ଆଣ୍ଡାମାନରେ ଅଟକି ଯାଇଛି ମୌସୁମୀ ବାୟୁ : ସକ୍ରିୟ ହେବା ପାଇଁ ଲାଗିବ ସମୟ, ୬ ଦିନ ବିଳମ୍ବରେ କେରଳ ଛୁଇଁବା ସମ୍ଭାବନା

341

କନକ ବ୍ୟୁରୋ : ସାଧାରଣତଃ  ଜୁନ୍‌ ପହିଲାରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁଥାଏ । ଏଥର ମଧ୍ୟ ସେହି ସମୟରେ କେରଳରେ ମୌସୁମୀ ପହଞ୍ଚିବ ବୋଲି ଆକଳନ କରାଯାଇଥିଲା । ଗତ ମେ’ ୧୮ ତାରିଖରେ ବି ମୌସୁମୀ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ପହଞ୍ଚିଲା । ତେବେ ସେଠାରେ ହିଁ ଅଟକିଯାଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।  ପୁଣିଥରେ ସକ୍ରିୟ ହେବା ଲାଗି ସମୟ ଲାଗିବ । ତେଣୁ ମୌସୁମୀ ଏଥର ବିଳମ୍ବରେ କେରଳ ଛୁଇଁବ ।

ଭାରତୀୟ ପାଣିପାଗ ବିଭାଗ ବି ମୌସୁମୀଙ୍କୁ ନେଇ ଆଶଙ୍କାରେ ପଡ଼ିଛି । ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ଏବେ ଆଣ୍ଡାମାନରେ ରହିଛି । ସୁପ୍ତ ହୋଇଥିବା ମୌସୁମୀ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ପୁଣିଥରେ ସକ୍ରିୟ ହେବ । ଜୁନ୍‌ ୨ ବେଳକୁ ଦକ୍ଷିଣ ବଙ୍ଗୋପସାଗର, ଉତ୍ତର ଆଣ୍ଡାମାନ ସାଗର, ମାଲଦୀପ-କାମୋରିନ୍‌ ଅଞ୍ଚଳରେ ମୌସୁମୀ ବାୟୁ ପ୍ରବାହ ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି ହେବାର ବହୁତ ସମ୍ଭାବନା ରହିଛି । ସକ୍ରିୟ ହେବା ପରେ ତାହା ଦକ୍ଷିଣ ଭାରତ ତଥା କେରଳ ମୁହାଁ ହେବ । ତେଣୁ ଜୁନ୍‌ ୬ କିମ୍ବା ୭ ତାରିଖ ବେଳକୁ ମୌସୁମୀ କେରଳରେ ପହଞ୍ଚିପାରେ ।

ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମାର୍ଟ’ର କହିବା କଥା ହେଉଛି ଯେ କେରଳରେ ମୌସୁମୀ ବା‌ୟୁ ପ୍ରବାହ ହେବାର ସମୟ ହୋଇଗଲାଣି । ତେବେ ଏବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଛି । ମେ’ ୧୮ରେ ଆଣ୍ଡାମାନ ଓ ନିକୋବର ଛୁଇଁବା ପରେ ମୌସୁମୀ ଏପ୍ରକାର ସୁପ୍ତ ହୋଇ ରହିଛି । ସକ୍ରିୟ ହେବାକୁ କିଛି ଦିନ ଲାଗିପାରେ । ତେବେ ଦକ୍ଷିଣ ଭାରତ ଉପରେ ସୃଷ୍ଟି ହୋଇଥିବା ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଆସନ୍ତା ଦୁଇ ଦିନ ମଧ୍ୟରେ କେରଳ, ଦକ୍ଷିଣ କର୍ଣ୍ଣାଟକ ଓ ରୟାଲସୀମାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଉପକୂଳ, ତେଲେଙ୍ଗନା ଓ ଉତ୍ତର କେନ୍ଦ୍ରୀୟ କର୍ଣ୍ଣାଟକର ଗୋଟିଏ ଦୁଇଟି ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇପାରେ । କିନ୍ତୁ ମୌସୁମୀ ପ୍ରଭାବରେ ଆଣ୍ଡାମାନ ଓ ନିକୋବରରେ  ପ୍ରବଳ ବର୍ଷା ହେବ । ମଧ୍ୟ ଭାରତରେ ଲୁ ପ୍ରଭାବ ରହୁଛି । ତେଣୁ ବିଦର୍ଭ ସମେତ ‌ତେଲେଙ୍ଗାନା, ମଧ୍ୟପ୍ରଦେଶ, ଗୁଜୁରାଟ, ଛତିଶଗଡ଼, ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ଉପରେ ରହିବ । ମୌସୁମୀ ପ୍ରବାହରେ ବିଳମ୍ବ ହେବ ।

 

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ କେରଳ ଓ ସଂଲଗ୍ନ ରାଜ୍ୟରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ମୁଖ୍ୟତଃ ପଶ୍ଚିମ ଆଡ଼ୁ ପ୍ରବାହିତ ହେବ । ତେବେ ଏକ ଘୁର୍ଣ୍ଣିବଳୟ ଯୋଗୁଁ ୩ ଓ ୪ ତାରିଖରେ ଭଲ ବର୍ଷା ହେବ । କିନ୍ତୁ ସେଥିରେ ମୌସୁମୀ ବର୍ଷାର ଲକ୍ଷଣ ଦେଖାଯାଉ ନାହିଁ । ଓଡ଼ିଶାରେ ରଜ ପୂର୍ବରୁ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ସୂଚନା ମିଳୁଛି କି ବର୍ତମାନ ପୂର୍ବ ବଙ୍ଗୋପସାଗରରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ବର୍ଷା ହେଉଛି । ତାହା ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେଲେ ଘୂର୍ଣ୍ଣିବଳୟ ଦ୍ବାରା ଓଡ଼ିଶା ଉପକୂଳକୁ ଟାଣିଆଣିବ। ବର୍ଷା ହୋଇପାରେ ।