କନକ ବ୍ୟୁରୋ : ଏଥର ସମଗ୍ର ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ସ୍ୱାଭାବିକ ବୃଷ୍ଟିପାତ ହେବ । ବୃଷ୍ଟିପାତ ହାର ମଧ୍ୟ ୯୬ରୁ ୧୦୪ ପ୍ରତିଶତ ମଧ୍ୟରେ ରହିବ । ଆସନ୍ତା ଜୁନ୍ ଏବଂ ସେପ୍ଟେମ୍ବର ମାସରେ ମୌସୁମୀ ଅଧିକ ବର୍ଷିବ । କିନ୍ତୁ ଜୁଲାଇ, ଅଗଷ୍ଟରେ ଏହା ସ୍ୱାଭାବିକ ପରିମାଣଠାରୁ କମ୍ ରହିବ । ଏହା ସତ୍ତ୍ୱେ ଦେଶରେ ମରୁଡ଼ି ହେବାର ଆଶଙ୍କା ପୂରା ଶୂନ୍ ।
ଆଜି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ଆଗାମୀ ମୌସୁମୀର ରୂପରେଖ ନେଇ ଏଭଳି ଆଶାଜନକ ପୂର୍ବାନୁମାନ ରିପୋର୍ଟ ପ୍ରକାଶ କରିଛି । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଚଳିତ ସପ୍ତାହ ଶେଷ କିମ୍ବା ଦ୍ୱିତୀୟ ସପ୍ତାହରେ ମୌସୁମୀର ପୂର୍ବାନୁମାନ ଦେବା ପୂର୍ବରୁ ଆଗୁଆ ରିପୋର୍ଟ ଦେଇଛି ସ୍କାଏମେଟ୍ । ସାଧାରଣତଃ ଦୀର୍ଘ ୫୦ ବର୍ଷର ହାରାହାରି ବୃଷ୍ଟିପାତ ହାର(ଏଲ୍ପିଏ) ଅର୍ଥାତ୍ ୯୬ରୁ ୧୦୪ ପ୍ରତିଶତକୁ ନେଇ ସ୍ୱାଭାବିକ ମୌସୁମୀ ବିବେଚନା କରାଯାଏ । ଏହି ପରିପ୍ରେକ୍ଷୀରେ ଦେଶରେ ବର୍ଷାକାଳୀନ ଚାରିମାସର ସ୍ୱାଭାବିକ ବୃଷ୍ଟିପାତ ପ୍ରାୟ ୮୮୭ ମିଲିମିଟର । ସ୍କାଏମେଟ୍ ରିପୋର୍ଟ ମୁତାବକ ଚଳିତ ବର୍ଷ ଜୁନ୍ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଦେଶବ୍ୟାପୀ ଉତ୍ତମ ପରିମାଣର ବୃଷ୍ଟିପାତ ହେବ ।
ତେବେ ଏହି ସଂସ୍ଥାର ରିପୋର୍ଟରେ ପାଞ୍ଚ ପ୍ରକାରର ପୂର୍ବାନୁମାନ ଉଲ୍ଲେଖ କରାଯାଇଛି । ପ୍ରଥମ ପୂର୍ବାନୁମାନ ଅନୁଯାୟୀ ୧୧୦ ପ୍ରତିଶତ ବୃଷ୍ଟିପାତ ଅର୍ଥାତ୍ ଅଧିକ ପରିମାଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ୫ ପ୍ରତିଶତ । ୧୦୫ରୁ ୧୧୦ ପ୍ରତିଶତ ବୃଷ୍ଟିପାତ ହେବାର ୨୦ ପ୍ରତିଶତ ସମ୍ଭାବନା ରହିଛି । ୯୬ରୁ ୧୦୪ ପ୍ରତିଶତ ବୃଷ୍ଟିପାତ ଅର୍ଥାତ୍ ସ୍ୱାଭାବିକ ମୌସୁମୀର ସମ୍ଭାବନା ହେଉଛି ୫୫ ପ୍ରତିଶତ । ୯୦ରୁ ୯୫ ପ୍ରତିଶତ ଅର୍ଥାତ୍ ସ୍ୱାଭାବିକ ବୃଷ୍ଟିପାତଠାରୁ କମ୍ ହେବାର ୨୦ ପ୍ରତିଶତ ସମ୍ଭାବନା ରହିଛି । ଏ ନେଇ ସ୍ୱାଭାବିକ ମୌସୁମୀର ଅଧିକ ସମ୍ଭାବନା ରହିଥିବା ରିପୋର୍ଟରୁ ସ୍ପଷ୍ଟ । ପଞ୍ଚମରେ, ସ୍ୱାଭାବିକ ମୌସୁମୀ ଯୋଗୁଁ ଦେଶରେ ମରୁଡ଼ିର ଆଶଙ୍କା ଆଦୌ ନାହିଁ ।
ରିପୋର୍ଟରେ ଦର୍ଶାଯାଇଛି, ଜୁନ୍ ମାସରେ ସ୍ୱାଭାବିକ ପରିମାଣଠାରୁ ଅଧିକ ଅର୍ଥାତ ୧୧୧ ପ୍ରତିଶତ ବର୍ଷା ହେବ । ଜୁଲାଇରେ ପ୍ରାୟ ୯୭ ପ୍ରତିଶତ, ଅଗଷ୍ଟରେ ୯୬ ପ୍ରତିଶତ ଏବଂ ସେପ୍ଟେମ୍ବରରେ ୧୦୧ ପ୍ରତିଶତ ବୃଷ୍ଟିପାତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଅର୍ଥାତ୍ ଜୁନ୍ ଏବଂ ସେପ୍ଟେମ୍ବର ମାସରେ ସ୍ୱାଭାବିକ ପରିମାଣଠାରୁ ଅଧିକ ବୃଷ୍ଟିପାତ ହେବ । କିନ୍ତୁ ଜୁଲାଇ ଏବଂ ଅଗଷ୍ଟରେ ସ୍ୱାଭାବିକ ପରିମାଣଠାରୁ ବୃଷ୍ଟିପାତ ହାର କମିବାର ସମ୍ଭାବନା ରହିଛି । ଏହି ଦୁଇ ମାସରେ ବୃଷ୍ଟିପାତ କମିଲେ, କୃଷି କାର୍ଯ୍ୟ କେତେକାଂଶରେ ପ୍ରଭାବିତ ହେବାର ଭୟ ରହିଛି । ବିଶେଷ କରି ଓଡ଼ିଶା ସମେତ କିଛି ରାଜ୍ୟରେ ଧାନ ଚାଷ ସାମାନ୍ୟ ପରିମାଣରେ ବାଧାପ୍ରାପ୍ତ ହୋଇପାରେ । ତେବେ ଆଇଏମ୍ଡିର ମୌସୁମୀ ପୂର୍ବାନୁମାନ ରିପୋର୍ଟ କି ଆକଳନ ବୟାନ କରୁଛି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି ।