ସୂତାଖିଅରେ ଜୀବନ : ପ୍ରତି କ୍ଷଣରେ ବିପଦ ଓ ଭୟ, ନଦୀ ପାର ହେବାକୁ ସଂକୀର୍ଣ୍ଣ ଗାର୍ଡ଼ୱାଲ୍ ଭରସା

225

କନକ ବ୍ୟୁରୋ : ତଳକୁ ଦେଖିଲେ ଛାତି ଧଡ଼ଧଡ଼ ହେବ। ଉପରେ ଚାଲିଲେ ଥରିବ ପାଦ। ଖସି ପଡ଼ିଲେ ପାଣିରେ ପଡ଼ି ମୃତ୍ୟୁ ସୁନିଶ୍ଚିତ। ପ୍ରତି କ୍ଷଣରେ ବିପଦ ଓ ଭୟ। ଯୋଗାଯୋଗ ପାଇଁ ଏହି ଏକମାତ୍ର ବିପଜ୍ଜନକ ରାସ୍ତା ଆପଣାଇବା ଛଡ଼ା ଆଉ କିଛି ଉପାୟ ନାହିଁ । ସେତୁ ନ ଥିବାରୁ ଏବଂ ରାସ୍ତା କମ୍ ପଡୁଥିବାରୁ ନଦୀ ପାର ହେବାକୁ ପିଲାଠୁ ଆରମ୍ଭ କରି ବୟସ୍କ ସମସ୍ତେ କେନାଲ ଗାର୍ଡ଼ୱାଲ୍ ତଥା ସଂକୀର୍ଣ୍ଣ ‌ରାସ୍ତା ଉପରେ ଯାତାୟାତ କରୁଛନ୍ତି। ଏହି ଚିତ୍ର ହେଉଛି, ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ ମେରିକୋଟ ପଞ୍ଚାୟତ ଆମ୍ବିଳିଆମ୍ବ ଗ୍ରାମର। ଗ୍ରାମବାସୀଙ୍କ ଜୀବନରେଖା ବୋଲାଉଥିବା ପଦ୍ମାନଦୀ ଉପରେ ଥିବା କେନାଲ ଗାର୍ଡ଼ୱାଲ୍ ସେମାନଙ୍କ ଯୋଗାଯୋଗର ପ୍ରମୁଖ ମାଧ୍ୟମ ପାଲଟିଛି। ଜୀବନକୁ ବାଜି ଲଗାଇ ପିଲାମାନେ ପ୍ରତିଦିନ ଏହା ଉପର ଦେଇ ବିଦ୍ୟାଳୟକୁ ଯାଉଥିବାର ଦୃଶ୍ୟ ଦେଖିଲେ ଯିଏ ବି ଅବାକ୍ ହେବ। ସବୁଠୁ କ୍ଷୋଭର ବିଷୟ ହେଉଛି, ବହୁବାର ଅଭିଯୋଗ, ଉଚ୍ଚ ପଦାଧିକାରୀ ଓ ରାଜନେତାଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଗାଁକୁ ରାସ୍ତା ଓ ପୋଲ ନିର୍ମାଣ ହୋଇପାରୁନି।

ପାହାଡ଼ ଓ ବଣ ଘେରା ଆମ୍ବିଳିଆମ୍ବ ଗାଁରେ ପାଖାପାଖି ୩୦ ପରିବାର ରହୁଛନ୍ତି। ଚାଷ କାମ ଓ ମୂଲ ଲାଗିବା ସେମାନଙ୍କ ପ୍ରମୁଖ ଜୀବିକା। ହେଲେ ପଦ୍ମାନଦୀ ଉପରେ ସେତୁ ନଥିବାରୁ ସେମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ପଦ୍ମାନଦୀ ଉପରେ ଜଳସଚେନ ବିଭାଗ ପକ୍ଷରୁ ନିର୍ମିତ ହରଭଙ୍ଗୀ ଜଳସେଚନ ପ୍ରକଳ୍ପର ଗାର୍ଡ଼ୱାଲ୍ ‌ଦେଇ ଗ୍ରାମବାସୀ ଯାତାୟାତ କରୁଛନ୍ତି। ପାଖାପାଖି ୨୦ରୁ ଅଧିକ ପିଲର୍‌ରେ ର୍ନିମିତ ଏହି ପ୍ରକଳ୍ପର ଉଚ୍ଚତା ୬୦ ଫୁଟରୁ ଅଧିକ। ବର୍ଷେ କି ଦୁଇବର୍ଷ ନୁହେଁ, ବହୁ ବର୍ଷ ହେଲା ଏହି ଗାର୍ଡ଼ୱାଲ୍‌ ହିଁ ଗ୍ରାମବାସୀଙ୍କ ପାଇଁ ଯୋଗାଯୋଗର ଏକ ମାତ୍ର ମାଧ୍ୟମ। ସେହିପରି ବୋର୍ଦା ସ୍ଥିତ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଜୀବନକୁ ବାଜି ଲଗାଇ ପ୍ରତିଦିନ ଏହା ଉପରେ ଯା’ଆସ କରୁଛନ୍ତି। ଖାଲି ଏତିକି ନୁହେଁ, କିଛି ଲୋକ ସାଇକେଲ୍ ହାତରେ ଟେକି ଧରି ଗାର୍ଡ଼ୱାଲ୍‌ ଉପରେ ଚାଲି ଚାଲି ପାର ହେଉଥିବାର ଛାତିଥରା ଦୃଶ୍ୟ ଜଣେ ଆଖି‌ରେ ନ ଦେଖିଲେ ବିଶ୍ବାସ କରି ପାରିବନି। କାରଣ ଭାରସାମ୍ୟ ହରାଇଲେ ଚିରସ୍ରୋତା ପଦ୍ମା ନଦୀର ଅଥଳ ସୁଅରେ ଭାସିଯିବା ଥୟ।

