କନକ ବ୍ୟୁରୋ : ଏଥର ରଜ ପୂର୍ବରୁ ଓଡ଼ିଶାରେ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। କେରଳରେ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ଏହା ନିର୍ଦ୍ଧାରିତ ସମୟରେ ଓଡ଼ିଶାରେ ପହଞ୍ଚିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଜୁନ୍ ୧୧ରେ ପହଞ୍ଚିପାରେ ବୋଲି କୁହାଯାଉଛି। ତେବେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଏନେଇ ସ୍ପଷ୍ଟ ସୂଚନା ଦିଆଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି।
ଶ୍ରୀ ବିଶ୍ବାସଙ୍କ ସୂଚନା ଅନୁଯାୟୀ ଜୁନ୍ ପହିଲାରେ ମୌସୁମୀ କେରଳ ଛୁଇଁଛି। ଯଦି ସବୁ କିଛି ସ୍ବାଭାବିକ ରୁହେ ତେବେ ଜୁନ୍ ୧୧ରେ ଓଡ଼ିଶାରେ ପହଞ୍ଚିବ ଏବଂ ଜୁନ୍ ୧୭ ସୁଦ୍ଧା ସମ୍ପୂର୍ଣ୍ଣ ରାଜ୍ୟକୁ ବିସ୍ତାରିତ ହେବ। ୨୦୧୯ରେ ଜୁନ୍ ୮ରେ କେରଳରେ ପହଞ୍ଚିଥିବା ବେଳେ ୨୧ରେ ଓଡ଼ିଶା, ୨୦୧୮ରେ ମେ’ ୨୯ରେ କେରଳ ଓ ଜୁନ୍ ୮ରେ ଓଡ଼ିଶା, ୨୦୧୭ରେ ମେ’ ୩୦ରେ କେରଳ ଓ ଜୁନ୍ ୧୪ରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥିଲା। ସେହି ଅନୁଯାୟୀ ଏଥର ସ୍ବାଭାବିକ ସମୟ ଜୁନ୍ ୧୧ ବେଳକୁ ଓଡ଼ିଶାରେ ପହଞ୍ଚିବା କଥା। ତେବେ ଏପର୍ଯ୍ୟନ୍ତ ଆମେ କୌଣସି ଆକଳନ କରି ନାହୁଁ। ଆସନ୍ତା ୪ ଦିନ ଭିତରେ ମୌସୁମୀ ଆଗମନ ନେଇ ସ୍ପଷ୍ଟ ସୂଚନା ଦିଆଯିବ।
ତେବେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। କଳାହାଣ୍ଡି, ବରଗଡ଼, ସୋନପୁର, ଦେବଗଡ଼, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ କେରାପୁଟ, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗୀର, ଅନୁଗୁଳ, ଦେବଗଡ଼ ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ବର, ଢେଙ୍କାନାଳ, କଟକ, ଭଦ୍ରକ ଜିଲ୍ଲାରେ ବର୍ଷା ସହ ଘଣ୍ଟାକୁ ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ। ବିହାରରୁ ଛତିଶଗଡ଼ ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ହୋଇଥିବାରୁ କାଳବୈଶାଖୀ ଜନିତ ବର୍ଷା ହେଉଛି। ୫ ଓ ୬ ତାରିଖରେ ସେଭଳି ବର୍ଷା ନାହିଁ। ୭ ଓ ୮ ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବ।
ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପର୍ଯ୍ୟନ୍ତ ରାଜ୍ୟର ସର୍ବୋଚ୍ଚ ତାପମାତ୍ରାରେ କୌଣସି ପରିବର୍ତନ ହେବନି। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରି କମ୍ ରହିବ। ଗତ ୩୬ ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବାଧିକ ୪୯.୨ ମିମି ବର୍ଷା ହୋଇଥିବା ବେଳେ ନୟାଗଡ଼ରେ ୪୬, କଟକରେ ୪୧.୮, ଅନୁଗୁଳରେ ୨୨.୪ ମିମି ବର୍ଷା ହୋଇଛି। ମାଲକାନଗିରି ବ୍ୟତୀତ ରାଜ୍ୟ ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ତଳେ ରହିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/96b88cf89be92f007acc3dcbb770bad0.jpg)