳି ବ୍ଳକ୍ ଗୋଦରାପଲ୍ଲୀ ଗ୍ରାମ ରାଉଳ ସାହିର ନରେନ୍ଦ୍ର ରାଉଳ (୪୪) ତାଙ୍କ ମା’ ଜମ୍ଭୁ ରାଉଳ (୭୬) ଗତ ଏକ ସପ୍ତାହ ଧରି ଜ୍ୱରରେ ଆକ୍ରାନ୍ତ ଥିଲେ। ମା ଓ ପୁଅ ଡାକ୍ତରଖାନା ନଯାଇ କିମ୍ବା ଡାକ୍ତରଙ୍କ ପରାମର୍ଶ ନକରି ନିକଟସ୍ଥ ଏକ ଗ୍ରାମର ଔଷଧ ଦୋକାନରୁ ଔଷଧ କିଣି ଖାଇଥିଲେ। କିନ୍ତୁ ଜ୍ୱର ଛାଡ଼ିବା ନା ଧରୁନଥିଲା। ଶନିବାର ପୂର୍ବାହ୍ନରେ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ଯୁବକ ଜଣକ ଆମ୍ବୁଲାନ୍ସକୁ ଫୋନ୍ରେ ଯୋଗଯୋଗ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ତାଙ୍କ ଘରେ ପଂହଚିବା ପୂର୍ବରୁ ଯୁବକଙ୍କ ମୃତ୍ୟୁ ଘଟି ସାରିଥିଲା। ପୁଅ ମୃତ୍ୟୁର କିଛି ସମୟ ମଧ୍ୟରେ ମା’ ଜମ୍ବୁଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଅଳ୍ପ ସମୟ ବ୍ୟବଧାନରେ ମା ଓ ପୁଅ ର ମୃତ୍ୟୁ ଖବର ଗ୍ରାମରେ ପ୍ରଚାରିତ ହେବା ପରେ ଆତଙ୍କ ସୃଷ୍ଟି ହୋଇଥିଲା।
Follow Us