ଅନ୍ୟପକ୍ଷ‌ରେ ଏହା ଉପର ଦେଇ ବିଭାଗ ପକ୍ଷରୁ ଯାତାୟାତ ପାଇଁ ନିଷେଧାଦେଶ ଜାରି ହୋଇଛି। ତଥାପି ଗ୍ରାମବାସୀଙ୍କ ଏଥିକୁ ଖାତିର୍‌ ନାହିଁ । ଆମ୍ବିଳିଆମ୍ବ ଗ୍ରାମଠାରୁ ବୋର୍ଦା ଓ ବଡ଼ଗଡ ଯିବା ପାଇଁ ସରକାରଙ୍କ ତରଫରୁ ରାସ୍ତା ନିର୍ମାଣ ହୋଇଛି । ପକ୍କା ରାସ୍ତା ଦେଇ ବୋର୍ଦା ଗ୍ରାମକୁ ଗଲେ ୬ କିଲୋମିଟର ପଡୁଥିବା ବେଳେ ବଡ଼ଗଡକୁ ଯିବା ପାଇଁ ୧୩ କିଲୋମିଟର ଯିବାକୁ ପଡୁଛି। କିନ୍ତୁ ପଦ୍ମାନଦୀ ଦେଇ ଯାଇଥିବା ଏହି ଗାର୍ଡୱାଲ୍ ଉପରେ ଯାତାୟାତ କଲେ ଦୂରତା କମ୍ ପଡ଼ୁଥିବାରୁ ପ୍ରତିଦିନ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ଏହି ବିପଜ୍ଜନକ ପନ୍ଥା ଆପଣାଇଥିବା ଜଣାପଡ଼ିଛି।

 

କେବଳ ଆମ୍ବିଳିଆମ୍ବ ନୁହେଁ; ଏଭଳି ଆଉ ତିନିଟି ଗାଁବାସୀ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଦ୍ମାନଦୀ ଉପରେ ଗୋଟିଏ ସେତୁ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀମାଞ୍ଚଳ ମଣ୍ଡଳଙ୍କ କହିବାନୁଯାୟୀ, ଆମ୍ବିଳିଆମ୍ବ ଗ୍ରାମକୁ ସରକାରଙ୍କ ପକ୍ଷରୁ ରାସ୍ତା ନିର୍ମାଣ ହୋଇଛି। ସେଠାରେ ସେତୁ ନିର୍ମାଣ ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ। ହରଭଙ୍ଗୀ ଜଳ ପ୍ରକଳ୍ପ ସହକାରୀ ଯନ୍ତ୍ରୀ ସୀମାଞ୍ଚଳ ପଣ୍ଡାଙ୍କ କହିବାନୁଯାୟୀ, ଗଜପତି ଜିଲ୍ଲା ଅଡ଼ବା ଡ୍ୟାମରୁ କେନାଲ ଦେଇ ପାଣି ଯାଉଥିବା ବେଳେ ପଦ୍ମାନଦୀ ଉପରେ ଏହି ଗାର୍ଡ଼ୱାଲ୍‌ ନିର୍ମାଣ ହୋଇଛି। କିନ୍ତୁ ଏହା ଉପରେ ଯାତାୟାତକୁ ନିଷିଦ୍ଧ କରାଯାଇଛି।