ଆଜିଠାରୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ ! ଖରା ତାତିକୁ ଦେଖି ସକାଳ ୬.୩୦ରୁ ଦିନ ୧୦.୩୦ ଯାଏଁ ସ୍କୁଲ ଖୋଲିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

74

କନକ ବ୍ୟୁରୋ : ଆଜିଠାରୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ସକାଳ ୬ଟାରୁ ସ୍କୁଲ ଆରମ୍ଭ ହୋଇ ଦିନ ୧୦ଟା ଯାଏଁ ଚାଲିବ । ଉଭୟ ସରକାରୀ ଓ ଘରୋଇ ସ୍କୁଲ ପାଇଁ ଏହି ନିୟମ ଲାଗୁହେବ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏସଂପର୍କରେ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦକୁ ଚିଠି କରି ଜଣାଇ ଦିଆଯାଇଛି ।

ଦିନ ୧୦ଟାରେ ସ୍କୁଲଗୁଡିକରେ ମଧ୍ୟାହ୍ନ ଭୋଜନ ଦିଆଯିବ । ଦିନ ୧୧ଟା ପରେ ଆଉ ସ୍କୁଲଗୁଡିକ ଖୋଲାରହିବ ନାହିଁ ବୋଲି କଡାକଡି ନିର୍ଦ୍ଦେଶ ରହିଛି । ସକାଳ ୬ଟା ୩୦ରୁ ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲରେ କ୍ଲାସ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଦିଆଯିବ । ପୂର୍ବାହ୍ନ ୧୧ଟା ପରେ ବିଦ୍ୟାଳୟ ଖୋଲା ରହିବ ନାହିଁ । ମେ’ ୪ରୁ ଖରା ଛୁଟି ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ଏପ୍ରିଲ ୩ରୁ ୨୦୧୮-୧୯ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଥିବା ବେଳେ ୨ ତାରିଖରେ ସମସ୍ତ ବିଦ୍ୟାଳୟରେ ପାଳିତ ହେବ ପ୍ରବେଶ ଉତ୍ସବ । ୬ରୁ ୧୪ ବର୍ଷ ବୟସର ଯେଉଁ ପିଲାମାନେ ନାମ ଲେଖାଇବାକୁ ଥିବେ, ପାଠପଢ଼ା ଅଧାରୁ ଛାଡ଼ିଥିବେ କିମ୍ବା ଆଦୌ ନାମ ଲେଖାଇ ନ ଥିବେ ସେମାନଙ୍କୁ ବିିଦ୍ୟାଳୟକୁ ଆଣିବା ଲାଗି ଏହି ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ପିତାମାତା, ଅଭିଭାବକ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରାଥମିକ ଶିକ୍ଷାର ଗୁରୁତ୍ୱ ଓ ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରାଯିବ ।

ସୋମବାର ହେବାକୁ ଥିବା ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ/ଶିକ୍ଷୟିତ୍ରୀ, ଷ୍ଟାଣ୍ଡିଂ କମିଟିର ସଦସ୍ୟ, ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ ଓ ସଭ୍ୟା, ପିତାମାତା ସଂଘ, ମାତୃମଞ୍ଚ, ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନ, ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବେସରକାରୀ ଅନୁଷ୍ଠାନ, ଅଙ୍ଗନଓ୍ଵାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରତିନିଧି, ଶିକ୍ଷାବିତ୍ ଏବଂ ପିଲାଙ୍କୁ ନେଇ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବ । ସ୍ଳୋଗାନ୍, ପ୍ଲାକାର୍ଡ ମାଧ୍ୟମରେ ପ୍ରଚାର କରାଯିବ ।

ଶୋଭାଯାତ୍ରା ପରେ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇ ବିଭିନ୍ନ ସଙ୍ଗଠନ/ବ୍ୟକ୍ତିବିଶେଷ ବିଦ୍ୟାଳୟର ଆଖପାଖରେ ଥିବା ଗ୍ରାମ ଓ ପଡ଼ାର ପିଲାଙ୍କ ତାଲିକା ପ୍ରସ୍ତୁତ କରିବେ । ପିଲାଙ୍କ ନାମଲେଖା ବିଦ୍ୟାଳୟରେ କରିବା ଲାଗି ଅଭିଭାବକଙ୍କୁ ବୁଝାଇବେ । ଏପ୍ରିଲ୍ ୫ ପର୍ୟ୍ୟନ୍ତ ସଚେତନତା କାର୍ୟ୍ୟକ୍ରମ ଚାଲୁ ରହିବ ।  ଏପ୍ରିଲ ୬ରେ ବିଦ୍ୟାଳୟରେ ‘ପୂର୍ଣ୍ଣ ଉପସ୍ଥାନ ଦିବସ’ ପାଳନ କରାଯିବ। ଏହି ଦିନ ବିିଦ୍ୟାଳୟରେ ନାମଲେଖାଉଥିବା ପିଲାଙ୍କୁ ଫୁଲ, ଚନ୍ଦନ ଦେଇ ସ୍ୱାଗତ କରାଯାଇ ପାଠ୍ୟପୁସ୍ତକ ବଣ୍ଟନ କରାଯିବ ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ପର୍ୟ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରିବା ଦିଗରେ ପ୍ରଧାନଶିକ୍ଷକମାନେ ଗୁରୁତ୍ୱ ଦେବେ । ଯଦି କ୍ୟାମ୍ପସରେ ନଳକୂପ ନ ଥିବ ତେବେ ବିକଳ୍ପ ବ୍ୟବସ୍ଥା କରିବାକୁ ବି କୁହାଯାଇଛି । ଛାତ୍ରଛାତ୍ରୀ ମଧ୍ୟ ବିଦ୍ୟାଳୟକୁ ଆସିବା ସମୟରେ ପାଣି ବୋତଲ ଓ ଛତା ସାଙ୍ଗରେ ଆଣିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ସମୟରେ ଛାତ୍ରଛାତ୍ରୀଙ୍କ ଲାଗି ଶାରୀରିକ ପ୍ରଶିକ୍ଷଣ ବାଧ୍ୟତାମୂଳକ ନୁହେଁ । ଏହି ନିୟମକୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଳନ କରିବାକୁ ନିର୍ଦେଶନାମା ଜାରି ହୋଇଛି ।