୧୦ ବର୍ଷ ଭିତରେ ବନ୍ୟା ଆଣିବ ବଡ ବିପଦ : ଏନଡିଏମଏର ସତର୍କ ବାଣୀ, ଧୋଇଯିବ ପ୍ରାୟ ୧୬ ହଜାର ଜୀବନ

37

କନକ ବ୍ୟୁରୋ : କେରଳରେ କମୁଛି ବନ୍ୟାପାଣି । ଆଉ ଧିରେଧିରେ ଏହି ଜଳପ୍ରଳୟର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ୫ହଜାର ୬ଶହ ୪୫ ବନ୍ୟା ଆଶ୍ରୟସ୍ଥଳରେ ପ୍ରାୟ ସାଢେ ୭ଲକ୍ଷ ଲୋକ ଆଶ୍ରୟ ନେଇଛନ୍ତି । ୨୭ ହଜାର ଘର ବନ୍ୟା ପାଣିରେ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୨୧ ହଜାର କୋଟିର ସଂପତ୍ତି ନଷ୍ଟ ହୋଇଥିବା ପ୍ରାଥମିକ ଆକଳନ କରାଯାଉଛି । ଲୋକଙ୍କୁ ରିଲିଫ ସାମଗ୍ରୀ ଓ ପିଇବା ପାଣି, ଔଷଧ ଆଦି ପହଂଚାଇବା ପ୍ରଶାସନ ପାଇଁ ପ୍ରାଥମିକତା ହୋଇଛି । କେରଳରେ ଏତେବଡ ବନ୍ୟା ବିପଦକୁ ନେଇ ଯେତେବେଳେ ସାରା ଦେଶରେ ଚର୍ଚ୍ଚା ଚାଲିଛି, ସେତିକି ବେଳେ ସାମ୍ନାକୁ ଆସିଛି ଏକ ସାଂଘାତିକ ତଥ୍ୟ । ଏନଡିଏମଏ କହୁଛି ଆଗାମୀ ୧୦ ବର୍ଷ ଭିତରେ ବନ୍ୟା ବଡ ବିପଦ ଆଣିବ । ଆଉ ଧୋଇଯିବ ପ୍ରାୟ ୧୬ ହଜାର ଜୀବନ ।

 

କେରଳରେ ଶତାବ୍ଦୀର ସବୁଠାରୁ ବଡ ଜଳପ୍ରଳୟରେ ବଦଳି ଯାଇଛି ରାଜ୍ୟର ନକ୍ସା । ପାଣି ଭିତରେ ବୁଡି ରହିଛି ଗାଁ, ସହର ଓ ମହାନଗର । ଆକାଶମାର୍ଗରୁ ଦେଖିଲେ ଲାଗୁଛି ଯେମିତି ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଛି ଜନବସତି । ପାଣି ଘେରରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ବର୍ତ୍ତମାନ ସମୟରେ ସବୁଠୁ ବଡ ଚ୍ୟାଲେଂଜ୍ ପାଲଟିଛି । କାରଣ ରାଜ୍ୟର ଅଧିକାଂଶ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ଲୋକଙ୍କ ପାଖକୁ ପହଂଚିବା ପାଇଁ ଭରସା କହିଲେ, ଜଳପଥ ଏବଂ ଆକାଶ ପଥ । ତେବେ ବନ୍ୟାରେ ଫଶିଥିବା ସମସ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ପାଣି ଘେରରୁ ବାହାର କରିବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି କେରଳ ମୁଖ୍ୟମନ୍ତ୍ରୀ ପନିରାଇ ବିଜୟନ କହିଛନ୍ତି । ବନ୍ୟା ପାଣି ଖସିନଥିବା ବେଳେ ଏବେବି କେତେକ ଅଂଚଳରେ ବର୍ଷା ଲାଗିରହିଛି ।

 

source : News Nation

ଏପଟେ ଆଗାମୀ ୫ ଦିନ ଯାଏଁ କେରଳରେ ପ୍ରବଳ ବର୍ଷାର ସଂଭାବନା ନଥିବା ଭାରତୀୟ ପାଣିପାଗ ବିଭାଗ କହିବା ପରେ ସାମାନ୍ୟ ଆଶ୍ୱସ୍ଥି ମିଳିଛି । ବର୍ତ୍ତମାନ ସୁଦ୍ଧା କେରଳ ବନ୍ୟାରେ ୩୭୦ରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି । ରାଜ୍ୟର ୧୩୪ଟି ପୋଲ ଓ ୧୬ ହଜାର କିଲୋମିଟର ରାସ୍ତା ସଂପୂର୍ଣ୍ଣ ଧୋଇଯାଇଛି । କେରଳରେ ୪୦ ହଜାର ହେକ୍ଟର ଚାଷ ଜମି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ୨୭ ହଜାର ଘର ବନ୍ୟା ପାଣିରେ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୨୧ ହଜାର କୋଟିର ସଂପତି ନଷ୍ଟ ହୋଇଥିବା ପ୍ରାଥମିକ ଆକଳନ କରାଯାଉଛି ।

ବନ୍ୟା ପାଣିରେ ଘର, ଗାଁ ସହର ସବୁ ନିଶ୍ଚିହ୍ନ ହୋଇଯାଇଛି । ୫ହଜାର ୬୪୫ ବନ୍ୟା ଆଶ୍ରୟସ୍ଥଳରେ ପ୍ରାୟ ସାଢେ ୭ଲକ୍ଷ ଲୋକ ଆଶ୍ରୟ ନେଇଛନ୍ତି । ଆକାଶ ମାର୍ଗରୁ ଲୋକଙ୍କ ପାଖରେ ପହଂଚୁଛି ରିଲିଫ୍ ସାମଗ୍ରୀ । ଖାଦ୍ୟ ପୁଡିଆରୁ ଆରମ୍ଭ କରି ଔଷଧ ଓ ପିଇବା ପାଇଁ ବନ୍ୟା ବିପନ୍ନଙ୍କୁ ପହଂଚାଇବାର ଉଦ୍ୟମ ଜାରି ରହିଛି । ସାରା ରାଜ୍ୟରେ ୩ହଜାର ୭୦୦ ମୋଡିକାଲ କ୍ୟାମ୍ପ ଖୋଲାଯାଇଛି । ଉଦ୍ଧାର କାର୍ଯ୍ୟରେ ୬୭ ଚପର୍, ୨୪ ବିମାନ ଏବଂ ୫୪୮ ବୋଟ୍ ନିୟୋଜିତ ଅଛନ୍ତି ।

ବର୍ଷକୁ ବନ୍ୟା ପାଇଁ ହାରାହାରି କେତେ ପରିମାଣର କ୍ଷୟକ୍ଷତି ହେଉଛି ଏବଂ କେତେ ଜୀବନ ଯାଉଛି ସେନେଇ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଂଟ ଅଥରିଟି ଏଭଳି ସାଂଘାତିକ ଦିଗ ସାମ୍ନାକୁ ଆସିଛି । ନିକଟରେ ସାରା ଦେଶର ୬୪୦ ଜିଲ୍ଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଏକ ଅନୁଧ୍ୟାନ କରାଯାଇ, କେଉଁ ଜିଲ୍ଲା ପାଇଁ କେତେ ବିପଦ ରହିଛି, ମୁକାବିଲା ପାଇଁ କେତେ ପ୍ରସ୍ତୁତ, ରିଲିଫ ଆଉ ଥଇଥାନ ପାଇଁ ପଦକ୍ଷେପ ବାବଦରେ ରିପୋର୍ଟ ମଧ୍ୟ ପ୍ରସ୍ତୁତ ହୋଇଛି ।