କନକ ବ୍ୟୁରୋ :  ଅଷ୍ଟ୍ରେଲିଆ ଜଙ୍ଗଲରେ ଓଟଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଥିବାରୁ ଏହା ପାନୀୟ ଜଳ ସମସ୍ୟା ସୃଷ୍ଟି କରିଛି। ଓଟମାନେ ଅଧିକ ପାଣି ପିଇ ଯାଉଥିବାରୁ ଜଙ୍ଗଲରେ ବାସ କରୁଥିବା ଜନଜାତିଙ୍କ ପାଇଁ ପାଣି ସମସ୍ୟା ବଢ଼ି ଯାଇଛି। ଫଳରେ ସେମାନଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଷ୍ଟ୍ରେଲିଆ ସରକାର। ମରୁଭୂମି ଅଞ୍ଚଳରେ ପାଣି ବଞ୍ଚାଇବା ପାଇଁ ଦକ୍ଷିଣ ଅଷ୍ଟେଲିଆରେ ପାଖାପାଖି ୧୦ ହଜାର ଜଙ୍ଗଲୀ ଓଟଙ୍କୁ ଗୁଳି କରି ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଆଜିଠାରୁ ଏହି ଓଟମରା ଅଭିଯାନ ଆରମ୍ଭ କରାଯିବ । ପେସାଦାର ସୁଟର୍‌ମାନେ ହେଲିକପ୍ଟରରୁ ଓଟମାନଙ୍କୁ ଗୁଳି କରିବେ । ଅଷ୍ଟେଲିଆର ଜଙ୍ଗଲରେ ନିଆଁ ଲାଗି ଲକ୍ଷ ଲକ୍ଷ ପଶୁପକ୍ଷୀ ପୋଡ଼ି ଛାରଖାର ହୋଇ ଯାଉଛନ୍ତି । ଏଭଳି ଅନେକ ଯନ୍ତ୍ରଣାଦାୟକ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏପରି ପରିସ୍ଥିତିରେ ସରକାର ଜଙ୍ଗଲୀ ଓଟଙ୍କୁ ହତ୍ୟା କରିବାକୁ ଯାଉଥିବା ଖବର ବିଶ୍ବବ୍ୟାପୀ ପଶୁପ୍ରେମୀଙ୍କୁ ବିସ୍ମିତ ଓ ବ୍ୟଥିତ କରିଛି ।

ଅଷ୍ଟ୍ରେଲିଆର ଜଙ୍ଗଲରେ ରହୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ଅଭିଯୋଗ ହେଉଛି ଯେ ଜଙ୍ଗଲୀ ଓଟ ପାଣି ଖୋଜି ଖୋଜି ସେମାନଙ୍କ ବସତି ଆଡ଼କୁ ଚାଲିଆସୁଛନ୍ତି ଏବଂ ତାଙ୍କ ସମ୍ପତ୍ତି ନଷ୍ଟ କରୁଛନ୍ତି । ଓଟମାନେ ଏତେ ମାତ୍ରାରେ ପାଣି ପିଉଛନ୍ତି ଯେ, ପାଣିର ସମସ୍ୟା ଦେଖା ଦେଇଛି । ସ୍ଥାନୀୟ ଆଦିବାସୀଙ୍କ ଅଭିଯୋଗ ପରେ ସରକାର ଓଟକୁ ମାରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ପାଖାପାଖି ୫ଦିନ ଲାଗିପାରେ । ସେହିଭଳି ବିଶ୍ବରେ ତାପମାତ୍ରା ବୃଦ୍ଧିରେ ମଧ୍ୟ ଟଓ ଏକ ବଡ଼ ଭୂମିକା ଗ୍ରହଣ କରୁଥିବା କୁହାଯାଉଛି ।

ହିସାବରୁ ଦେଖାଯାଇଛି ୧୦ ଲକ୍ଷ ଓଟ ଗୋଟିଏ ବର୍ଷରେ ଏକ ଟନ୍ ଅଙ୍ଗାରକାମ୍ଳ ଓ ମିଥେନ୍‌ ଗ୍ୟାସ୍‌ ନିର୍ଗତ କରିଥାନ୍ତି । ଅଷ୍ଟ୍ରେଲିଆର ଜାତୀୟ ଜଙ୍ଗଲୀ ଓଟ ପ୍ରବନ୍ଧନ ଯୋଜନା ଅନୁସାରେ ଯଦି ଓଟକୁ ନେଇ କୌଣସି ବିକଳ୍ପ ବ୍ୟବସ୍ଥା କରା ନ ଯାଏ ତେବେ ଏଠାରେ ଓଟ ସଂଖ୍ୟା ପ୍ରତି ୯ବର୍ଷରେ ଦୁଇ ଗୁଣ ହୋଇଯିବ। ଏକ ଲକ୍ଷ ଜଙ୍ଗଲୀ ଓଟ ପ୍ରତିବର୍ଷ ଯେତିକି ପରିମାଣରେ ଅଙ୍ଗାରକାମ୍ଳ ଓ ମିଥେନ ନିର୍ଗତ କରିଥାଆନ୍ତି, ତାହା ରାସ୍ତାରେ ଚାଲୁଥିବା ୪ଲକ୍ଷ କାର୍ ନିର୍ଗତ କରୁଥିବା ବିଷାକ୍ତ ଗ୍ୟାସ୍‌ ସହ ସମାନ ବୋଲି କୁହାଯାଉଛି।