ଖରାଦିନ ଆରମ୍ଭରୁ ପୁଣି ଫେରିଲା ମହାନଦୀ ପ୍ରସଙ୍ଗ ! ହୀରାକୁଦ ତଳ ମୁଣ୍ଡରେ ଶୁଖିଲା ପଡିଛି ଓଡିଶାର ଜୀବନରେଖା

37

କନକ ବ୍ୟୁରୋ : ଖରାଦିନ ଆରମ୍ଭରୁ ପୁଣି ପ୍ରସଙ୍ଗ ପାଲଟିଲା ମହାନଦୀ । ଓଡିଶାର ଜୀବନରେଖା ହୋଇ ରହିଆସିଥବା ଏହି ନଦୀ ଏବେ ସାଂଘାତିକ ଅବସ୍ଥା ଆଡକୁ ଗତି କରୁଛି । ମହାନଦୀରେ ପାଣି ଯେତିକି କମୁଛି, ତାସହ ତାଳଦେଇ ସେତିକି ବଢୁଛି ରାଜନୀତି । ହୀରାକୁଦ ଜଳଭଣ୍ଡାର ନିକଟସ୍ଥ ମହାନଦୀର ତିନିଟି ଅଂଚଳ ଏବେ ଶୁଖିବା ଅବସ୍ଥାରେ । ଯେଉଁଠି ପୂର୍ବରୁ ପାଣି କାତ ବୁଡାଇ ଦେଉଥିଲା, ଆଜି ସେଠି ଶୁଖିଲା ସ୍ଥିତି ।

ହୀରାକୁଦ ଜଳଭଣ୍ଡାର (ଜିରୋ ପଏଂଟ୍) –
ଜଳଭଣ୍ଡାରର ଏହି ଅଂଚଳରେ ବର୍ଷସାରା ପାଣିର ସୁଅ ଛୁଟିଥାଏ । କୂଳ ପାଖରେ ବି ଅକାତ ପାଣି । ହେଲେ ଏବେ ଏହି ଅଂଚଳରେ ହ୍ରାସ ପାଇଛି ଜଳସ୍ତର । ଜଳଭଣ୍ଡାର ପଥର ପାଚେରୀ ଉପରେ ରହୁଥିବା ପାଣି ଏବେ ବହୁ ତଳକୁ ଖସିଯାଇଛି । ଜଳଭଣ୍ଡାରର ମୁଖ୍ୟ ଅଂଚଳ କୁହାଯାଉଥିବା ଜିରୋ ପଏଂଟରେ ଜଳପ୍ରବାହ କମିବାରେ ଲାଗିଛି ।

ହୀରାକୁଦ ଜଳଭଣ୍ଡାର (ଝାଙ୍କରାଣୀ ମନ୍ଦିର) –

ଶୁଖିଲା ପଡିଛି ଜଳ ଭଣ୍ଡାରର ଅଂଚଳ । ଚାରିଆଡେ ଖାଲି ପଥର । ମୌସୁମୀ ଋତୁରେ ଜଳଭଣ୍ଡାରର ଝାଙ୍କରାଣୀ ମନ୍ଦିର ଅଂଚଳରେ ପାଣିର ସୁଅ ଛୁଟିଥାଏ । ହେଲେ ଖରାଦିନ ଆରମ୍ଭରୁ ଏଠାରେ ପାଣି ସ୍ତର ବହୁ ତଳକୁ ଖସିଯାଇଛି । ମୌସୁମୀ ଏବଂ ଅଣ ମୌସୁମୀ ଋତୁରେ ଜଳ ପ୍ରବାହ କମିବା ଯୋଗୁଁ ମହାନଦୀର ଏଭଳି ସ୍ଥିତି ଉପୁଜିଛି ।

ପିସି ବ୍ରିଜ୍ –

ବ୍ରିଜରେ ମଧ୍ୟ ଦେଖିବା ପାଇଁ ମିଳିଛି ସମାନ ଦୃଶ୍ୟ । ଶୁଖିଲା ପଡିଛି ଚିରସ୍ରୋତା ମହାନଦୀ । ମାଟି-କାଦୁଅ ଭରା ଅଂଚଳରେ ପାଣିର ସୁଅ ଛୁଟୁଥିଲା ପୂର୍ବରୁ । ହେଲେ ଏବେ ଆଂଠୁଏ ପାଣି ବି ନାହିଁ ।

ସେପଟେ “ମହାନଦୀ ବଂଚାଅ ଆନ୍ଦୋଳନ’’ ପକ୍ଷରୁ ମହାନଦୀ ବଂଚାଅ ଯାତ୍ରା ଆରମ୍ଭ ହୋଇଛି । ଆସନ୍ତାକାଲିଠାରୁ ଛତିଶଗଡ଼ର କଲମା ବ୍ୟାରେଜ ଠାରୁ ଦସ୍ତଖତ ଅଭିଯାନ ଆରମ୍ଭ ହେବ । ୧୫ ତାରିଖରେ ଏହା ପୁରୀ ସିଂହଦ୍ୱାରରେ ଶେଷ ହେବ । ମହାନଦୀ ବଂଚାଇବା ନେଇ ୧ ଲକ୍ଷ ଲୋକଙ୍କ ଦସ୍ତଖତ ସମ୍ବଳିତ ସ୍ମାରକପତ୍ରକୁ ଭାରତର ପ୍ରଧାନବିଚାରପତିଙ୍କ ନିକଟକୁ ପ୍ରେରଣ କରାଯିବ । ମହାନଦୀ ପାଇଁ ଟ୍ରିବୁନାଲ୍ ଗଠିତ ହୋଇଥିଲେ ମଧ୍ୟ ଛତିଶଗଡ଼ ତୁରନ୍ତ କଲମା ଗେଟ୍ ଖୋଲିବା ଉଚିତ ବୋଲି ସେମାନେ ଦାବି କରିଛନ୍ତି । ଅନ୍ୟପଟରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ଛତିଶଗଡ଼ ପ୍ରତି ସହାନୁଭୂତି ଦେଖାଇବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।