ଆଗାମୀ ୧୦ ବର୍ଷ ମଧ୍ୟରେ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଘାଂଟି ହେବ ଦେଶ : କୋଟି କୋଟି ଟଙ୍କାର ସମ୍ପତ୍ତି ସହ ଯାଇପାରେ ହଜାର ହଜାର ଜୀବନ

44

କନକ ବ୍ୟୁରୋ : କେରଳକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି ପ୍ରଳୟଙ୍କରୀ ବନ୍ୟା । କେଳର ବନ୍ୟାକୁ ଶତାଦ୍ଦୀର ବଡ଼ ଜଳପ୍ରଳୟ କୁହାଯାଉଛି । ପ୍ରଳୟଙ୍କରୀ ବର୍ଷା ଓ ବନ୍ୟା କେରଳକୁ ଛାରଖାର କରିଦେଇଛି । ଆନୁମାନିକ ଭାବେ ବନ୍ୟାରେ ପ୍ରାୟ ୩୭୦ ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି । ହେଲେ କେରଳର ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ହଜାର ହଜାର ଲୋକ ବାସହରା ହେବା ସହ ଏବେ ବି ପ୍ରାଣ ବଞ୍ଚାଇବା ପାଇଁ ସଂଗ୍ରାମ କରୁଛନ୍ତି । ବନ୍ୟାରେ ପ୍ରାୟ ୨୧ ହଜାର କୋଟିରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଛି ବୋଲି ଆକଳନ କରାଯାଉଛି । ତେବେ ବର୍ତ୍ତମାନ କେରଳରେ ବର୍ଷା ଓ ବନ୍ୟାର ବିଭୀଷିକା ମଧ୍ୟରେ ୧୦ ଦିନ ଘାଣ୍ଟିହେବା ପରେ ଏବେ ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ବର୍ଷା ପରିମାଣ କମିବା ସହିତ ବିପଦ ଟଳିବା ଆରମ୍ଭ କରିଛି। କିନ୍ତୁ ରିଲିଫ୍ ଶିବିରରେ ଆଶ୍ରୟ ନେଇଥିବା ପ୍ରାୟ ୭ ଲକ୍ଷ ଲୋକଙ୍କଠାରେ ଏବେ ସଂକ୍ରମଣ ଭୟ ଦେଖାଦେଇଛି। ହାଡ଼ଫୁଟି ଭଳି ବିଭିନ୍ନ ସଂକ୍ରମଣଜନିତ ରୋଗ ଆଶଙ୍କା ଦେଖାଦେଇଛି। ଲୋକମାନଙ୍କ ପାଖରେ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଘୋଷଣା କରିଥିବା ସୂଚନା ମିଳିଛି ।

କେବଳ ବନ୍ୟା ପରେ ଜୀବନ ବିପଦ ପ୍ରବନ୍ଧନ ପ୍ରାଧିକରଣ (ଏନଡିଏମଏ) ଅନୁମାନ କରିଛି ଆଗାମୀ ୧୦ ବର୍ଷରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଆଉ ଅନେକ କ୍ଷୟକ୍ଷତି ସହିବ ଦେଶ । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ହେବାକୁ ଥିବା କ୍ଷୟକ୍ଷତିର ଆକଳନ କରିଛି ଏନଡିଏମଏ । ଏନଡିଏମଏର ଆକଳନ ଅନୁସାରେ ଆଗାମୀ ୧୦ ବର୍ଷ କେରଳ ପରି ଆଉ ଅନେକ ଦୈବୀ ଦୁର୍ବିପାକର ଶିକାର ହେବ ଦେଶ । ଯାହାଦ୍ୱାରା ପ୍ରାୟ ୧୬,୦୦୦ ଲୋକ ପ୍ରାଣ ହରାଇବା ସହ ୪୭ ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେବାର ଆଶଙ୍କା କରାଯାଇଛି ।

source : Filmfare

ତେବେ କେନ୍ଦ୍ର ସରକାର ଏପରି ପ୍ରାକୃତିକ ଦୁର୍ବିପାକର ମୁକାବିଲା ପାଇଁ ଜୋରସୋରରେ ଲାଗିପଡ଼ିଛନ୍ତି । କେରଳ ବନ୍ୟା ପରି ସ୍ଥିତି ଉପୁଜିଲେ କିପରି ମୁକାବିଲା କରାଯିବ ସେନେଇ ଏବେଠାରୁ ଜୋରସୋର ପ୍ରସ୍ତୁତି ଚାଲିଛି । ଏଭଳି ସ୍ଥିତିକୁ କିଛିକାଂଶରେ କିପରି ଆଡ଼େଇ ହେବ ସେ ନେଇ ଘନ ଘନ ବୈଠକ ଚାଲିଛି । ଭାରତ ପାଖରେ ଏବେ ଆଧୁନିକ ସାଟେଲାଇଟ୍ ଓ ପ୍ରାକୃତିକ ଦୁର୍ବପାକ ପୂର୍ବରୁ ଜାଣିପାରୁଥିବା ପ୍ରଣାଳୀ ମହଜୁଦ ରହିଛି । ଯାହାଦ୍ୱାରା ପାଣିପାଗର ପୂର୍ବାନୁମାନ ଲଗାଇ ମୃତ୍ୟୁ ସଂଖ୍ୟାକୁ କମ୍ କରାଯାଇପାରିବ ବୋଲି ଆଶା କରାଯାଉଛି । ଗୃହ ମନ୍ତ୍ରାଳୟ ନିକଟରେ ଦେଶରେ ୬୪୦ ଜିଲ୍ଲା ପାଇଁ ପ୍ରାକୃତିକ ଦୁର୍ବିପାକ ଆଶଙ୍କା ନେଇ ଏକ ସର୍ବେକ୍ଷଣ କରିଥିଲା । ସର୍ବେକ୍ଷଣ ଅନୁସାରେ ଏବେ ଦେଶରେ ଆଉ ଅନେକ ସୁଧାର କରିବା ବାକି ରହିଛି । ରିପୋର୍ଟ ଅନୁସାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ଗୁଡ଼ିକ ଏବେ ବି ପ୍ରସ୍ତୁତ ନୁହଁନ୍ତି ବୋଲି ଜଣାପଡ଼ିଛି ।