ଆସନ୍ତାକାଲି ଠାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ପାଠଶାଳା : ମୁଖିଆଙ୍କୁ ପଞ୍ଚମ ପାଳିର ପ୍ରଥମ ରିପୋର୍ଟ ଦାଖଲ କଲେ ୨ ମନ୍ତ୍ରୀ

258

କନକ ବ୍ୟୁରୋ : ମୁଖିଆଙ୍କୁ ରିପୋର୍ଟ କାର୍ଡ଼ ଦେଲେ ମନ୍ତ୍ରୀ । ଆସନ୍ତାକାଲି ଠାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ପାଠଶାଳା । ଆଜି ୨ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ମାସିକିଆ ରିପୋର୍ଟ କାର୍ଡ ଦେଇଛନ୍ତି । ବିଜ୍ଞାନ ଓ କାରିଗର ମନ୍ତ୍ରୀ ଅଶୋକ ପଣ୍ଡା, ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ରିପୋର୍ଟ କାର୍ଡ ଦେଇଛନ୍ତି । ମାସକରେ କ’ଣ କରିଛନ୍ତି ବିଭାଗକୁ ନେଇ କ’ଣ ରାଡମ୍ୟାପ ପ୍ରସ୍ତୁତ ହୋଇଛି ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ଦେଇଛନ୍ତି । ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଓ କାର୍ଯ୍ୟଦକ୍ଷତାକୁ ନେଇ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ କ୍ୟାବିନେଟ ବୈଠକରେ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ମାସର ୭ ତାରିଖରେ ମାସିକିଆ ରିପୋର୍ଟ ଦାଖଲ କରିବାକୁ ସବୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ପଞ୍ଚମ ଥର ସରକାର ଗଢ଼ିବା ପରେ ଶକ୍ତ ହୋଇଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନତାଙ୍କ ଭରସାକୁ ବଜାୟ ରଖିବା ପାଇଁ ମନ୍ତ୍ରୀଙ୍କ ଠାରୁ ମାସିକିଆ ରିପୋର୍ଟ କାର୍ଡ଼ ମାଗିଛନ୍ତି । ନିଜ ନିଜ ବିଭାଗରେ ଦାୟିତ୍ୱ ସୁଚାରୁରୂପେ ପାଳନ ପାଇଁ ମନ୍ତ୍ରୀ ମାନଙ୍କୁ ପୂର୍ବରୁ ତାଗିଦ୍ ମଧ୍ୟ କରିଛନ୍ତି । ଜନତାଙ୍କୁ ଦିଆଯାଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ଦିଗରେ ଜୋର ଦେଉଛନ୍ତି ନବୀନ । ପ୍ରତି ବିଭାଗରେ କେତେ କାମ ହେଲା ଏଥର ମାସର ୭ ତାରିଖ ସୁଦ୍ଧା ଦାଖଲ କରିବେ ସମସ୍ତ ମନ୍ତ୍ରୀ । ଦଳୀୟ ଇସ୍ତାହାରର ପ୍ରସ୍ତାବ ଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ମନ୍ତ୍ରୀମାନେ ନିର୍ଦ୍ଦଷ୍ଟ ଭାବେ କି ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ । ଏବେ ବର୍ଷ ଶେଷରେ ନୁହେଁ, ପ୍ରତି ମାସରେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ବିଭାଗର ପ୍ରୋଗ୍ରେସ୍ ରିପୋର୍ଟ ଦେବେ ମନ୍ତ୍ରୀ ।