ଦୂତିକୁ ଅନୁସରଣ କରି ଦୌଡୁଛନ୍ତି ବଡଚଣାର ଦିପ୍ତିମୟୀ : ଦୌଡରାଣୀ ହେବା ସ୍ୱପ୍ନରେ ଅର୍ଥ ସାଜିଛି ବାଧକ

269

କନକ ବ୍ୟୁରୋ : ଦୌଡରାଣୀ ହେବା ପାଇଁ ମନ ଭିତରେ ପିଲା ଦିନୁ ପ୍ରବଳ ଆଗ୍ରହ । ସ୍କୁଲ ସମୁହ ଦୌଡ ପ୍ରତିଯୋଗିତାରେ ସଫଳ ହେବା ପରେ ଏହି ଇଛା ଆହୁରୀ ସ୍ୱପ୍ନ ମନସ୍କ କରାଏ । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ପୁବୁଲି ଗାଁର ଦିପ୍ତିମୟୀ । ରାଜ୍ୟ ଓ ଦେଶ ପାଇଁ ଖେଳିବାର ମନରେ ରହିଛି ଅନେକ ଆଶା । ହେଲେ ପରିବାରର ଦାରିଦ୍ରତା ତାଙ୍କର ଗତିରୋଧ କରୁଛି । ତେବେ ଉପଯୁକ୍ତ ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ମିଳିଲେ ସେବି ଦିନେ ଦୌଡରାଣୀ ଦୂତିଚାନ୍ଦଙ୍କ ଭଳି ପଡିଆରେ ଚମକିବେ ବୋଲି ଆଶା ରଖିଛନ୍ତି ।

ମନର ସ୍ୱପ୍ନକୁ ମନରେ ମାରିବାକୁ ବାଧ୍ୟ କରୁଛି ପରିବାରର ଆର୍ଥିକ ଅନଟନ । ରାଜ୍ୟ ଓ ଦେଶ ପାଇଁ କିଛି କରି ଦେଖାଇବାର ଇଛା ଅନେକ ହେଲେ ସ୍ୱପ୍ନ ପୂରଣ ରାସ୍ତାରେ ବାଟ ଓଗାଳୁଛି ଗରିବୀ । ଦାରିଦ୍ରତାର ପଶା ପାଲିରେ ଫସି ଯାଇଛି ବଡଚଣା ବ୍ଲକ ପୁବୁଲି ଗ୍ରାମର ଯତୀନ୍ଦ୍ର ମହାନ୍ତଙ୍କ ଝିଅ ଦୀପ୍ତିମୟୀ ମହାନ୍ତ । ଦୌଡରାଣୀ ଦୂଚିଚାନ୍ଦଙ୍କୁ ଆଦର୍ଶ ମାନି ପିଲାଟି ଦିନରୁ ଖେଳକୁଦରେ ରୁଚି ରଖୁଥିବା ଦୀପ୍ତମୟୀ ସ୍କୁଲ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ୧୫ଶହ ଓ ୩ହଜାର ମିଟର ଦୌଡରେ ସୁନା ଓ ରୁପା ପଦକ ହାସଲ କରିଛନ୍ତି । ଆଗକୁ ଏହି ଖେଳରେ ରାଜ୍ୟ ଓ ଦେଶ ପାଇଁ ଖେଳିବାକୁ ଇଛା ରଖିଛନ୍ତି । ଏଥିପାଇଁ ପ୍ରତିଦିନ ଗାଁ ପଡିଆରେ ଅଭ୍ୟାସ ଚଳାଇଛନ୍ତି ଦିପ୍ତିମୟୀ । ତାଙ୍କୁ ପ୍ରୋତ୍ସାହନ ଓ ଆବଶ୍ୟକୀୟ ପ୍ରଶିକ୍ଷଣ ମିଳିଲେ ସେ ଆଗକୁ ବଡି ପାରିବେ ବୋଲି ଆଶା ରଖିଛନ୍ତି ।

ଦୂତୀ ଚାନ୍ଦଙ୍କୁ ଅନୁସରଣ କରୁଥିବା ଦିପ୍ତିମୟୀ ଢେଙ୍କାନାଳ ନବୋଦୟ ସ୍କୁଲରେ ପଢିବା ବେଳେ ଦୌଡ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇଥିଲେ । ଜୀବନର ପ୍ରଥମ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବା ପରେ ଦୌଡପ୍ରତି ତାଙ୍କର ଆଗ୍ରହ ବଢିଛି । ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଦିପ୍ତି ଏବେ ଚଣ୍ଡିଖୋଲ ବାବା ଭୈରବାନନ୍ଦ ମହାବିଦ୍ୟାଳୟରେ +୨ ପ୍ରଥମ ବର୍ଷରେ ପଢୁଛନ୍ତି । ଏବେ ବି ସେ ନିଜ ଗାଁ ପଡିଆରେ ଅଭ୍ୟାସ ଜାରି ରଖିଛନ୍ତି । ଏଭଳି ଅବସ୍ଥାରେ ଦୀପ୍ତିମୟୀକୁ ସରାକାରୀ ପ୍ରୋତ୍ସାହନ ମିଳିଲେ ସେ ଆଗକୁ ବଢିପାରନ୍ତା ବୋଲି ତାଙ୍କ ପରିବାର ଆଶା ରଖିଛି ।