କନକ ବ୍ୟୁରୋ : ରାଜ୍ୟର ଅଧିକାଂଶ ସ୍ଥାନରେ ତାତି କମିଥିଲେ ହେଁ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୪୦ଡିଗ୍ରି ଉପରେ ରହିଛି । ସୋନପୁର ଓ ଟିଟିଲାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୨ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭବାନୀପାଟଣାରେ ୪୧.୫ ଏବଂ ମାଲକାନଗିରିରେ ୪୦.୬ଡିଗ୍ରି ରେକର୍ଡ ହୋଇଛି । ଆସନ୍ତା ତିନିରୁ ଚାରି ଦିନ ପଶ୍ଚିମ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହେବ । କିନ୍ତୁ ଉପକୂଳ ଓଡ଼ିଶାରେ ପାରଦ ୩୮ଡିଗ୍ରି ତଳେ ରହିବ । ଜୁନ୍ ପହିଲାରୁ ତାତି କମିବା ସହ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ।
/kanak/media/post_attachments/wp-content/uploads/2018/05/Odisha-Main2.jpg)
ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଏବେ ସମୁଦ୍ର ଦିଗରୁ ପବନ ବହୁଥିବାରୁ ଏବଂ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଥିବାରୁ ଉପକୂଳ ଓଡ଼ିଶାରେ କମ୍ ତାତି ଅନୁଭୂତ ହେଉଛି । କିନ୍ତୁ ଗୁଳୁଗୁଳି ହେଉଛି । ପଶ୍ଚିମ ଓଡ଼ିଶାରେ ଜଳୀୟବାଷ୍ପ କମ୍ ଥିବାରୁ ଖରା ଅଧିକ ହେଉଛି । ଏପରିସ୍ଥଳେ ରାଜ୍ୟର କାଁ ଭାଁ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ । ମେ ୩୧ ପର୍ଯ୍ୟନ୍ତ ଏହିପରି ପାଗ ଲାଗି ରହିବ । ଜୁନ୍ ପହିଲାରୁ ରାଜ୍ୟରେ ପ୍ରାକ୍ ମୌସୁମୀ ଜନିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମେ ୨୯ ବା ୩୦ତାରିଖରେ ମୌସୁମୀ କେରଳ ଛୁଇଁବାକୁ ଥିବାବେଳେ ଏହା ପ୍ରଭାବରେ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ହେବ ।
/kanak/media/post_attachments/wp-content/uploads/2018/05/Rain-1-1.jpg)